ଓଡ଼ିଶା

ଦଦରା ଗାଡିରେ ଯାଉଛନ୍ତି ସ୍କୁଲପିଲା, ପରିବହନ ବିଭାଗ ନୀରବ, ଭଦ୍ରକରେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲାରେ ଭଂଗା ଦଦରା ଗାଡିରେ ଯାଉଛନ୍ତି ସ୍କୁଲପିଲା। ନା ଏଠି ଅଛି ସୁରକ୍ଷା ବ୍ୟବସ୍ଥା ନା ଅଛି କଡା ଯାଞ୍ଚ। ଆରଟିଓଙ୍କ କାର୍ଯ୍ୟକଳାପ ବି ଢିଲା। ଏଠି ଆରଟିଓଙ୍କ ଠାରୁ ଆରମ୍ଭ କରି ତଳସ୍ତରର କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ନୀରବ। ବିପଦସଂକୁଳ ଭାବରେ ବିଭିନ୍ନ ଗାଡି ସ୍କୁଲ ପିଲାଙ୍କୁ ନେଇ ଯାଉଥିବାରୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସବୁକିଛି ଅନ୍ଲାଇନ୍ରେ ହେବା ପରେ ମଧ୍ୟ ଆରଟିଓ ଅଫିସର ସବୁ ଭୁଲ୍ କାମକୁ ଠିକ୍ କରି ଦିଆଯାଉଛି। ଫଳରେ ଗାଡିର ଫିଟ୍ ନଥାଇ ବି ଗାଡି ଫିଟ୍ରେ ଚାଲୁଛି। ନିକଟରେ ୧୬ ନଂ ଜାତୀୟ ରାଜପଥର ରାଣୀତାଲ ଛକ ନିକଟରେ ୧୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ଏକ ଟ୍ରକ୍ ମାଡିଯିବାରୁ ୬ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୪ ଜଣ ଛାତ୍ରଛାତ୍ରୀଙ୍କର ଅକାଳରେ ମୃତ୍ୟୁ ଘଟିଲା। ଏଇ ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ମଧ୍ୟ ଆରଟିଓଙ୍କର ଚେତା ପଶିଲା ନାହିଁ। କେବଳ ନାମକୁ ମାତ୍ର ଘରୋଇ ସ୍କୁଲ ଓ କଲେଜ ଦ୍ୱାରା ଚାଲୁଥିବା ବସ୍ ଗୁଡିକୁ ଯାଞ୍ଚ କରାଯଶଉଛି। ଏଇ ଯାଞ୍ଚ ପ୍ରକ୍ରିୟାର ବୈଧ୍ୟତାହ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅଧିକାଂଶ ବସ୍ ଓ ସ୍କୁଲ ମାଲିକ ମଧ୍ୟ ଏଇ ଯାଞ୍ଚ ପ୍ରକ୍ରିୟାକୁ ଆସିଲେ ନାହିଁ। କେବଳ ସେତିକି ନୁହେଁ, ଅନେକ ଅସୁରକ୍ଷିତ ଅଟୋରେ ମଧ୍ୟ ସ୍କୁଲ ଛାତ୍ରଛାତ୍ରୀମାନେ ଯାତାୟତ କରୁଛନ୍ତି। ଦଦରା ଅଟୋ ଓ ବେଆଇନ୍ ଭାବେ ଚାଲୁଥିବା ସ୍କୁଲ ବ୍ ପ୍ରତି ଭଦ୍ରକ ଆରଟିଓଙ୍କର ନିଘା ନାହିଁ। ପିଲାଙ୍କ ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ଏଥିପ୍ରତି ନଜର ଆନ୍ଦାଜ୍ କରାନଯିବା ପରିତାପର ବିଷୟ ହୋଇଛି। ଭଦ୍ରକରେ ଆରଟିଓ ଓ ଟ୍ରାଫିକ୍ ପୁଲିସ୍ ସିଷ୍ଟମ୍ ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛି। ଟାଉନ୍ ଭିତରେ କେଉଁ ଗାଡିର ସ୍ପିଡ୍ କେତେ ରହିବା କଥା ତାହା ନିୟନ୍ତ୍ରଣ କରାଯାଉ ନାହିଁ। କେବଳ ଭଦ୍ରକ ଟାଉନ୍ ପୁଲିସ୍ ହେଲମେଟ୍ ଚେକିଂ ପଛରେ ପଡି ନିରୀହ ଗାଁ ଲୋକଙ୍କ ଠାରୁ ମାଲ୍ କମାଇବାରେ ବ୍ୟସ୍ତ। ମୋଟର ସାଇକେଲ୍ ବାଲାଙ୍କ ପଛରେ ପୁଲିସ୍ ଯେମିତି ପଡିଛି। ବଡ ବଡ ଗାଲି ବାଲାଙ୍କ ପଛରେ ପଡିବାର ଦୃଶ୍ୟ ଦେଖାଯାଉନାହିଁ। ସହର ଉପରେ ଟ୍ରାଫିକ୍ କଣ୍ଟ୍ରୋଲ କରିବାରେ ପୁଲିସ୍ ସଂପୂର୍ଣ୍ଣ ଭାବେ ବିଫଳ ହୋଇଥିବାବେଳେ ମୋଟର ସାଇକେଲ୍ ବାଲାଙ୍କୁ ଚେକିଂ କରି ଗତ କିଛିମାସ ହେଲା ନାକେଦମ୍ କଲେଣି। ପୁଲିସ୍ର ଏ କି ପ୍ରକାର ବ୍ୟବସ୍ଥା ବୋଲି ସାଧାରଣରେ ନାକଟେକା ଆଲୋଚନା ହେଉଛି। ବଡ ବଡ ମାଲ୍ ବୁହା ଗାଡି ଓ ହାଇୱା ପରି ମାଲ୍ ବୋଝେଇ ଟ୍ରକ୍କୁ ଜନଗହଳିପୂର୍ଣ୍ଣ ସହର ଭିତରକୁ ଟ୍ରାଫିକ୍ବାଲା ଛାଡି ଦେଉଛନ୍ତି। ଏ କେଉଁ ନ୍ୟାୟରେ ହେଉଛି ବୋଲି ହେଉଛି ଚର୍ଚ୍ଚା। ସେହିପରି ସହର ଭିତରେ ଚାଲୁଥିବା ଅଟୋରିକ୍ସା ଗୁଡିକର ଟାଉନ୍ ଭିତରେ କେତେ ସ୍ପିଡ୍ରେ ଚାଲିବ, ତାହା ଉପରେ ମଧ୍ୟ ଅଂକୁଶ ଲଗାଯିବାର ଆବଶ୍ୟକତା ରହିଛି ବୋଲି ଲୋକମାନେ ଦାବି ଉଠାଇଛନ୍ତି। ପାଦଚଲା ଲୋକ, ସାଇକେଲ୍ ଚାଳକ ଓ ସ୍କୁଲ ପିଲାମାନଙ୍କର ଯିବାଆସିବା ରାସ୍ତାରେ ଗାଡି ମୋଟର କେତେ ସ୍ପିଡ୍ରେ ଚାଲିବ, ସେ ନେଇ ଏକ ସ୍ୱତନ୍ତ୍ର ଟ୍ରାଫିକ୍ ପୁଲିସ୍ ନିୟମ ଓ ଆରଟିଓଙ୍କର ନିୟମ ରହିବା ଉଚିତ୍। କେତେ ବର୍ଷ ହୋଇଥିଲେ ସେହି ଗାଡିଗୁଡିକ ଆଉ ରାସ୍ତାରେ ଯାତ୍ରୀ ନେଇ ଯାତାୟତ କରିପାରିବ ନାହିଁ। ସେ ବିଷୟରେ ମଧ୍ୟ ସ୍ପଷ୍ଟ ନିୟମ କରାଯିବା ସହ ଖରାପ ଗାଡିଗୁଡିକୁ ଆଉ ରାସ୍ତାରେ ଚାଲିବା ପାଇଁ ପରମିଟ୍ ନଦେବା ଉଚିତ୍। ଭଦ୍ରକ ସହର ଏକ ଜନଗହଳିପୂର୍ଣ୍ଣ ସହର ହୋଇଥିବାବେଳେ ଭଦ୍ରକ କଲେଜ ରୋଡ୍, ଭଦ୍ରକ ଜିଲାସ୍କୁଲ, ବାଳିକା ହାଇସ୍କୁଲ, ଏନ୍ସି ହାଇସ୍କୁଲ, ବାଗୁରାଇ ହାଇସ୍କୁଲ, ସନ୍ସାଇନ୍ ମିଶନ ସ୍କୁଲ, ଏସ୍ବିଡି, ଏନ୍ଆରଆଇ, କେନ୍ଦ୍ରୀୟ ବିଦ୍ୟାଳୟ, ମଦର୍ସ ସ୍କୁଲ, ରୟାଲ କଲେଜ, ବିନାୟକ କଲେଜ, ଚରମ୍ପା କଲେଜ, ଭଦ୍ରକ ମହିଳା କଲେଜ ଭଳି ଅନେକ ରାସ୍ତାକଡ ସ୍କୁଲ କଲେଜ ଏରିଆରେ ସ୍ୱତନ୍ତ୍ର ସ୍କୁଲ ଜୋନ୍ ଭାବେ ଘୋଷଣା କରିବା ସହ ଏଇ ଅଂଚଳରେ ମୋଟର ସାଇକେଲ୍ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗାଡିର ସ୍ପିଡ୍ ନିୟନ୍ତ୍ରଣ କରାଯାଉ ବୋଲି ଦାବି ହୋଇଛି। ସେହିପରି ଭଦ୍ରକ ସହରର ମୁଖ୍ୟ ରାସ୍ତା ଉପରେ ଟ୍ରାଫିକ୍ ଜାମ୍ କରାଯାଉଥିବାବେଳେ ଗୋରୁଗାଈ ରାସ୍ତା ଉପରେ ଶୋଇ ରହିବାରୁ ଦିନ ବେଳା କଚେରୀ ରାସ୍ତାରେ ଯାତାୟତ କରିବା କଷ୍ଟକର ହୋଇଛି। ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ବି ଯାଇପାରୁନାହିଁ। ଏଥିପାଇଁ ଦାୟୀ କିଏ। ଏ ଦିଗରେ କିଏ ସଜାଗ ହେଲେ ସବୁ ଠିକ୍ ହୋଇଯିବ ବୋଲି ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top