ଥାନାକୁ ଯାଉନି ସାବରଙ୍ଗ ଓ କେନ୍ଦୁଆପଦା ଫାଣ୍ଡି ଅଢେଇ ଲକ୍ଷ ଲୋକଙ୍କ ଚାପରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଣନିଃଶ୍ୱାସୀ

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜିଲାର ସବୁଠାରୁ ବଡ ଭଦ୍ରକ ଗ୍ରାମାଞ୍ଚଳ ଥାନାଟି ଅପରାଧ ପ୍ରବଣ ହୋଇପଡିଛି। ଏହି ଥାନା ଅଧୀନରେ ଥିବା ଅତି ଦୂରବର୍ତ୍ତୀ ଅଂଚଳ ଗୁଡିକରେ ଘଟୁଥିବା ଅପରାଧ ଗୁଡିକ ନିୟନ୍ତ୍ରଣ କରିବାରେ ପୁଲିସ୍ର ଉଦ୍ୟମ ବିଫଳ ହୋଇପଡିଛି। ଏହାର ପରିସୀମା ଅଂଚଳ ବ୍ୟାପକ ହେବା ସାଙ୍ଗକୁ ଆବଶ୍ୟକ କର୍ମଚାରୀ ଅଭାବ ଅପରାଧକୁ ପ୍ରୋତ୍ସାହନ ଯୋଗାଉଛି। ଏହି ଥାନାର ପରିସରକୁ କମାଇ ଏହାର ଅଧୀନରେ ଥିବା ସାବରଙ୍ଗ ଓ କେନ୍ଦୁଆପଦା ଫାଣ୍ଡିକୁ ଉନ୍ନତୀ କରଣ କରାଇ ୨ଟି ଥାନା ପ୍ରତିଷ୍ଠା ପାଇଁ ୨୦୧୪ ରେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ସରକାରଙ୍କ ନାଲିଫିତା ତଳେ ଚାପି ହୋଇରହିଯାଇଛି। ଏହି ଥାନାଟିର ଅପରାଧ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ରାଜନେତା ମାନେ ମଧ୍ୟ ଏହି ପ୍ରସ୍ତାବକକୁ ଏଡାଇ ଚାଲିଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଅଧୀନରେ ଥିବା କେନ୍ଦୁଆପଦା, ସାବରଙ୍ଗ ଓ ଗୁଜିଦରଡା ୩ଟି ଫାଣ୍ଡି ରହିଛି। ଏହି ଥାନାଟି ୩୭ ଟି ପଂଚାୟତ ୧୯୮ ଟି ଗ୍ରାମକୁ ନିୟନ୍ତ୍ରଣ କରୁଛି। ଯାହାର ଜନସଂଖ୍ୟା ୨ ଲକ୍ଷ ୫୪ ହଜାର ୪୪। ଏହା ବ୍ୟତୀତ ଅପରାଧ ନିୟନ୍ତ୍ରଣ କ୍ଷେତ୍ର ହେଲା ୩୯୦.୪୬ ବର୍ଗକିଲୋମିଟର। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ସାବରଙ୍ଗ ସାମ୍ପ୍ରଦାୟିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଅତି ସମ୍ବେଦନଶୀଳ। ଅପରାଧ ସଂଖ୍ୟା ବୃଦ୍ଧି ଓ ସାମ୍ପ୍ରଦାୟିକ ସମ୍ବେଦନଶୀଳତା ଦୃଷ୍ଟିରୁ ଏହି ଦୁଇଟି ଫାଣ୍ଡିର ଉନ୍ନତୀକରଣ ପାଇଁ ପ୍ରଶାସନ ପକ୍ଷରୁ ଗତ ତା ୧୧.୦୮.୧୪ ରିଖରେ ଚିଠି ନଂ ୧୧୩୪ ରେ ପ୍ରସ୍ତାବ ଦିଆଯାଇଥିଲା। ଅପରପକ୍ଷରେ ଏହି ୨ଟି ଫାଣ୍ଡିର ଅପଗ୍ରେଡସନ (ଉନ୍ନତୀ କରଣ) କରାଗଲେ ୨ଟି ପ୍ରସ୍ତାବିତ ଥାନା ଅଧୀନରେ ୧୫ ଟି ପଂଚାୟତର ୭୫ ଟି ଗାଁ ରହିବା ପାଇଁ ଜିଲା ପୁଲିସ୍ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହି ଦୁଇଟି ଫାଣ୍ଡି ଭଦ୍ରକ ଗ୍ରାମାଞ୍ଚଳ ଥାନା ଠାରୁ କେନ୍ଦୁଆପଦା ୨୦ କିମି ଓ ସାବରଙ୍ଗ ୧୫ କିମି ଦୂରରେ ଅବସ୍ଥିତ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ବଣିଆ ଓ ଚଣ୍ଡିଗାଁ ୨ ଟି ପଂଚାୟତ ହେଡ୍କ୍ୱାର୍ଟର ଠାରୁ ଯଥାକ୍ରମେ ୯ ଓ ୫ କିମି ଦୂରରେ ଅବସ୍ଥିତ। ଏହି ୨ ଟି ପଂଚାୟତ ପ୍ରସ୍ତାବିତ ସାବରଙ୍ଗ ଥାନାର ନିକଟବର୍ତ୍ତୀ ହେବ। ପ୍ରକାଶଯୋଗ୍ୟ ବଣିଆ ପଂଚାୟତ ଗ୍ରାମାଞ୍ଚଳ ଥାନାଠାରୁ ୯ କିମି ଦୂର। ଏହି ପଂଚାୟଚର ୪ଟି ଗ୍ରାମର ଲୋକସଂଖ୍ୟା ୪୬୮୩। ସେହିପରି ୫ କିମି ଦୂରରେ ଥିବା ଚଣ୍ଡିଗାଁ ର ଜନସଂଖ୍ୟା ୯୩୧୦। ପ୍ରସ୍ତାବିତ ସାବରଙ୍ଗ ଥାନା ଅଧୀନରେ ସାବରଙ୍ଗ, ଏରଡା, ସାହାଡା, କେଦାରପୁର, ବରହମପୁର, ବଣିଆ ଓ ଚଣ୍ଡିଗାଁ ୭ଟି ପଂଚାୟତର ୩୬ ଟି ଗାଁର ୪୯୯୨୫ ଲୋକଙ୍କୁ ଜନସାଧାରଣଙ୍କୁ ନ୍ୟାୟ ଦେବା ସହ ୧୧ ବର୍ଗ କିଲୋମିଟର କ୍ଷେତ୍ର ନିୟନ୍ତ୍ରଣ କରିବ ବୋଲି ସରକାରଙ୍କ ଦିଆଯାଇଥିବା ପ୍ରସ୍ତାବରେ ଦର୍ଶାଯାଇଛି। ସେହିପରି ପ୍ରସ୍ତାବିତ ଦର୍ଶାଯାଇଛି। ସେହିପରି ପ୍ରସ୍ତାବିତ କେନ୍ଦୁଆପଦା ଥାନା ଅଧୀନରେ ୮ଟି ଗ୍ରାମପଞ୍ଚାୟତର ୩୯ ଟି ଗ୍ରାମ ରହିବା ସହ ୨୦ ବର୍ଗ କିଲୋମିଟର କ୍ଷେତ୍ର ନିୟନ୍ତ୍ରଣ କରିବ ବୋଲି ପ୍ରସ୍ତାବରେ ଦର୍ଶାଯାଇଛି। ଏହାବ୍ୟତୀତ କେନ୍ଦୁଆପଦା ଫାଣ୍ଡି ଅଂଚଳ କେଉଁଝର ଜିଲା ସୀମା ଉପକଣ୍ଠ ହୋଇଥିବାରୁ କେଉଁଝର ଜିଲାର ଅପରାଧୀ କରିଥାନ୍ତି। ପୁଲିସ୍ ବିଭାଗର ସୂଚନାଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୨୦୧୧ ରେ ୫୧୮ ଟି ମାମଲା ରୁଜୁ ହୋଇଥିଲାବେଳେ ୧୨-୪୬୦, ୧୩-୪୬୦, ୧୪-୫୨୦, ୧୫-୭୭୬, ୧୬-୭୨୫ ଓ ୨୦୧୭ ମସିହାରେ ୭୦୫ ଟି ମାମଲା ରୁଜୁ ହୋଇଛି। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ୨ଟି ଫାଣ୍ଡିର ଉନ୍ନୀତକରଣ ପାଇଁ ସରକାର ଗୁରୁତ୍ୱ ଦେବାକୁ ଜିଲାବାସୀଙ୍କ ତରଫରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *