ଥମୁନି ଚାଷୀ ଆତ୍ମହତ୍ୟାର ଧାରା : ବରଗଡରେ ୫୦ ଦିନରେ ୧୨ ଚାଷୀ ଜୀବନ ହାରିଲେ

ବରଗଡ, ୧୬/୧୨ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- – ରାଜ୍ୟରେ ଚାଷୀ ମୃତ୍ୟୁ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅର୍ଦ୍ଧାଧିକ ଜିଲାରେ ଉଜୁଡ଼ା ଫସଲକୁ ଦେଖି ଚାଷୀ ପ୍ରମାଦ ଗଣୁଛନ୍ତି। ବର୍ଷକର ଫସଲ ନଷ୍ଟ ହେବା ପରେ ସେମାନେ ଆଉ ଦମ୍ଭ ଧରିବା ଅବସ୍ଥାରେ ନାହାନ୍ତି। ବଞ୍ଚିବାର ରାହା ନପାଇ ମାନସିକ ଚାପରେ ପଡ଼ି ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ସାରା ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢ଼ି ଚାଲିଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରଚାରିତ ହେଉଛି। ମରୁଡ଼ିଜନିତ କାରଣରୁ ଚାଷୀ ହତାଶ ହୋଇ ଆତ୍ମହତ୍ୟା କରୁଛି। ତେବେ ଏଥିରୁ କିପରି ଚାଷୀକୁ ନିବୃତ୍ତ କରାଯିବ, ତାହା ରାଜ୍ୟବାସୀଙ୍କ ସମ୍ମୁଖରେ ବଡ଼ ପ୍ରଶ୍ନ ହୋଇଥିବା ବେଳେ ସରକାର କିନ୍ତୁ ଏହାକୁ ସ୍ୱୀକାର କରିବାକୁ ନାରାଜ। ଚାଷୀ ଆତ୍ମହତ୍ୟାର ଏହି ଧାରାରେ ପୁଣି ଥରେ ଯୋଡି ହୋଇଯାଇଛି ଆଉ ଜଣେ ଚାଷୀଙ୍କ ବିଫଳ କାହାଣୀ। ବରଗଡ଼ ଜିଲ୍ଲାରେ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଭାଲୁପାଲି ଗ୍ରାମର ଅତାବିରା ବ୍ଲକ୍‌ର ଉମେଶ ଜଗଦଲା କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଗତ ଗୁରୁବାର ବିଷପାନ କରିବା ପରେ ଅସୁସ୍ଥ ହୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଉମେଶ ନିଜର ୨ ଏକର ଜମି ଓ ଅନ୍ୟ ଲୋକଙ୍କ ୪ଏକର ଜମି ଭାଗରେ ଆଣି ଧାନ ଚାଷ କରିଥିଲେ। ଚକଡା ପୋକ ଓ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଫସଲହାନୀ ହେବାରୁ ସେ ଭୀଷଣ ଚିନ୍ତାରେ ଥିଲେ ବୋଲି ତାଙ୍କ ସାନ ଭାଇ ସୂର୍ଯ୍ୟଭାନୁ ଜଗଦଲା କହିଛନ୍ତି। ଏହି ଘଟଣାରେ ତାଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକମାନେ ଅତାବିରା ବ୍ଲକ୍‌କାର୍ଯ୍ୟାଳୟ ସମୟରେ ମୃତକଙ୍କ ଶବ ରଖି କ୍ଷତିପୂରଣ ଦାବି କରିଥିଲେ। ଉମେଶ ଜଗଦଲାଙ୍କୁ ମିଶାଇ ବରଗଡ ଜିଲ୍ଲାରେ ଗତ ୫୦ ଦିନରେ ୧୨ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *