ତୁରୁମୁଙ୍ଗା ୫-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକରେ ଥମୁନି ଦାଦନର ଦୁଃଖ। ପାଟଣା ବ୍ଲକରେ ଦାଦନର କରୁଣ ଚିତ୍ର ବାରମ୍ବାର ପଦାକୁ ଆସୁଥିଲେ ମଧ୍ୟ ଉଭୟ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡା ଗ୍ରାମର ଧନେଶ୍ୱର ନାଏକ ୨୫ ଙ୍କର ମୃତଦେହ ବେଙ୍ଗାଲୁର ରେଲୱେ ପୋଲିସ ଜାନୁଆରୀ ୨୩ ରେ କରେନାଲାମ ଓ ଇଲାଲେଗି ଷ୍ଟେସନ ମଧ୍ୟରେ ଥିବା ରେଲୱେ ଧାରଣା ପାର୍ଶ୍ଵରୁ ଉଦ୍ଧାର ହୋଇଥିଲା। ଉଦ୍ଧାର ହେବାର ଏକ ମାସ ପରେ ପୁଣି ଚାଖୁଣ୍ଡାପାଳ ପଞ୍ଚାୟତର ଶରଧାପୁର ଗ୍ରାମର ଜଣେ ଶ୍ରମିକ ଭରତ ଚନ୍ଦ୍ର ନାଏକ ୪୨ କାମ ଧନ୍ଦା ଅନ୍ୱେଷଣ ସେହି ଗ୍ରାମର ଜଣେ ବ୍ୟକ୍ତି ଟୁକୁନା ନାଏକଙ୍କ ସହିତ ଦାଦନ ଖଟିବାକୁ ଗତ ୨୦ ତାରିଖରେ ଭୁବନେଶ୍ୱରରୁ ଟ୍ରେନ ଯୋଗେ ତାମିଲନାଡୁ ଯାଇଥିବା ବେଳେ ୨୩ ତାରିଖ ତାମିଲନାଡୁ ଷ୍ଟେସନରୁ ନିଖୋଜ ହୋଇଯାଇ ଥିଲେ। ସାଙ୍ଗରେ ଯାଇଥିବା ଯୁବକ ଟୁକୁନା ନାଏକ ଘର ଲୋକଙ୍କୁ ଖବର ଦେବା ପରେ ପରିବାର ତରଫରୁ ନିଖୋଜ ଭରତ ଚନ୍ଦ୍ର ନାଏକଙ୍କୁ ଉଦ୍ଧାର ପାଇଁ ପତ୍ନୀ ଅମୃତି ନାଏକ ତୁରୁମୁଙ୍ଗା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଖବର ନେବାରୁ ଜଣାଯାଏ ଯେ ନିଖୋଜ ହୋଇଥିବା ବ୍ୟକ୍ତି ଙ୍କ ଦୁଇ ଝିଅ ଏବଂ ଏକ ପୁଅ ଅଛନ୍ତି ନିଖୋଜ ଖବର ପାଇ ଘରେ କିଛି ଦିନ ଚୁଲି ଜଳି ନଥିଲା। ନିଖୋଜ ଶ୍ରମିକଙ୍କ ଉଦ୍ଧାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି ଏଥି ପ୍ରତି ଜିଲ୍ଲା ଶ୍ରମ ଅଧିକାରୀ ଏବଂ ପ୍ରଶାସନ ଦୃଷ୍ଟି ଜରୁରୀ ହୋଇ ପଡିଛି।