ଓଡ଼ିଶା

ତ୍ୱରିତ ହୋଇପାରୁନି ଜାଗା ଚିହ୍ନଟ ପ୍ରକ୍ରୀୟା ଅଧା ଦରିଆରେ ସ୍ୱାସ୍ଥ୍ୟକେନ୍ଦ୍ର !

ରାଉରକେଲା ୩-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ। ମନୁଷ୍ୟର ସ୍ୱାସ୍ଥ୍ୟ ଠିକ ରହିଲେ ତାର ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବା ସହିତ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ। ମନୁଷ୍ୟ ଫୁର୍ତି ମନରେ ବିଭିନ୍ନ କାମକୁ ସହଜରେ ସମ୍ପାଦନ କରିବା ଲାଗି ଶକ୍ତି ପାଇଥାଏ। ମାତ୍ର ସ୍ୱାସ୍ଥ୍ୟରେ ଅବନତି ଘଟିଲେ ମନୁଷ୍ୟର ଚାଲିଚଳନରେ ବ୍ୟତିକ୍ରମ ଘଟିବା ଲକ୍ଷ୍ୟ କରାଯାଇଥାଏ। ସ୍ୱାସ୍ଥ୍ୟରେ କିପରି ଅତିଶୀଘ୍ର ସୁଧାର ଆଣିବ, ସେହି ଆପ୍ରାଣ ଚେଷ୍ଟାରେ ରହିଥାଏ ବ୍ୟକ୍ତିଜଣଙ୍କ। ଭଲ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉତମ ଚିକିତ୍ସକ ତାହାର ନିତ୍ୟାନ୍ତ ଆବଶ୍ୟକ ପଡେ। ଯାହାକି ବେଳେ ବେଳେ ସହଜରେ ଘର ହାତ ପାହାନ୍ତାରେ ମିଳି ଯାଉଥିବା ବେଳେ, ଅପରପକ୍ଷରେ ଭଲ ଚିକିତ୍ସା ସୁବିଧା ପାଇବା ପାଇଁ ବ୍ୟକ୍ତି ଜଣଙ୍କୁ ବହୁ ପ୍ରକାରର କୁସ୍ତି କସରତ କରି ବାକୁ ପଡିଥାଏ। ଯଦିଓ ରାଉରକେଲା ସ୍ମାର୍ଟ ସିଟି ହୋଇ ସ୍ୱାସ୍ଥ୍ୟ ସେବାରେ କିଛିଟା ଆଖିଦୃଶିଆ ସୁଧାର ହୋଇ ପାରିଛି। ତଥାପି ଆଜି ବି ସ୍ୱାସ୍ଥ୍ୟସେବାର ଚିତ୍ର ଦକ୍ଷିଣ ରାଉରକେଲାରେ ଅସ୍ପଷ୍ଟ ହେଲା ଭଳି ମନେ ହେଉଛି। ଦକ୍ଷିଣ ରାଉରକେଲା ସାରନଗରୀରେ ସେଲ ପରିଚାଳିତ ଏକ ହସ୍ପିଟାଲ ରହିଥିବା ବେଳେ, ସେଥିରେ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ନଥିବାରୁ ରୋଗୀ ମାନେ ସ୍ୱାସ୍ଥ୍ୟସେବା ଠିକ ଭାବରେ ପାଇ ପାରୁନଥିବା ଆଲୋଚନା ହେଉଛି। ସେହିପରି ଦକ୍ଷିଣ ରାଉରକେଲାର ବାଲିଯୋଡି ଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଇଏସଆଇ ଡିସପେନସରୀ ରହିଛି। ଏହି ଦୁଇଟି କେନ୍ଦ୍ରରେ ଛୋଟ ରୋଗ ଯେପରି ଜ୍ୱର, କାଶ, ଥଣ୍ଡା, ତରଳ ଝାଡାର ପ୍ରାଥମିକ ଚିକିତ୍ସା କରାଯାଉଥିଲେ ସୁଦ୍ଧା ଅନ୍ୟ ରୋଗ ତଥା ହସ୍ପିଟାଲରେ ଭର୍ତି ହେବାର କୌଣସି ସୁବିଧା ନଥିବାରୁ ରୋଗୀ ମାନଙ୍କୁ ହତାଶର ସମ୍ମୁଖୀନ ହେବାକୁ ପଡୁଛି। ସମୟ ସମୟରେ ଏହି ଦୁଇଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅଭାବ ମଧ୍ୟ ପରିଲିକ୍ଷିତ ହେବା ସହ ଜରୁରୀ ଔଷଧ ମିଳୁ ନଥିବା ବାରମ୍ବାର ରୋଗୀ ମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି। ସାରନଗରୀ, ଜଲଦା, ହାତୀବନ୍ଧା, ଧରମଡିହି, ନୟାଡେରା, ସୁଇଡିହି ଆଦିର ବାସିନ୍ଦା ଏହା ଉପରେ ନିର୍ଭର କରିଥାନ୍ତି। ରୋଗୀ ମାନେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଏଠାରୁ ପ୍ରାୟ ୧୫ କିମି ଦୂର ରାଉରକେଲା ସରକାରୀ ହସ୍ପିଟାଲକୁ ଅଯଥାରେ ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡୁଛି। ଦକ୍ଷିଣ ରାଉରକେଲା ତଥା ସାରନଗରୀ ଭଳି ଜନବହୁଳ ଅଂଚଳରେ ଏଯାଏ ସରକାରଙ୍କ ପକ୍ଷରୁ ୫୦ ଶଯ୍ୟା ବିଶିଷ୍ଟ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ପିଏଚସି) ସ୍ଥାପନ ହୋଇ ପାରିନାହିଁ। ଯଦିଓ ଏହାପାଇଁ ୭୭ ଲକ୍ଷ ଅନୁଦାନ ମଂଜୁର ହୋଇଛି, ଅଂଚଳରେ ଜାଗା ଚିହ୍ନଟ ଅଭାବରୁ କାର୍ଯ୍ୟ ଏଯାଏ ନିର୍ମାଣ କାର୍ଯ୍ୟ ହୋଇ ପାରିନାହିଁ। ପ୍ରକାଶ ଥାଉକି, ଆଜିକୁ ପ୍ରାୟ ଏକ ବର୍ଷ ପୂର୍ବେ ଦକ୍ଷିଣ ରାଉରକେଲା ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସହରାଚଂଳ ସ୍ୱାସ୍ଥ୍ୟସେବା ମିଶନ ପାଣ୍ଠିରୁ ୭୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୫୦ ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠାକୁ ନେଇ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ସ୍ପଷ୍ଟ ବାରି ହୋଇ ପଡିଥିଲା। ବିଭିନ୍ନ ଅଂଚଳର ବାସିନ୍ଦା ନିଜ ନିଜ ଅଂଚଳରେ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେଉ ବୋଲି ଅଡି ବସିବାରୁ ସେତେବେଳେ ଏହି ଘଟଣା ରାଜନୈତିକ ମୋଡ ଆଡକୁ ଗତି କରିଥିଲା। ପ୍ରଥମରେ ସ୍ୱାସ୍ଥ୍ୟକେନ୍ଦ୍ର କନଷ୍ଟ୍ରକସନ କଲୋନୀ ଠାରେ କରିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ, ବିଭିନ୍ନ କାରଣରୁ ଏହାକୁ ବାତିଲ କରାଯାଇଥିଲା। ଅପରପକ୍ଷରେ ନବକୃଷ୍ଣନଗର, ବାଲିଯୋଡି, ଭଂଜ କଲୋନୀ, କାଳୀ ମନ୍ଦିର, ଗୋପବନ୍ଧୁନଗର ଆଦି ରାଉରକେଲା ମହାନଗର ନିଗମର ଅନ୍ତର୍ଭୁକ୍ତ ହୋଇଥିବାରୁ ସେଠାରେ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଉ ବୋଲି ଅଂଚଳବାସୀ ଦାବି କରିଥିଲେ। ଫଳସ୍ୱରୂପ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପୂର୍ବରୁ ବିବାଦର ଶୁଭାରମ୍ଭ ହୋଇ ଏଥିରେ ବିରାମ ପଡିଥିଲା। ଅପରପକ୍ଷରେ ଏକବର୍ଷ ବିତିଯାଇଥିଲେ ସୁଦ୍ଧା ଦକ୍ଷିଣ ରାଉରକେଲା ସାରନଗରୀରେ ସ୍ୱାସ୍ଥ୍ୟକେନ୍ଦ୍ରର ଭିତି ପ୍ରସ୍ତର ମଧ୍ୟ ପଡି ପାରିନଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଦକ୍ଷିଣ ରାଉରକେଲା ଅଂଚଳକୁ ଆସିଥିବା ବେଳେ ଏଠାକାର ଦକ୍ଷିଣ ରାଉରକେଲା ଯୁବ ମଂଚ ପକ୍ଷରୁ ସମାଜସେବୀ ଅକ୍ଷୟ ପ୍ରହରାଜଙ୍କ ନେତୃତ୍ୱରେ ବହୁ ଯୁବକ ସ୍ୱାସ୍ଥ୍ୟକେନ୍ଦ୍ର ଦକ୍ଷିଣ ରାଉରକେଲାରେ ତୁରନ୍ତ ପ୍ରତିଷ୍ଠା କରାଯାଉ ବୋଲି ଦାବି କରିବା ସହିତ ଏକ ସ୍ମାରକପତ୍ର ମନ୍ତ୍ରୀ ଶ୍ରୀ ଜେନାକୁ ପ୍ରଦାନ କରିଥିବା ଜଣାପଡିଛି। ଜାଗା ଚିହ୍ନଟ ଅଭାବରୁ ସାରନଗରୀରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ଅଧା ଦରିଆରେ ଅଟକିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେବାର ସ୍ଥାୟୀ ସମାଧାନ ପାଇଁ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ, ସମାଜସେବୀ ତଥା ବରିଷ୍ଠ ନାଗରିକଙ୍କ ମତାମତ ନିଆଯିବା ଜରୁରୀ ବୋଲି ମତପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top