ଓଡ଼ିଶା

ତ୍ରୁଟିପୂର୍ଣ୍ଣ ସୁଇସ୍ ଗେଟ୍ ନିର୍ମାଣ ଲୁଣାପାଣି ପଶିବା ଆଶଙ୍କାରେ ୪ ପଂଚାୟତର ଚାଷୀ ଆତଙ୍କିତ

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚାଷୀଙ୍କୁ ନଦୀଜଳରୁ ଜଳସେଚନ ପାଇଁ ସୁଇସ୍ ଗେଟ୍ ନିର୍ମାଣ କଲେ ସରକାର। ହେଲେ ତ୍ରୁଟିପୂର୍ଣ୍ଣ ଏହି ଗେଟ୍ ନିର୍ମାଣ କରାଯାଇଥିବା ଅଭିଯୋଗ ଆଣି ଲୁଣାପାଣି କ୍ଷେତକୁ ପଶିବା ଆଶଙ୍କା କରିଛନ୍ତି ଚାରି ପଂଚାୟତର ଶତାଧିକ ଚାଷୀ। ଏବଂ ବନ୍ଧାଯାଇଥିବା ନଦୀବନ୍ଧ କାଟିବାରେ ପ୍ରତିବନ୍ଧକ ସାଜିଛନ୍ତି ଚାଷୀମାନେ। ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ମାଧପୁରରେ। ଚାନ୍ଦବାଲି ବ୍ଲକ୍ ସାଳନ୍ଦୀ ନଦୀ ଶାଖା ନଟିଆ ଯୋରରୁ ଚାଷଜମିକୁ ପାଣି ମଡାଇବା ପାଇଁ ସରକାର ନିର୍ମାଣ କଲେ ସୁଇସ୍ ଗେଟ୍। ହେଲେ ଜୁଆର ସମୟରେ ପାଣିର ସ୍ତର ଅଧିକ ରହୁଥିବାରୁ ନିର୍ମାଣ ହୋଇଥିବା ଏହି ଗେଟ୍ଗୁଡିକ ଯଥେଷ୍ଟ ତଳେ ନିର୍ମାଣ ହୋଇଥିବା ନେଇ ଚାଷୀକୂଳ ଆତଙ୍କିତ ହୋଇଛନ୍ତି। ଏହି ଚାଷୀମାନଙ୍କ ମଧ୍ୟରୁ ଶରତ ଦାସ, ଅମୀୟ ଦାସ, ଶ୍ରୀଧର ଦାସ ଓ ବନମାଳୀ ଦାସଙ୍କ ଅଭିଯୋଗ ମୂଳେ ଏହି ତ୍ରୁଟିପୂର୍ଣ୍ଣ ଗେଟ୍ ନିର୍ମାଣ ଯୋଗୁଁ ଜୁଆର ଆସିଲେ ନଦୀପାଣି ସୁଇସ୍ ଗେଟ୍ ଉପର ଦେଇ ପ୍ରବାହିତ ହେବ। ଏଣୁ ସ୍ଥାନୀୟ ଚାଷୀମାନେ ସୁଇସ୍ ଗେଟ୍ ନିର୍ମାଣ ପାଇଁ ନଦୀରେ ନିର୍ମାଣ କରାଯାଇଥିବା ମାଟିବନ୍ଧକୁ କାଟୁନାହାଁନ୍ତି। ଏହି ବନ୍ଧ କାଟିଦେଲେ ସୁଇସ୍ ଗେଟ୍ ମରାମତି ହୋଇପାରିବ ନାହିଁ ବୋଲି ଆଶଙ୍କା କରି ଚାଷୀମାନେ ଏହି ବନ୍ଧକୁ କଟେଇ ଦେଉନାହାଁନ୍ତି। ତେବେ ଚାଷୀମାନଙ୍କ ଅଭିଯୋଗ ମୂଳେ ଏହି ସୁଇସ୍ ଗେଟ୍ ନିର୍ମାଣ ସମୟରେ ସେମାନେ ଠିକାଦାରଙ୍କୁ ଗେଟ୍ର ଉଚ୍ଚତା, ପାଣିସ୍ତର ଠାରୁ ଅଳ୍ପ ବଢାଇବା ନେଇ ବହୁବାର ଅଭିଯୋଗ କରିଥିଲେ। ମାତ୍ର ଠିକାଦାର ସେମାନଙ୍କର ଅଭିଯୋଗ ପ୍ରତି କର୍ଣ୍ଣପାତ କରିନଥିଲେ। ସାଳନ୍ଦୀ ନଦୀର ଶାଖା ଏ ମାଳିସାହି ଯୋର ଉପରେ ମାଧପୁର, ଭୂଇଁବୃତ୍ତି, ମତୋ, ତେନ୍ତୁଳିଡିହି ଭଳି ବହୁ ପଂଚାୟତର ଶତାଧିକ ଚାଷୀ ଧାନଫସଲ ଉପରେ ନିର୍ଭର କରିଥାନ୍ତି। ବିଶେଷକରି ଏହି ସ୍ଥାନରେ କୌଣସି ପୋଲ ନଥିବାରୁ ଲୋକେ ହଇରାଣ ହରକତ ହୋଇଆସୁଛନ୍ତି। ସରକାର ଦୁଇବର୍ଷ ତଳେ ଏଠାରେ ଚାନ୍ଦବାଲି ଜଳସଂପଦ ବିଭାଗ ପକ୍ଷରୁ ସୁଇସ୍-କମ୍-ବ୍ରିଜ୍ ନିର୍ମାଣ କରିଥିଲେ। ମାତ୍ର ବ୍ରିଜ୍ କାମ ସରିଯାଇଥିବାବେଳେ ଚଳିତ ବର୍ଷ ୬୫ ଲକ୍ଷ ଟଙ୍କା ବ୍ୟୟରେ ଚାରିଟି ଲୁହାଗେଟ୍ ଲଗାଯାଇଛି। ମାତ୍ର ପାଣିସ୍ତର ଠାରୁ ସୁଇସ୍ ଗେଟ୍ କମ୍ ଥିବାରୁ ଲୁଣାପାଣି ପଶିଯିବା ଆଶଙ୍କା କରିଛନ୍ତି ଚାଷୀବୃନ୍ଦ। ଏଥିନେଇ ଜଳସଂପଦ ବିଭାଗକୁ ଚାଷୀମାନେ ଲିଖିତ ଅଭିଯୋଗ କରିଥିଲେ ବି ସେମାନଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଂଗୁନାହିଁ ବୋଲି ସେମାନେ ଏ ପ୍ରତିନିଧିଙ୍କୁ କହିଛନ୍ତି। ଏବଂ ଯେଉଁ ଲକ୍ଷ୍ୟରେ ସରକାର ଚାଷୀମାନଙ୍କ ସୁବିଧା ପାଇଁ ସୁଇସ୍ ଗେଟ୍ ନିର୍ମାଣ କରିଥିଲେ, ତାହା ଏବେ ସେମାନଙ୍କ କାର୍ଯ୍ୟରେ ଲାଗି ପାରିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଚାନ୍ଦବାଲି ଜଳସଂପଦ ବିଭାଗର ସହକାରୀ ଯନ୍ତ୍ରୀ ଭରତ ଜାନି ଏ ସଂପର୍କରେ ଚାଷୀଙ୍କ କଥା ବିଚାରକୁ ନିଆଯାଇ ପୁନର୍ବାର ପାଣିସ୍ତର ତଦନ୍ତ କରାଯାଇ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏ ପ୍ରତିନିଧିଙ୍କୁ କହିଛନ୍ତି। ଅନୁରୂପ ଯଦି ଚାଷ କାମ ଆରମ୍ଭରୁ ସୁଇସ୍ ଗେଟ୍ ନିର୍ମାଣ କରାନଯାଏ, ତେବେ ଯୋରରେ ବନ୍ଧା ହୋଇରହିଥିବା ବନ୍ଧରୁ ଜୁଆର ପାଣି ଗାଁ ଗହଳିକୁ ପଶିବାର ଆଶଙ୍କା ଥିବାରୁ ସରକାର ତୁରନ୍ତ ସମାଧାନ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top