ଓଡ଼ିଶା

ତ୍ରୀପୁରା ଏବଂ ବିଜେପୁର ଫଳାଫଳ ପରେ … ବିଜେପି ଓ ବିଜେଡ଼ି ନେତାଙ୍କ ବାକ୍ୟବାଣ ବିନିମୟ

ଭୁବନେଶ୍ୱର ୫-୩ (ଓଡ଼ିଆ ପୁଅ) ବିଜେପୁର ଉପନିର୍ବାଚନରେ ହାରିବା ପରେ କ୍ଷଣିକ ସମୟ ପାଇଁ ହତୋତ୍ସାହିତ ଓଡ଼ିଶା ବିଜେପି ନେତାଙ୍କୁ ତୁରନ୍ତ ଉତ୍ସହ ପ୍ରଦାନ କଲା ତ୍ରୀପୁରା ତଥା ଉତ୍ତରପୂର୍ବ ରାଜ୍ୟ ତିନୋଟିର ନିର୍ବାଚନ ଫଳ। ତା’ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କର ବୟାନ। ଓଡ଼ିଶାରେ କ୍ଷଣିକ ସମୟ ପାଇଁ ଝାଉଁଳି ପଡ଼ିଥିବା ପଦ୍ମକୁ ଜଳ ସିଞ୍ଚନ କରିଥିଲା ତ୍ରୀପୁରାର ଅଦ୍ଭୁତପୂର୍ବ ବିଜୟ।

ରବିବାରଦିନ ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠନେତା ଜୁଏଲ୍ ଓରାମ କହିଲେଯେ, “ତ୍ରୀପୁରାରେ ଆମେ ମାଣିକଙ୍କୁ ପରାସ୍ତ କଲୁ, ନବୀନଙ୍କୁ ବି ପରାସ୍ତ କରିବୁ। ୨୦୧୯ରେ ଓଡ଼ିଶା ଲୋକେ ବିଜେପିକୁ ସମର୍ଥନ ଦେବେ ଏବଂ ଆମେ ସରକାର ଗଢ଼ିବୁ। ଅମିତ ଶାହଙ୍କ ସୁବର୍ଣ୍ଣ ଯୁଗ ମନ୍ତବ୍ୟକୁ କାର୍ଯ୍ୟରେ ପରିଣତ କରିବାକୁ ଆମେ କାର୍ଯ୍ୟ କରୁଛୁ।”

ବିଜେଡ଼ି ନେତା ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ତା’ଙ୍କ ଷ୍ଟାଇଲ୍ ରେ ସେ ଉତ୍ତର ଦେଲେ, କହିଲେ, “ଛତିଶଗଡ଼ ଜରିଆରେ କେନ୍ଦ୍ର ମହାନଦୀ ପାଣି ଦେଉ ନାହିଁ, ପାଣି ତ ନାହିଁ; ପଦ୍ମ ଫୁଟିବ କେଉଁଠି?”

ବିଜେପୁର ନିର୍ବାଚନ ଫଳ ଉପରେ ଜୁଏଲ କହିଲେ, “ବିଜେପୁରରେ ହାରିଛୁ କିନ୍ତୁ ମରିନାହୁଁ, କଂଗ୍ରେସ ଓ ବିଜେଡି ଆପୋସ ଫିକ୍ସିଂ କଲେ, ବିଜେପୁରରେ ଜିଣା ଭୋଟ ନୁହେଁ, କିଣା ଭୋଟ କାମ କଲା।”

ଅପର ପକ୍ଷରେ କିଣା ଭୋଟ୍‌ରେ ବିଜେଡି ଜିତିବା ନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଅଭିଯୋଗ ଉପରେ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ- “ଆମର SBI ହେଲେ ତାଙ୍କର RBI; ଆମେ ଯେଉଁଠି ୫ ଶହ ଦେଉଛୁ, ସେମାନେ ୨ ହଜାର ଦେଉଛନ୍ତି।”

ଜୁଏଲଙ୍କ ମନ୍ତବ୍ୟ ଉପରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଲେ: “ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଉପନିର୍ବାଚନରେ ବିଜେପି ହାରିଛି, ନଭେମ୍ବରରେ ହେବାକୁ ଥିବା କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରୁ, ତା ପରେ ଓଡ଼ିଶା କଥା ଚିନ୍ତା କରିବ।”

ଅମିତ ଶାହାଙ୍କ ଓଡ଼ିଶା ଦଖଲ ମନ୍ତବ୍ୟ ପ୍ରସଙ୍ଗ ନେଇ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ- “ବିଜେପୁରରେ ଯାହା ହେଲା, ୨୦୧୯ ଓଡ଼ିଶାରେ ତାହା ହେବ;ନବୀନ ପଟ୍ଟନାୟକ ଜିତି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ।” ସୂଚନାଯୋଗ୍ୟଯେ, ତ୍ରୀପୁରାରେ ବିଜେପିର ଅଦ୍ଭୂତପୂର୍ବ ବିଜୟ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶନିବାର ଦିନ ୨୦୧୯ରେ ଓଡ଼ିଶାରେ ବିଜେପି ସରକାର ଗଢିବ ବୋଲି ପରୋକ୍ଷ ଇସାରାରେ ଦୃଢ଼ୋକ୍ତି ଦର୍ଶାଇ ଗଣମାଧ୍ୟମକୁ କହିଥିଲେଯେ, ଓଡ଼ିଶା ବଙ୍ଗାଲ, କେରଳରେ ଆମର ସରକାର ଯେଉଁ ପର୍ଯ୍ୟନ୍ତ ବନିନାହିଁ ସେ ପର୍ଯ୍ୟନ୍ତ ସୁବର୍ଣ୍ଣଯୁଗ ଆସିନାହିଁ।

ଏହି ପରିପ୍ରେକ୍ଷୀରେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଦନ ସିଂହଦେଓ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତିଯେ, ସଂଗଠନକୁ ନେଇ ନିର୍ବାଚନ ଲଢ଼ିବୁ, ମିଶନ୧୨୦ ସଫଳ ହେବ, ୨୦୧୯ରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ। କନକବର୍ଦ୍ଦନ ସିଂହଦେଓଙ୍କ ମନ୍ତବ୍ୟ ଉପରେ ପ୍ରଦୀପ ମହାରଥୀ ମଧ୍ୟ କଟାକ୍ଷ କରିଛନ୍ତି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିଯେ, “ବିଜେପିର ଆଶା ଆଶାରେ ରହିଯିବ, କାଲି (ଶନିବାରଦିନ) କହିଥିଲି ଆଜି ବି କହୁଛି ଆମର ହିରୋ ନବୀନ, ବିଜେପି 12 କିମ୍ବା 20ଟି ଆସନରେ ଜିତିବ।”

ଜୁଏଲଙ୍କ ମନ୍ତବ୍ୟ ଉପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ନିଜର ପ୍ରତିକ୍ରିୟା ଗଣ ମାଧ୍ୟମକୁ ଦେଇଛନ୍ତି ସେ କହିଛନ୍ତିଯେ, “ନିର୍ବାଚନ ଜିତିବା ପରେ ଦଳରେ ଉତ୍ସାହିତ ହେବା ସ୍ୱାଭାବିକ, ଜନମତ ସବୁବେଳେ ଗୋଟିଏ ଦଳ ସପକ୍ଷରେ ଯିବ ବୋଲି ଭାବିବା ଭୁଲ୍। “

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top