ତ୍ରିପୁରାରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟୀତ୍ୱ ମିଳିଥିବାରୁ କେନ୍ଦ୍ର ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଲା ରାଜ୍ୟ ବିଜେପି

– ସମ୍ବର୍ଦ୍ଧନା ଜଣାଇଲେ ବିଧାୟକ ଦଳ ନେତା କେ.ଭି.ସିଂହଦେଓ
– ବିଜେପୁରବାସୀ ବିଜେପିକୁ ଗତ ନିର୍ବାଚନ ଅପେକ୍ଷା ଚଳିତ ଉପନିର୍ବାଚନରେ ଦୁଇଗୁଣା ଭୋଟ ଦେଇ ବିଜେପି ଉପରେ ଆସ୍ଥା ପ୍ରକଟ କରିଛନ୍ତି : କେ.ଭି.ସିଂହଦେଓ
– ୨୦୧୯ରେ ଓଡିଶାରେ ବିଜେପି ହିଁ କେବଳ ସରକାର କରିବ : କେ.ଭି.ସିଂହଦେଓ

ଭୁବନେଶ୍ୱର, ତା୦୪/୦୩ (ଓଡ଼ିଆ ପୁଅ) : ୨୦୧୩ ମସିହାରେ ତ୍ରିପୁରାରେ ବିଜେପିକୁ କୌଣସି ସିଟ୍ ମିଳିନଥିବାବେଳେ ଚଳିତ ନିର୍ବାଚନରେ ୪୩ଟି ଆସନରେ ବହୁମତ ସହ ସରକାର ଗଢିବା ପାଇଁ ତ୍ରିପୁରାବାସୀ ବିଜେପିକୁ ସୁଯୋଗ ଦେଇଛନ୍ତି। ତ୍ରିପୁରାରର ୨୦ଟି ଆଦିବାସୀ ସିଟ୍ ଗୁଡିକରେ ବିଜେପି ବିଜୟୀ ହୋଇଛି। କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ନିର୍ବାଚନର ପ୍ରଚାର ଦାୟୀତ୍ୱରେ ରହିଥିଲେ। ଆଉ ଏବେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଇଁ ଜୁଏଲ ଓରାମଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟୀତ୍ୱ ମିଳିଛି। ଏହି ଅବସରରେ ବିଧାୟକଦଳ ନେତା ଶ୍ରୀ କେ.ଭି. ସିଂହଦେଓ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା ଦେବା ସହ ଅଭିନନ୍ଦନ ଜଣାଇଛନ୍ତି।

ବିଜେପୁରବାସୀ ବିଜେପିକୁ ପ୍ରତ୍ୟାଖାନ କରିନାହାଁନ୍ତି ବରଂ ଗତ ନିର୍ବାଚନ ଅପେକ୍ଷା ଚଳିତ ଉପନିର୍ବାଚନରେ ଦୁଇଗୁଣା ଭୋଟ ଦେଇ ବିଜେପି ଉପରେ ଆସ୍ଥା ପ୍ରକଟ କରିଛନ୍ତି। ୨୦୧୪ ନିର୍ବାଚନରେ ବିଜେପୁରବାସୀ ବିଜେପିକୁ ୩୦ ହଜାର ଭୋଟ ଦେଇଥିଲେ। ମାତ୍ର ଚଳିତ ଉପନିର୍ବାଚନରେ ଭୋଟର ପରିମାଣ ଦୁଇଗୁଣା ହୋଇଛି। ଚଳିତ ଉପନିର୍ବାଚନରେ ବିଜେପୁରବାସୀ ବିଜେପିକୁ ୬୦ ହଜାର ଭୋଟ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଯେ ବିଜେପୁରବାସୀ ବିକାଶ ପଥରେ ଆଗେଇବାକୁ ପ୍ରସ୍ତୁତ ଅଛନ୍ତି। ସେହିପରି ଗତ ନିର୍ବାଚନରେ ବିଜେପୁରରେ କଂଗ୍ରେସ ୫୫ ହଜାର ଭୋଟ ପାଇଥିବାବେଳେ ଉପନିର୍ବାଚନରେ ଅମାନତ ହରାଇ ମାତ୍ର ୧୦ ହଜାର ଭୋଟ ହାତେଇଛି। ଅନ୍ୟପଟେ ୨୦୧୪ ନିର୍ବାଚନରେ ୧ ଲକ୍ଷ ୫୦ ହଜାର ଭୋଟର ନିଜ ମତଦାନ କରିଥିଲେ। କିନ୍ତୁ ଚଳିତ ଉପନିର୍ବାଚନରେ ଭୋଟର ସଂଖ୍ୟା ୨୮ ହଜାର ବୃଦ୍ଧି ପାଇଥିଲା ଏବଂ ସେହି ଭୋଟଗୁଡିକ ଦ୍ୱାରା ବିଜେଡି ଲାଭବାନ ହୋଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ କହିଛନ୍ତି। .

ଗତକାଲି ବିଜେପିର ଐତିହାସିକ ବିଜୟ ପରେ ଦଳର ସଂଗଠନ ବୃଦ୍ଧି ପାଇଛି। ଏଥି ସହ ଆଗାମୀ ଦିନରେ ଓଡିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳରେ ବିଜେପି ସରକାର କରିବ। ତ୍ରିପୁରାରେ ବିଜେପିକୁ ସମର୍ଥନ ଦେବା ଭଳି ଓଡିଶାରେ ମଧ୍ୟ ଆଗାମୀ ଦିନରେ ବିଜେପିକୁ ସାଧାରଣ ଜନତା ସମର୍ଥନ ଦେବେ। ରାଜ୍ୟରେ ୧୨୦ ଟି ସିଟ୍ ଜିତିବା ପାଇଁ ଅମିତ୍ ଶାହା ଯେଉଁ ଟାଗେର୍ଟ ଦେଇଛନ୍ତି ସେଥିଲାଗି ଦଳ କାମ କରୁଛି ଏବଂ ଆଗାମୀ ଦିନରେ ଦଳ ସଂଗଠନକୁ ନେଇ ଆଗକୁ ବଢିବ। ତୃଣମୂଳସ୍ତରରୁ ସଂଗଠନକୁ ମଜବୁତ କରି ଆଗାମୀ ୨୦୧୯ରେ ଓଡିଶାରେ ବିଜେପି ହିଁ କେବଳ ସରକାର କରିବ ବୋଲି ଶ୍ରୀ ସିଂହଦେଓ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପ୍ରଦୀପ ମହାରଥୀଙ୍କ ପ୍ରସଂଗରେ ଶ୍ରୀ ସିଂହ ଦେଓ କହିଛନ୍ତି ଯେ, ପ୍ରଦୀପ ମହାରଥୀଙ୍କ ରାଜନୈତିକ ଜନ୍ମ କେଉଁ ଦଳରେ ହୋଇଥିଲା ସେ ଆଗ ସ୍ପଷ୍ଟ କରନ୍ତୁ। ଯିଏ ନିଜ ମାକୁ ତ୍ୟାଗ କରିପାରିଲା ସେ ଆଗକୁ ଆଉ କେଉଁ ଦଳକୁ ଫେରିବେ ନାହିଁ ବୋଲି କିଏ କହିପାରିବ ବୋଲି ଶ୍ରୀ ସିଂହଦେଓ ପ୍ରଶ୍ନ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *