ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ

ବୌଦ୍ଧ, ୧୦ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ପେଟ୍ରୋଲ ଓ ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବୌଦ୍ଧଜିଲା ବିଜେଡି ପକ୍ଷରୁ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଯୁବ ବିଜେଡି, ଛାତ୍ର ବିଜେଡି ଓ ମହିଳା ବିଜେଡିର ନେତା ଓ କର୍ମୀମାନେ ଏହି ବିକ୍ଷୋଭରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଅପାରଗତା ଯୋଗୁଁ ତୈଳଦର ବୃଦ୍ଧି ଘଟିଥିବା ନେଇ ସମାଲୋଚନା କରିଥିଲେ। ତୈଳଦର ବୃଦ୍ଧି ଯୋଗୁଁ ମାଲ ପରିବହନ ଠାରୁ ଆରମ୍ଭ କରି ସାଧାରଣ ଯାତ୍ରୀ ଭଡା ମହଙ୍ଗା ହେବାରେ ଲାଗିଛି। ଏହାର ପ୍ରଭାବରେ ବଜାରରେ ବିଭିନ୍ନ ସମାଗ୍ରୀର ମୂଲ୍ୟ ବୃଦ୍ଧି ଘଟି ସାଧାରଣ ଖାଉଟି ପାଇଁ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡିଲାଣି। ତେଣୁ ତୈଳଦର ତୁରନ୍ତ ହ୍ରାସ କରାନଗଲେ ବିଜେଡି ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଜିଲା ବିଜେଡିର ସାଧାରଣ ସମ୍ପାଦକ ତଥା ଯୁବ ବିଜେଡି ସଭାପତି ମୃତୁ୍ୟଂଜୟ ମିଶ୍ର, ଜୋନାଲ ସଭାପତି ଅଶୋକ କୁମାର ସାହୁ, ଏନଏସି ଅଧ୍ୟକ୍ଷା ଦିପ୍ତିପ୍ରଭା ସ୍ୱାଇଁ, ଜିଲା ଛାତ୍ର ବିଜେଡି ସଭାପତି ସଂଗ୍ରାମ କେଶରୀ ଦାସ ପ୍ରମୁଖ ବିଭିନ୍ନ ପେଟ୍ରୋଲ ପମ୍ପ ଠାରେ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ। ସେହିପରି ବ୍ଲକସ୍ତରରେ ବ୍ଲକ ବିଜେଡି ସଭାପତି ମାନେ ବିକ୍ଷୋଭର ନେତୃତ୍ୱ ନେଇଥିଲେ। ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ଏହି ବନ୍ଦରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *