ତୈଳ ଦର ବୃଦ୍ଧିକୁ ନେଇ ବିଜେଡିର ହୀନ ରାଜନୀତି ଦୁର୍ଭାଗ୍ୟଜନକ – ରାଜ୍ୟ ବିଜେପି ଉପସଭାପତି ବିଷ୍ଣୁ ସେଠୀ, ଜିଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ପେଟ୍ରୋଲ, ଡିଜେଲ୍ର ବର୍ଦ୍ଧିତ ମୂଲ୍ୟକୁ ଆଧାର କରି ଓଡ଼ିଶାରେ ବିଜେଡି ପକ୍ଷରୁ ଯେଉଁ ହୀନ ରାଜନୀତି ସୃଷ୍ଟି କରାଯାଉଛି, ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ଆଜି ଏକ ଜିଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ଉପସଭାପତି ବିଷ୍ଣୁ ସେଠୀ ଗଣମାଧ୍ୟମକୁ କହିଛନ୍ତି। ଜିଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀ ବିଜେଡିର ଏହି ମିଥ୍ୟାରୋପ ଓଡ଼ିଶାର ପ୍ରାୟ ୪ କୋଟିରୁ ଉର୍ଦ୍ଧ୍ୱ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରି ନିର୍ବାଚନୀ ବୈତରଣୀ ପାରି ହେବାକୁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ଏବଂ ବାସ୍ତବରେ ଓଡ଼ିଶାରେ ବିଗତ ୪ ବର୍ଷରୁ ଉର୍ଦ୍ଧ୍ୱ କେନ୍ଦ୍ରରେ ଅବସ୍ଥାପିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ସଫଳତା ବିରୁଦ୍ଧରେ ଏହା ଏକ ଜଘନ୍ୟ ଷଡଯନ୍ତ୍ର ବୋଲି ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲା କମିଟି ଅନୁଭବ କରୁଛି ବୋଲି ସେ ମତବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ପ୍ରତିଛବି କ୍ରମଶଃ ନିସ୍ପ୍ରଭ ହୋଇଆସୁଥିବାର ଅନୁଭବ କରି କେନ୍ଦ୍ରର ବୈମାତୃକ ଭାବର ସ୍ଲୋଗାନ୍ ନିରନ୍ତର ଦେଉଥିବା ବିଜେଡି ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିବାକୁ ଭୁଲିନାହାଁନ୍ତି ବୋଲି ଆକ୍ଷେପ କରିଛନ୍ତି। ସେ ଗଣମାଧ୍ୟମକୁ ଦେଇଥିବା ସୂଚନା ମତେ ଭାରତ ପୃଥିବୀର ଏକମାତ୍ର ଦେଶ, ଯାହାର ଶହେଭାଗରୁ ମାତ୍ର ଦେଶୀୟ ଉତ୍ପାଦନ ୨୦ ପ୍ରତିଶତ। ତେଣୁ ଆନ୍ତର୍ଜାତୀକ ତେଲ ବଜାରର ଉତ୍ଥାପନ, ପତନ ସହ ଭାରତରେ ତୈଳ ଦର ନିର୍ଦ୍ଧାରିତ ହୋଇଥାଏ। ୨୦୦୫ ମସିହାରୁ ୨୦୧୦ ମଧ୍ୟରେ କେନ୍ଦ୍ରରେ ପ୍ରତିଷ୍ଠିତ କଂଗ୍ରେସ ସରକାର ୧.୪ ଲକ୍ଷ କୋଟି ଟଙ୍କାର ‘ଅଏଲ୍ ବଣ୍ଡ’ ମାଧ୍ୟମରେ ଋଣ କରିଛନ୍ତି। ଏହାର ସୁଧ ମାସିକ ୧୦ ହଜାର କୋଟିରୁ ଅଧିକ। ଚୁକ୍ତି ଅନୁଯାୟୀ ଏହି ଋଣ ୨୦୨୫ ମସିହା ସୁଧା ପରିଶୋଧ କରିବାକୁ ବାଧ୍ୟ। ଅଦ୍ୟାବଧି ଆହୁରି ୧.୩ ଲକ୍ଷ କୋଟି ଋଣ ପରିଶୋଧ ହେବାକୁ ଅଛି। ଅନ୍ୟପକ୍ଷରେ ଭାରତରେ ବିକ୍ରି ହେଉଥିବା ତୈଳଶକ୍ତିରୁ ପ୍ରତ୍ୟେକ ରାଜ୍ୟ ବିନା ଇନ୍ଭେଷ୍ଟମେଣ୍ଟରେ କୋଟି କୋଟି ଟଙ୍କା ମୁନାଫା ଉଠାଇଥାନ୍ତି। ଭାରତ ସରକାରଙ୍କ ପ୍ରଚଳିତ ଆର୍ଥିକ ସୁଧାର ବ୍ୟବସ୍ଥାରେ ରାଜ୍ୟ ମଧ୍ୟରୁ ଓଡ଼ିଶା ଜିଏସ୍ଟିରେ ସାମିଲ୍ ନହୋଇ ଭାଟ୍ ଟିକସ ପଦ୍ଧତିରେ ଲାଭ ଉଠାଉଛନ୍ତି। ଯଦି ଜିଏସ୍ଟିରେ ରାଜ୍ୟ ଅନ୍ତର୍ଭୁକ୍ତ ହୋଇଯାଆନ୍ତା, ତେବେ ପ୍ରଚଳିତ ତୈଳ ଦର ବହୁ ପରିମାଣରେ ହ୍ରାସ ପାଇପାରନ୍ତା। ଏବେ ଭାଟ୍ ଯୋଗୁଁ ରାଜ୍ୟ ସରକାର ଗୋଟିଏ ଲିଟର ତେଲର ଶତକଡା ୨୬ ପ୍ରତିଶତ ଟିକସ ଲଗାଇଥିବା ଯୋଗୁଁ ତୈଳ ଦର ନିୟନ୍ତ୍ରଣ ମଧ୍ୟକୁ ଆସୁନାହିଁ। ସମଗ୍ର ଭାରତରେ ଭାଟ୍ ମାଧ୍ୟମରେ ଉତ୍ତର ପ୍ରଦେଶ ୧୭ %, ଉତ୍ତରାଖଣ୍ଡ ୧୭%, ତ୍ରିପୁରା ୧୩.୫%, ମହାରାଷ୍ଟ୍ର ୨୨%, ଝାଡଖଣ୍ଡ ୨୩%, ମଧ୍ୟପ୍ରଦେଶ ୨୩% ଟିକସ ଲଗାଇଥିବାବେଳେ ଓଡ଼ିଶା ୨୬% ପ୍ରତିଶତ ଟିକସ କାର୍ଯ୍ୟକାରୀ କରିବା କାହାସ୍ୱାର୍ଥରେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଭାରତ ଆନ୍ତର୍ଜାତୀକ ବଜାରରୁ ଗୋଟିଏ ଲିଟର ପେଟ୍ରୋଲ ମାତ୍ର ୪୯.୬୩ ପଇସାରେ କିଣୁଥିବାବେଳେ କେନ୍ଦ୍ରର ଅବକାରୀ ଟିକସ ୧୯.୪୮ ପଇସା ସେଥିରେ ଯୋଡାହୁଏ। ରାଜ୍ୟ ସରକାର ପୁଣି ଭାଟ୍ରେ ୨୬% ପ୍ରତିଶତ ଯୋଡୁଛନ୍ତି। ତେଲପମ୍ପ ମାଲିକ ଲକ୍ଷ ଲକ୍ଷ ଟଙ୍କା ପୁଂଜି ନିବେଶ କରି ମାତ୍ର ଗୋଟିଏ ଲିଟରରେ ୩.୬୨ ପଇସା ପାଉଥିବାବେଳେ ରାଜ୍ୟ ସରକାର ବିନା ନିବେଶରେ ୨୬% ପ୍ରତିଶତ ଟିକସ ବିନିଯୋଗ କରିବା କେତେଦୂର ଯଥାର୍ଥ ବୋଲି ସେ ପ୍ରଶ୍ନ କରିଛନ୍ତି। ପୁନଶ୍ଚ ଅବକାରୀ ଟିକସ କେନ୍ଦ୍ରରୁ ମଧ୍ୟ ରାଜ୍ୟ ସରକାର ୪୨% ଅର୍ଥାତ୍ ୮.୧୮ ପଇସା ପାଉଛନ୍ତି। ତେଣୁ ରାଜ୍ୟ ସରକାର ଏହି ଟିକସ ଛାଡ କଲେ ତେଲର ଦର କାହାକୁ ବାଧନ୍ତା ନାହିଁ ବୋଲି ସେ ସୂଚାଇଛନ୍ତି। ଗୋଟିଲ ଲିଟର ପେଟ୍ରୋଲରୁ କେନ୍ଦ୍ର ସରକାର ୧୧.୩୦ ପଇସା ପାଉଥିବାବେଳେ ରାଜ୍ୟ ସରକାର ୨୩.୬୩ ପଇସା ପାଉଛନ୍ତି। ଏଣୁ ୨୦୧୪-୧୫ ଆର୍ଥିକ ବର୍ଷରେ ଓଡ଼ିଶାର ବିଜେଡି ସରକାର ସର୍ବମୋଟ ତୈଳରୁ ୩୦୪୬ କୋଟି ଟଙ୍କା ଓ ଚଳିତ ବର୍ଷ ୬୯୩୦ କୋଟି ଟଙ୍କା ରାଜସ୍ୱ ପାଇଛନ୍ତି। ଏହା ରାଜ୍ୟ ସରକାରଙ୍କ ଆୟର ମୋଟାମୋଟି ୧୨% ପ୍ରତିଶତ ଅଟେ। ଏଣୁ ଓଡ଼ିଶା ସରକାର ନିଜ ରାଜ୍ୟରେ ୧୨୭% ଟିକସ ତୈଳ କ୍ଷେତ୍ରରେ ବୃଦ୍ଧି କରିଛନ୍ତି, ଏହା ମିଛ କି ସତ ତାହାର ପରିପ୍ରକାଶ ହେବା ଉଚିତ୍ ବୋଲି ସେ ସୂଚାଇବା ସହ ସେମାନେ କେନ୍ଦ୍ରର ବୈମାତୃକ ଭାବ ନେଇ ଯେଉଁ ପ୍ରଶ୍ନ ଉଠାଉଛନ୍ତି, ତାହା କେତେଦୂର ଠିକ୍, ଜନସାଧାରଣ ବିଚାର କରିବେ ବୋଲି ଶ୍ରୀ ସେଠୀ କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ବଦ୍ରିନାରାୟଣ ଧଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦିପ ନାୟକ, ଜିଲ୍ଲା ବିଜେପି ଉପସଭାପତି ଅମ୍ବିକା ଦାସ, ଶରତ ପଢିଆରୀ, ତପନ ମହାନ୍ତି, ଜିଲା କୋଷାଧ୍ୟକ୍ଷ ପ୍ରଦୀପ୍ତ ବିଶ୍ୱାଳ, ସାଧାରଣ ସମ୍ପାଦକ ପ୍ରଭାତ ଜେନା, ଜିଲା ଓବିସି ମୋର୍ଚ୍ଚା ସଭାପତି ବୁଦ୍ଧଦେବ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *