ଓଡ଼ିଶା

ତୈଳର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଭାରତବନ୍ଦ ସମ୍ବଲପୁରରେ ସଫଳ

ସମ୍ବଲପୁର, ୧୦/୯ (ଓଡ଼ିଆ ପୁଅ) – ତୈଳର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଆଜି ଦିଆଯାଇଥିବା ଭାରତ ବନ୍ଦ ଡାକରା ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ସମ୍ପୂର୍ଣ୍ଣ ସଫଳ ହୋଇଛି। ବନ୍ଦକୁ ସ୍ୱତଃସ୍ପୁତଃ ସମର୍ଥନ ମିଳିଥିବା ସହିତ ବନ୍ଦ ଅଭୂତପୂର୍ବ ଥିଲା ବୋଲି ଦର୍ଶାଇ ସମ୍ବଲପୁର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। କଂଗ୍ରେସ ସଦାବେଳେ ଲୋକଙ୍କ ସହିତ ସେମାନଙ୍କର ସୁଖଦୁଃଖରେ ରହିଆସିଛି, ଆଗକୁ ମଧ୍ୟ ରହିଥିବ, ଏଭଳି ପ୍ରତ୍ୟେକ ଜନକଷ୍ଟର ବିଷୟଗୁଡ଼ିକୁ ନେଇ ରାଜରାସ୍ତାକୁ ଓହ୍ଲାଉଥିବ ବୋଲି ଶ୍ରୀ ଗୁରୁ କହିଛନ୍ତି। ବନ୍ଦ ଡାକରା ଯୋଗୁଁ ଆଜି ସମ୍ବଲପୁରରେ ସମସ୍ତ ଦୋକାନ ବଜାର ବନ୍ଦ ଥିବା ସହିତ ଗାଡ଼ିମୋଟର ଚଳାଚଳ କରିନଥିଲା। ବ୍ୟାଙ୍କ, ଡାକଘର, ପେଟ୍ରୋଲ ପମ୍ପ ସମେତ ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିଥିଲା। କଂଗ୍ରେସ କର୍ମୀ ଏବଂ ସମର୍ଥକମାନେ ବିଭିନ୍ନ ଛକରେ ଜଗି ରହିଥିବା ବେଳେ ଦଳ ଦଳ ହୋଇ କର୍ମୀ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ସ୍ଥିତି ଉପରେ ନଜର ରଖିଥିଲେ। ଅଶ୍ୱିନୀ ଗୁରୁ, ଦେବେନ ପତି, ଆସଫ ଅଲ୍ଲୀ ଖାଁ, ରାଜକିଶୋର ଦାସ, ସୁରେଖା ସାହୁ ଓ ଅନ୍ୟାନ୍ୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ସମ୍ବଲପୁର ରେଳ ଷ୍ଟେସନରେ ରେଳରୋକ କରିବା ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସମ୍ବଲପୁର-ପୁରୀ ଏବଂ ସମ୍ବଲପୁର – ରାୟଗଡ଼ା ଟ୍ରେନ୍ ଚାଲିପାରି ନଥିଲା। ଶେଷରେ ସମ୍ବଲପୁର-ପୁରୀ ଇଣ୍ଟରସିଟୀକୁ ଉଭୟ ପଟୁ ବାତିଲ କରାଯାଇଥିଲା। ସମ୍ବଲପୁରରେ ୫ଟା ୫୦ରୁ ୭ଟା ୫୫ ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ରେଳଲାଇନରେ ଛିଡ଼ା ହୋଇରହି ଟ୍ରେନ୍ ଯାତାୟତରେ ବାଧା ଦେବାରୁ ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ ୬ଟା ୫ ପରିବେର୍ତ୍ତ ୭ଟା ୫୫ରେ ଯାତ୍ରା କରିଥିଲା। ତେଣେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ରେଳରୋକ ଯୋଗୁଁ ଟ୍ରେନ୍ ଚଳାଚଳରେ ସାମୟିକ ବାଧା ଉପୁଜିଥିଲା। ଟିଟିଲାଗଡ଼-ହାୱଡ଼ା ଇସ୍ପାତ ଏକ୍ସପ୍ରେସକୁ ବଲାଙ୍ଗିରରେ ୬ଟା ୧୮ରୁ ୬ଟା ୪୩ ପର୍ଯ୍ୟନ୍ତ ଅଟକା ଯାଇଥିବା ବେଳେ ଜୁନାଗଡ଼ ରୋଡ଼-ଭୁବନେଶ୍ୱର ଏକ୍ସପ୍ରେକୁ ବିଜୟନଗରମ ଏବଂ ପଲାସାରେ ଅଟକା ଯାଇଥିଲା। ବିଶାଖାପାଟଣା-ଦୁର୍ଗ ପାସେଞ୍ଜରକୁ ଟିଟିଲାଗଡ଼ରେ ୭ଟା ୫ରୁ ୭ଟା ୪୨ ପର୍ଯ୍ୟନ୍ତ ରୋକା ଯାଇଥିଲା। ହାଟିଆ – ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଖୋର୍ଦ୍ଧା ରୋଡ଼ରେ ୬ଟା ୩୫ରୁ ୮ଟା ୪୫ ପର୍ଯ୍ୟନ୍ତ ରୋକା ଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top