ତୈଳଦର ବୃଦ୍ଧିରେ ଦ୍ରୁତଗାମୀ ବସ୍ ମାଲିକ ପ୍ରଭାବିତ!

ରାଉରକେଲା ୨୭-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ତୈଳ ଦରରେ ଅସ୍ୱାଭାବିକ ବୃଦ୍ଧି ହେବାରେ ଲାଗିଛି। ପ୍ରତି ମାସରେ ଡିଜେଲ ଦର ଏକ ପଇସାରୁ ଦୁଇ ପଇସାକୁ ବୃଦ୍ଧି ପାଇ ଏହି କ୍ରମରେ ଏବେ ୭୧ ଟଙ୍କାରେ ପହଂଚିଛି। ଏହାଦ୍ୱାରା ଗାଡ଼ି ବ୍ୟବହାର କରୁଥିବା ବ୍ୟବହାରକାରୀ ମାନେ ବହୁଳ ଭାବରେ ପ୍ରଭାବିତ ହେଉଛନ୍ତି। ଏପରିକି ଦ୍ରୁତଗାମୀ ବସ୍ ଚଳାଚଳ କରୁଥିବା ବସ୍ ମାଲିକ ମାନଙ୍କୁ ମଧ୍ୟ ତେଲ ଦର ବଢିବା ଯୋଗୁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ବସ ଚଳାଚଳରେ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ସହରର କିଛି ବସ୍ ମାଲିକ ବାରମ୍ବାର କ୍ଷତିର ସମ୍ମୁଖୀନ ହୋଇ ଶେଷରେ ଦ୍ରୁତଗାମୀ ବସ୍ ଚଳାଚଳକୁ ବନ୍ଦ କରିବାକୁ କିଛି ମାଲିକ ଏକ ପ୍ରକାର ବାଧ୍ୟ ହୋଇଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି, ନବେ ଦଶକରେ ରାଉରକେଲାରେ ପ୍ରଥମେ ଏକ ଘରୋଇ ବସ୍ କମ୍ପାନୀ ପକ୍ଷରୁ ବସ୍ ଚଳାଚଳ ରାଜଧାନୀ ଭୁବନେଶ୍ୱର ଓ କଟକକୁ ଆରମ୍ଭ ହୋଇଥିଲା। ଏହାର ବହୁ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ବସ୍ ର ଚଳାଚଳ ମଧ୍ୟ କରାଯାଉଥିଲା। ବେସରକାରୀ ବସ୍ ରେ ଦୂରଯାତ୍ରା ଆରାମଦାୟକ ଥିବାରୁ ଯାତ୍ରୀ ମାନେ ଏହି ସବୁ ବସ୍ ରେ ଯିବାକୁ ଆଗ୍ରହ ପ୍ରକାଶ କରିବାରେ ଲାଗିଲେ। କାଳକ୍ରମେ ସହରରେ ଦ୍ରୁତଗାମୀ ବେସରକାରୀ ବସ୍ ର ସଂଖ୍ୟା ଚାହିଦା ଅନୁସାରେ ବଢିବାରେ ଲାଗିଲା। ବର୍ତମାନ ରାଉରକେଲାରୁ ହାରାହାରି ୬୦ରୁ ଉର୍ଦ୍ଧ ବେସରକାରୀ ଦ୍ରୁତଗାମୀ ବସ୍ ରାଜ୍ୟର ବିଭିନ୍ନ ଅଂଚଳ ଯେପରି କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, ବାରିପଦା, ପୁରୀ, ଜଗତସିଂହପୁର, ପାରାଦୀପ, କୋରାପୁଟ, ନୟାଗଡ଼, କେନ୍ଦ୍ରାପଡ଼ା ଆଦି ଅଂଚଳ ଚଳାଚଳ କରୁଥିବା ପ୍ରତ୍ୟହ ରାତ୍ରୀରେ ଦେଖିବାକୁ ମିଳୁଛି। ସହରରେ ପ୍ରତିଦିନ ସଂଧ୍ୟା ୭ଟାରୁ ରାତ୍ରି ୧୦ଟା ଯାଏ ଦୁତ୍ରଗାମୀ ବସ୍ ଗୁଡ଼ିକ ଯାତ୍ରୀ ମାନଙ୍କୁ ନେଇ ନିଜ ନିଜର ଗନ୍ତବ୍ୟସ୍ତଳରେ ଯାତ୍ରା କରୁଛନ୍ତି। ଅପରପକ୍ଷରେ ବହୁ ଗୁଡ଼ିଏ ବେସରକାରୀ ବସ୍ ହୋଇଯିବା କାରଣରୁ ସବୁ ସମୟରେ ବସ୍ ରେ ଉର୍ଦ୍ଦିଷ୍ଟ ସିଟ୍ ସଂଖ୍ୟା ପୂର୍ଣ୍ଣ ହେଉନାହିଁ। ଫଳରେ ବସ୍ ମାଲିକ ମାନଙ୍କୁ ଆଶାଜନକ ଲାଭ ନହୋଇ କିଚିଂତ କ୍ଷତିର ସମ୍ ୁଖୀନ ହେବାକୁ ପଡୁଛି। ତୈଳ ଦରରେ ବୃଦ୍ଧି ଯୋଗୁ ମଧ୍ୟ ବସ୍ ଗୁଡ଼ିକ ବହୁଳ ଭାବରେ ପ୍ରଭାବିତ ହେଉଛି। ସେହିପରି ପ୍ରତି ମାସରେ ବସର ମେଟାଂନାସ ଖର୍ଚ୍ଚରେ ବହୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ବୋଲି ସାରନଗରୀ ଅଂଚଳରେ ରହୁଥିବା ଏକ ଦ୍ରୁତଗାମୀ ବସ୍ ର ମାଲିକ ପ୍ରକାଶ କରିଛନ୍ତି। ମାସକୁ ଟାୟାର ଖର୍ଚ୍ଚ, ଇଂଜିନ ଅୟଲ ଓ ଅନ୍ୟାନ ଯନ୍ତ୍ରାଂଶର ମରାମତି ପାଇଁ ଖର୍ଚ୍ଚ ହୋଇଥାଏ। ବସ୍ ଚାଳକ, ବସ କଣ୍ଡକ୍ଟର, ହେଲପର ପାଉଣା ଦେବା ପରେ ଟା୍ୟାକ୍ସ ବାବଦକୁ ଦେୟ ଭରଣା କରିବାକୁ ପଡିଥାଏ। ଦିନକୁ ଦିନ ଟ୍ୟାକ୍ସ ଦେୟ ବୃଦ୍ଧି, ଅପରପକ୍ଷରେ ତୈଳଦର ବୃଦ୍ଧି ପାଇଲେ, ସେହି ଅନୁପାତରେ ବସ୍ ଭଡା କିଛି ମାତ୍ରାରେ ବଢି ପାରୁନାହିଁ ବୋଲି ଏକ ଆକଳନରୁ ଜଣାପଡ଼ିଛି। ମାସିକ ଟ୍ୟାକ୍ସ ବାବଦକୁ ପୂର୍ବରୁ ୧୦ ହଜାର ୬୮୩ ଟଙ୍କା ଦିଆଯାଉଥିବା ବେଳେ, ଗତବର୍ଷ ନଭେମ୍ବର ମାସରୁ ଏଥିରେ ବୃଦ୍ଧି ହୋଇ ୧୩ ହଜାର ୫୨୧ ଟଙ୍କା ଟ୍ୟାକ୍ସ ବସ ମାଲିକ ମାନଙ୍କୁ ଭରଣା କରିବାକୁ ପଡ଼ୁଛି। ସେହିପରି ଇନ୍ସୁରାନ୍ସ ବାବଦରେ ୧୫ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ବସ୍ ରେ ବ୍ୟବହାର କରାଯାଉଥିବା ଟାୟାର ଗୁଡ଼ିକର ଦରରେ ବୃଦ୍ଧି ଘଟିଛି। ପୁର୍ବରୁ ବଜାରରେ ଟାୟାର ଦର ୨୮ ହଜାର ଟଙ୍କା ଥିବା ବେଳେ, ବର୍ତମାନ ବଜାର ଦର ୩୧ ହଜାର ୫୦୦ ଟଙ୍କାରେ ପହଂଚିଛି। ଏସବୁକୁ ଦୃଷ୍ଟି ଦେଲେ, ବସ୍ ଚଳାଚଳ ବେପାରରେ ସେତେଟା ଆଶାଜନକ ଲାଭ ହୋଇ ପାରୁନଥିବା ବେଳେ, ବସ ବିକ୍ରି କରିବା ପରିସ୍ଥିତି ଉପୁଜିଛି ବୋଲି ରାଉରକେଲାର କିଛି ବସ ମାଲିକ ପ୍ରକାଶ କରିଛନ୍ତି। ଦ୍ରୁତଗାମୀ ବସ୍ ର ଟିକେଟ ଯାତ୍ରୀ ମାନେ କିଭଳି ସୁବିଧା ଓ ସହଜରେ ପାଇପାରିବେ, ଏଥିନେଇ ସହରର ବିଭିନ୍ନ ଜାଗାରେ ରହିଛି ୧୯ରୁ ଉର୍ଦ୍ଧ ଟିକେଟ କାଉଂଟର। ଏହି କାଉଂଟର ଗୁଡ଼ିକରେ ଯାତ୍ରୀ ମାନଙ୍କୁ ଅଗ୍ରୀମ ସଂରକ୍ଷଣ ବସ୍ ଟିକେଟ ମିଳି ପାରିଥାଏ। ଏକ ବସ୍ ଟିକେଟ ବାବଦକୁ ଟିକେଟ ବିକ୍ରୀ କରୁଥିବା ଏଜେଂଟ ଜଣଙ୍କ ୨୦ରୁ ୩୦ ଟଙ୍କା କମିଶନ ଅର୍ଥ ରଖିଥାଏ। ବାକି ଅର୍ଥ ବସ୍ ମାଲିକଙ୍କ ଖାତାକୁ ଯାଏ। ସେହିଭଳି ଖରାଛୁଟି, ଦୁର୍ଗାପୂଜା ଛୁଟିରେ ବସ୍ ଗୁଡ଼ିକର ସିଟ ପୂର୍ଣ୍ଣ ରହୁଥିବା ବେଳେ, ବର୍ଷର ଅନ୍ୟ ସମୟରେ ପ୍ରତି ଦୂରଗାମୀ ବସ୍ ରେ ହାରାହାରି ୪୦ରୁ ୪୫ ଯାତ୍ରୀ ଯିବା ଆସିବା କରିବା ଦେଖିବାକୁ ମିଳେ। ଯାହାକି ବସ୍ ଚଳାଚଳ ବେପାରକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ। ବସ୍ ଗୁଡ଼ିକ ରାତ୍ରୀରେ ଯାତ୍ରା କରିବା ସମୟରେ ମଧ୍ୟ ଟୋଲ ଗେଟ ଟ୍ୟାକ୍ସ ଓ ଅନ୍ୟାନ ଖର୍ଚ୍ଚ ଦେବାକୁ ପଡ଼ିଥାଏ ବୋଲି ଏକ ଘରୋଇ ବସ୍ ର ଚାଳକ ପ୍ରକାଶ କରିଛନ୍ତି। ଏପରିସ୍ଥଳେ ଦୂରଗାମୀ ବସ୍ ଚଳାଚଳ ପ୍ରତି ଦିନକୁ ଦିନ କ୍ଷତିର ଆଶଙ୍କା ବଢିବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

Leave a Reply

Your email address will not be published. Required fields are marked *