ଓଡ଼ିଶା

ତୈଳଦର ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରା ସଫଳ ହୋଇଛି

ରାୟଗଡା ତା-୧୦/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ଅହେତୁକ ଭାବରେ ବଢି ଚାଲିଥିବା ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ନିଷ୍ପତି କ୍ରମେ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ତୈଳଦର ବୃଦ୍ଧି ପ୍ରତିବାଦରେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ରାୟଗଡାରେ ମଧ୍ୟ ଦେଖିବାକୁ ମିଳିଛି। ଆଜି ସକାଳୁ ଜିଲ୍ଲା କଂଗ୍ରେସ କମିଟିର ଡାକରାରେ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ କପିଳାସ ଛକ ଠାରେ ସକାଳ ୬ଘଣ୍ଟା ଠାରୁ ବନ୍ଦ ପାଳନ କରିଛନ୍ତି। ଏହାର ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ସଂପୂର୍ଣ୍ଣ ଭାବେ ଯାତାୟାତ ଠପ୍ ହୋଇଛି। ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଯେପରି କୌଣସି ବ୍ୟାଘାତ ନଘଟେ, ସେଥିପ୍ରତି ସତର୍କମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସକାଳ ୬ଟାରୁ ୩ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ ଭାବେ ବନ୍ଧ ପାଳନ କରାଯାଇଥିଲା। ରାୟଗଡା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। କଂଗ୍ରେସ କର୍ମୀ ମାନେ ଜିଲ୍ଲାକୁ ପ୍ରବେଶ କରୁଥିବା ସମସ୍ତ ଛକମାନଙ୍କରେ ରାସ୍ତା ଅବରୋଧ କରିବା ସହ ପିକେଟିଂ କରି ଦୋକାନ ବଜାର ସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ କରିଥିଲେ। ଯାହାଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହେବାସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏହି ବନ୍ଦକୁ ବିଭିନ୍ନ ବାମପନ୍ଥୀ ଦଳ ସମେତ ନିଖିଳ ଓଡିଶା ପରିବହନ କର୍ମଚାରୀ ସଂଘ, ଅଟୋ ଓ ଟ୍ୟାକ୍ସି ମହାସଂଘ ପକ୍ଷରୁ ସମର୍ଥନ କରିଥିଲେ।

ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଭିଯୋଗ କରିଥିଲେ ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଛି। କେନ୍ଦ୍ର ସରକାର ନେଉଥିବା ଉତ୍ପାଦନ ଶୁଳ୍କ ଛାଡିବାକୁ ନାରାଜ ଥିବାବେଳେ ରାଜ୍ୟ ସରକାର ମଧ୍ୟ ଭାଟ କମାଇବାକୁ ଅମଙ୍ଗ ଫଳରେ ଏହାର ବୋଝ ସାଧାରଣ ଖାଉଟିଙ୍କ ଉପରେ ମାତ୍ରାଧିକ ପଡୁଛି। ବିଗତ ୪ବର୍ଷ ମଧ୍ୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର କମ ଥିବାବେଳେ ଦେଶବାସୀ ଚଡା ଦରରେ ତେଲ କିଣୁଛନ୍ତି। ତୈଳଜାତ ଦ୍ରବ୍ୟକୁ ଜିଏସଟି ପରିସରଭୁକ୍ତ କରାଗଲେ ତୈଳଦର ହ୍ରାସ ପାଇବ ବୋଲି ଅଭିଯୋଗ କରିଥିଲେ। ସେ ଆହୁରି କହିଥିଲେ ଯେ ଏହାକୁ କେଉଁ କାରଣରୁ ଜିଏସଟି ପରିସରକୁ ଅଣାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ୨୦୧୪ ମେ ମାସ ପରଠାରୁ ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୨୧୧.୭% ବୃଦ୍ଧି କରାଯାଇଛି। ସେହିପରି ଡିଜେଲ ଉପରେ ୪୩୩.୦୬% ବୃଦ୍ଧି ହୋଇଛି। ବିଜେପି କ୍ଷମତାକୁ ଆସିବା ପରଠାରୁ ୧୨ ଥର ଉତ୍ପାଦନ ଶୁଳ୍କରେ ବୃଦ୍ଧି ହୋଇଛି। ସାଧାରଣ ଲୋକଙ୍କ ଉପରେ ବୋଝ ଲଦି ମୋଦି ସରକାର ଗତ ୫୨ ମାସ ମଧ୍ୟରେ ୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଟିକସ ଆକାରରେ ସଂଗ୍ରହ କରିଥିବା ସେ ଅଭିଯୋଗ କରିଛନ୍ତି। ଏହି ଦରଦାମ ବୋଝ ସାଧାରଣ ଲୋକ ଉପରେ ଦାଉସାଜୁଛି। ଏହି ବନ୍ଦ ଡାକରା ସମସ୍ତ ବ୍ଲକ ସଦର ମହକୁମାରେ ମଧ୍ୟ ବନ୍ଦର ପ୍ରଭାବହୋଇଛି। ଏହି ବନ୍ଦ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ସୁନିଲ ପଣ୍ଡା, ଆପଲସ୍ବାମି କାଡ୍ରାକା, ନେତ୍ରମଣି ଉଲ୍ଲାକା, ପପୁ ମାଝୀ, ବାଦଲ ମହାନ୍ତି, ନନ୍ଦ କିଶୋର ଚୌଧୁରୀ, ମକରନ୍ଦ ମୁଦୁଲି, ତାଇ ମିଶ୍ର ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top