ତୃତୀୟ ଦିନରେ ୪ଟି ରୁଟ୍ ରେ ବିଜେପି ମହିଳା ସୁରକ୍ଷା ଯାତ୍ରା : ନାରୀମାନେ ସମାଜର ମୁଖ୍ୟ ସ୍ରୋତକୁ ଆସି ନିଜର ଅଧିକାର ସାବ୍ୟସ୍ତ କରନ୍ତୁ: ମହିଳାମୋର୍ଚ୍ଚା

– ପଦଯାତ୍ରା, ପଥପ୍ରାନ୍ତ ଏବଂ ସାଧରଣସଭା ମାଧ୍ୟମରେ ମହିଳାଙ୍କୁ ସଚେତନ କରାଯାଉଛି
– ରାଜ୍ୟସରକାରଙ୍କଠାରୁ ନ୍ୟାୟ ନପାଇଥିବା ମହିଳାମାନେ ନିଜର ଅସହାୟତା ବିଜେପି ମହିଳାମୋର୍ଚ୍ଚା ଆଗରେ ପ୍ରକାଶ କରିଛନ୍ତି
– ରାଜ୍ୟସରକାର ମହିଳା ସୁରକ୍ଷା ନାମରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
– କେଉଁ ମାପଦଣ୍ଡରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ମିଳିଛି ?
– କୁନି କୁନି ଶିଶୁମାନେ ହାତରେ ମହମବତୀ ଧରି ନିଜର ସୁରକ୍ଷା ପାଇଁ ମହିଳା ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି

ଭୁବନେଶ୍ୱର, ତା ୨୧/୦୫ (ଓଡ଼ିଆ ପୁଅ) : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଆଜି ତୃତୀୟ ଦିନରେ ପଂହଚିଛି। ରାଜ୍ୟରେ ନାରୀମାନଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ଅବଗତ କରାଇବା ଏବଂ ନାରୀମାନଙ୍କ ସୁରକ୍ଷା ଦେବାରେ ରାଜ୍ୟସରକାରଙ୍କ ବିଫଳତା ପ୍ରସଙ୍ଗରେ ବିଜେପି ମହିଳାମୋର୍ଚ୍ଚା ଏହି ମହିଳା ସୁରକ୍ଷାଯାତ୍ରା ଆରମ୍ଭ କରିଛି। ମହିଳା ସୁରକ୍ଷାଯାତ୍ରାର ତୃତୀୟ ଦିନରେ ରାଜ୍ୟର ମହିଳାମାନେ ଯୋଗ ଦେଇ ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧ ପାଇଁ ରାଜ୍ୟସରକାରଙ୍କ ନୀତି କ’ଣ ରହିଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟର ସମସ୍ତ ବର୍ଗର ମହିଳାମାନେ ଏହି ସୁରକ୍ଷାଯାତ୍ରାକୁ ବିପୁଳ ସମର୍ଥନ ଦେଇଛନ୍ତି। ଏହି ସୁରକ୍ଷା ଯାତ୍ରା ମାଧ୍ୟମରେ ମହିଳାମାନେ ରାଜ୍ୟସରକାରଙ୍କଠାରୁ ନ୍ୟାୟ ନପାଇ ନିଜର ଅସହାୟତା ବିଜେପି ମହିଳାମୋର୍ଚ୍ଚା ଆଗରେ ପ୍ରକାଶ କରିଛନ୍ତି।

ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବାରେ ରାଜ୍ୟସରକାର ସଂପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି। କେବଳ ହୀନ ରାଜନୀତି କରି ଶାସକ ବିଜେଡି ମହିଳାଙ୍କ ସୁରକ୍ଷାକୁ ଅଣଦେଖା କରୁଛି। ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଯୋଜନାରୁ ହିତାଧିକାରୀ ମହିଳାମାନଙ୍କୁ ବଂଚିତ କରାଯାଉଛି। ରାଜ୍ୟସରକାର କେବଳ ଶାସକ ବିଜେଡିକୁ ସମର୍ଥନ କରୁଥିବା ମହିଳାଙ୍କୁ ସମସ୍ତ ସୁବିଧା ଯୋଗାଇବା ଏବଂ ଅନ୍ୟ ଦଳକୁ ସମର୍ଥିତ କରୁଥିବା ମହିଳାଙ୍କୁ ଧମକ ଦେବା ସହ ପ୍ରାପ୍ୟ ଯୋଜନାରୁ ବଂଚିତ କରିବା ଭଳି କାର୍ଯ୍ୟ କରୁଛନ୍ତି। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଏହାକୁ ପ୍ରତିବାଦ କରିବା ସହ ମହିଳାଙ୍କ ଅଧିକାର ପାଇଁ ସୁରକ୍ଷା ଯାତ୍ରାକୁ ଆଗକୁ ନେଇ ଚାଲିଛି।

ତୃତୀୟ ଦିନରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଭଦ୍ରକ ବାସୁଦେବପୁରଠାରେ ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ପଦଯାତ୍ରା ମାଧ୍ୟମରେ ମହିଳାମାନେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତିକୁ କଡା ସମାଲୋଚନା କରିଥିଲେ। ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଆଡ ସିମୁଳିଆରେ ପଥପ୍ରାନ୍ତ ସଭା ଓ ସଂଧ୍ୟାରେ ଖଇରା ବଜାରଠାରେ ଏକ ସାଧାରଣ ସଭାରେ ଡ. ସାମନ୍ତସିଂହାର ଯୋଗ ଦେଇ ମହିଳା ବିରୋଧୀ ବିଜେଡି ସରକାରର ଅପାରଗତା ଓ ସ୍ଥାଣୁତା ସଂପର୍କରେ ମହିଳାମାନଙ୍କୁ ସଚେତନ କରାଇଥିଲେ। ଶାସକ ବିଜେଡିର ମା’କୁ ସମ୍ମାନର ନାରା ପ୍ରହସନରେ ପରିଣତ ହୋଇଛି। ରାଜ୍ୟସରକାର ମହିଳା ସୁରକ୍ଷା ନାମରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନାବାଳିକା ଏବଂ ମହିଳାମାନେ ଦୁଷ୍କର୍ମର ଶିକାର ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରୁଛନ୍ତି। ପୋଲିସ ଶାସକ ବିଜେଡିର ହାତବାରେସି ସାଜି କାର୍ଯ୍ୟ କରୁଛି। ରାଜ୍ୟରେ ନାରୀ ସୁରକ୍ଷା ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ କେଉଁ ମାପଦଣ୍ଡରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ମିଳିଛି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ ଉଠାଇଛନ୍ତି।

ତୃତୀୟ ଦିନରେ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ମହିଳା ଏକାଠି ହୋଇ ସମ୍ବଲପୁର ଜିଲ୍ଲା କୁଚିଣ୍ଡାଠାରେ ଏକ ସାଧାରଣ ସଭା କରିଥିଲେ। ପରେ ଅପରାହ୍ନରେ ଖଣ୍ଡୋକଂଟା, ବଇକିରାରେ ଏବଂ ଝାରସୁଗୁଡାରେ ପଥପ୍ରାନ୍ତ ସଭା ମାଧ୍ୟମରେ ମହିଳାମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ଅସହ୍ୟ ଖରାକୁ ଖାତିର ନକରି ହଜାର ହଜାର ସଂଖ୍ୟାରେ ମହିଳାମାନେ ସାମିଲ ହୋଇ ସ୍ୱତଃପ୍ରବୃତ ଭାବେ ଏହି ସୁରକ୍ଷାଯାତ୍ରାକୁ ସମର୍ଥନ କରିଥିଲେ। ନାବାଳିକା ମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଦୁଷ୍କର୍ମ ପ୍ରତିବାଦରେ ସଂଧ୍ୟାରେ ଝାରସୁଗୁଡା ସହର ଝଣ୍ଡା ଛକରୁ ମନମୋହନ ଏମ.ଇ ସ୍କୁଲ ପଡିଆ ପର୍ଯ୍ୟନ୍ତ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ହୋଇଥିଲା। ମହିଳାମାନଙ୍କ ସହ କୁନି କୁନି ଶିଶୁମାନେ ହାତରେ ମହମବତୀ ଧରି ନିଜର ସୁରକ୍ଷା ପାଇଁ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା କାରଣରୁ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟର ଗୃହବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବାବେଳେ ରାଜ୍ୟରେ ଦିନକୁ ଦିନ ଧର୍ଷଣ, ଗଣଦୁଷ୍କର୍ମ, ନାବାଳିକା ବଳାକ୍ରାର ଏବଂ ନାରୀ ନିର୍ଯ୍ୟାତନା ବଢିବାରେ ଲାଗିଛି। ମହିଳା ଅପରାଧ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ୪ହଜାର ୫ଶହରୁ ଉର୍ଦ୍ଧ୍ୱ ଘଟଣା ପଞ୍ଜୀକୃତ ହୋଇଥିବାବେଳେ ଅନେକ ଘଟଣା ଲୋକଲୋଚନକୁ ଆସିପାରି ନାହିଁ। ରାଜ୍ୟର ନାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣଭାବେ ଫେଲ୍ ମାରିବା ସହ ନାରୀମାନଙ୍କୁ ଅପମାନିତ କରିଚାଲିଛନ୍ତି ବୋଲି ଶ୍ରୀମତି ପଣ୍ଡା କହିଛନ୍ତି।

ତୃତୀୟ ଦିନରେ ପୂର୍ବତନ ସାଂସଦ ସଂଗୀତା ସିଂହଦେଓଙ୍କ ନେତୃତ୍ୱରେ ମହିଳା ସୁରକ୍ଷା ଯାତ୍ରା ଅପରାହ୍ନରେ କଳାହାଣ୍ଡିର ଗୋଲମୁଣ୍ଡା ଓ ଧର୍ମଗଡଠାରେ ସାଧାରଣ ସଭାରେ ଯୋଗଦେଇ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ଅପାରଗତା ସଂପର୍କରେ ମହିଳାମାନଙ୍କୁ ସଚେତନ କରାଇବା ସହ ସେମାନଙ୍କ ଅଧିକାର ସଂପର୍କରେ ଅବଗତ କରିଥିଲେ। ନାରୀମାନଙ୍କୁ ପ୍ରତି ବଢୁଥିବା ହିଂସା ଏବଂ ଦୁଷ୍କର୍ମ ପାଇଁ ରାଜ୍ୟ ସରକାର କଠୋର ଦଣ୍ଡବିଧାନର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଶ୍ରୀମତି ସିଂହଦେଓ କହିଛନ୍ତି।

ରାଜ୍ୟରେ ନାରୀମାନେ ସୁରକ୍ଷିତ ନାହାଁନ୍ତି। ନାରୀମାନଙ୍କୁ ସମ୍ମାନ ଦେବା ଏବଂ ସୁରକ୍ଷା ଯୋଗାଇବା ପାଇଁ ବିଜେପି ସଂଗ୍ରାମ କରୁଛି। ରାଜ୍ୟ ସରକାରଙ୍କ ଛତ୍ରଛାୟା ତଳେ ଅପରାଧ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶାସକ ବିଜେଡିର ଛାମୁଆ ନେତାମାନେ ଅପରାଧୀମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି ବୋଲି ଶ୍ରୀମତି ସିଂହଦେଓ କହିଛନ୍ତି।

ସେହିପରି ଆଜି ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ ନେତୃତ୍ୱରେ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇ ଗଂଜାମ ଜିଲ୍ଲା ରମ୍ଭା, ଗଞ୍ଜାଠାରେ ପଥପ୍ରାନ୍ତସଭା ଅନୁଷ୍ଠିତ ହୋଇଥିଲା। ପରେ ସିନ୍ଦୁରପୁରଠାରେ ଏକ ସାଧାରଣ ସଭା, କରାପଲି ଏବଂ ଲୋଚାପଡାଠାରେ ପଥପ୍ରାନ୍ତ ସଭା ଦ୍ୱାରା ମହିଳାମାନଙ୍କୁ ସଚେତନ କରାଇବା ସହ ମହିଳାଙ୍କ ପ୍ରତି ହେଉଥିବା ଆତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇବାକୁ ଆହ୍ୱାନ ଦେଇଛନ୍ତି। ନାରୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏହି ସୁରକ୍ଷାଯାତ୍ରାରେ ଦାବି ହୋଇଛି।

ରାଜ୍ୟର ଅନେକ ନାରୀ ନିଜର ଇଜ୍ଜତ ଏବଂ ଲୋକ ଲଜ୍ଜାକୁ ଡରି ସବୁ କିଛି ସହି ଯାଉଛନ୍ତି। ଏହାର ସୁଯୋଗ ନେଇ ଅପରାଧୀମାନେ ସକ୍ରିୟ ହୋଇ ନାରୀଙ୍କ ଉପରେ ଅତ୍ୟାଚାର କରିଚାଲିଛନ୍ତି। ନାରୀମାନେ ସମାଜର ମୁଖ୍ୟ ସ୍ରୋତକୁ ଆସି ନିଜର ଅଧିକାର ସାବ୍ୟସ୍ତ କରିବା ଦରକାର। ନାରୀମାନେ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ମୁହଁ ଖୋଲି ପ୍ରତିବାଦ କରିବା ସହ ଅପରାଧୀ ଏବଂ ସେମାନଙ୍କୁ ସୁରକ୍ଷା ଯୋଗାଇ ଆସୁଥିବା ନେତାମାନଙ୍କ ମୁଖା ଖୋଲିବା ଦରକାର ବୋଲି ଉପସ୍ଥିତ ନେତ୍ରୀବୃନ୍ଦ ଆହ୍ୱାନ ଦେଇଛନ୍ତି।

ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତ୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଂଚାଇବା ପାଇଁ ଏହି ସୁରକ୍ଷାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

Leave a Reply

Your email address will not be published. Required fields are marked *