ତୁରେକେଲା ବ୍ଲକ ରେ ପି.ସି. ଏବଂ ଦୁର୍ନିତି ନେଇ କଂଗ୍ରେସର ଦିନିକିଆ ବିକ୍ଷୋଭ-ଲାଂଚ ଓ ଦୁର୍ନିତି ନ କରିବା ପାଇଁ ଶପଥ ପାଠ ବ୍ଲକରେ ଥାର୍ଡ ପାର୍ଟିକୁ ନ ପୁରାଇବାରୁ ଏପରି ଅଭିଯୋଗ-ବିଡିଓ

କଂଟାବାଂଜି(ଓଡିଆ ପୁଅ /ଗୁରୁଦୟାଲ ହଂସ)-ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟରେ ଦୁର୍ନିତି ଏବଂ ପ୍ରତ୍ୟେକ କାମରେ ପି.ସି. ନେଉଥିବା ବ୍ଲକର ଅଧ୍ୟକ୍ଷା ଶ୍ରୀମତୀ ଅନୁ ଭୋଇ ଏବଂ କଂଗ୍ରେସ ତରଫରୁ ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ବୁଧବାର ଦିନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ବ୍ଲକରେ ଅଭିଯୋଗ ହେଉଥିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ଦିଆଯାଇଛି। ଏହି ଦାବିପତ୍ରରେ ଦର୍ଶାଯାଇଛି ଯେ ବ୍ଲକର ପୁରୁଣା ଉନ୍ନୟନ କାର୍ଯ୍ୟ ଫାଇଲ ଖୋଲିବାରେ ୩ ଶତକଡା, ପୂର୍ବରୁ ପୁରୁଣା ଚାଲିଥିବା କାର୍ଯ୍ୟାଦେଶ ଉପରେ ୧୩ଶତକଡା, ବିଲ ପଇଠ ସମୟରେ ୨୨ଶତକଡା ଏପରି ୩୮ଶତକଡା ପି.ସି.ବାବଦକୁ ବ୍ଲକରେ ନିଆଯାଉଛି। ଇଂଦିରା ଆବାସ, ବିଜ୍ଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧକାରୀଙ୍କଠାରୁ ଜଣ ପିଛା କୋଡିଏ ହଜାର ଲାଂଚ। ଆଙ୍ଗନୱାଡି କର୍ମି ନିଯୁକ୍ତି ଚୟନରେ ୫୦ହଜାର ଟଙ୍କାରୁ ଲକ୍ଷେ ଟଙ୍କା ଲାଂଚ ନିଆଯାଇଛି। ଏପରିକି ଦାରିଦ୍ର ଦୁରିକରଣ ଯୋଜନାରେ ମଧ୍ୟ ଲାଂଚ କାରବାର ହେଉଛି। ଗରିବ ମାନଙ୍କ ବିପିଏଲ, ଏପିଏଲ, ପିଏଲଓ, ଅନ୍ତୋଦୟ ଏବଂ ଏନଏଫଏସଏ ଯୋଜନାର ବାଟ ମାରଣା ହୋଇଥିବା ଅଭିଯୋଗ କରି ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ବିକ୍ଷୋଭ ହୋଇଛି।

ଏହି ବିକ୍ଷୋଭଟି ମୁଖ୍ୟତଃ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ହୋଇଛି। ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭୋଇ, ଉପାଧ୍ୟକ୍ଷା ଶ୍ରୀମତି ନୌକେଶି ସିପ୍କା ସହ କଂଗ୍ରେସ ସମର୍ଥକ ମାନେ ସାମିଲ ଥିଲେ। ବ୍ଲକରେ ଦୁର୍ନିତି ଏବଂ ପି.ସି.କାରବାର ଅଭିଯୋଗ ଉପରେ କଂଗ୍ରେସ ଦ୍ୱାରା କରାଯାଇଥିବା ବିକ୍ଷୋଭ ଉପରେ ସଂପୃକ୍ତ ବି.ଡି.ଓ.ସୁନିଲ କେରକେଟାଙ୍କୁ ପଚାରିବାରୁ କହନ୍ତି ବ୍ଲକର ସମିତି ମିଟିଙ୍ଗରେ ସଂପୃକ୍ତ ଅଧ୍ୟକ୍ଷା ଶ୍ରୀମତୀ ଭୋଇଙ୍କ ସହ ଅନ୍ୟ ଥାର୍ଡ ପାଟି ଯିଏ କି ସମିତି ସଭ୍ୟା/ସଭ୍ୟ କିମ୍ବା ପଂଚାୟତ ପ୍ରତିନିଧି ନୁହନ୍ତି ସେମାନେ ଆସନ୍ତି। ପୁଣି ସମିତିର ପ୍ରତ୍ୟେକ ଫାଇଲ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟକୁ ଯିବା ପରିବର୍ତେ କଂଟାବାଂଜି କୁ ନେବା ପାଇଁ ଶ୍ରୀମତୀ ଭୋଇ ବାଧ୍ୟ କରନ୍ତି। କାର୍ଯ୍ୟଭାର ନେବା ଦିନଠାରୁ ପଂଚାୟତ ସମିତି ମିଟିଙ୍ଗ ଡକାଯାଉ ନାହିଁ।। ସରକାରୀ ଫାଇଲ ବ୍ଲକ କାର୍ଯ୍ୟାଳୟ ପରିସରରେ କରିବା ବଦଳରେ କଂଟାବାଂଜିକୁ ନେବା ପାଇଁ ବାଧ୍ୟ କରନ୍ତି। ସମିତି ମିଟିଙ୍ଗରେ ନିର୍ବାଚିତ ପ୍ରତିନିଧି କିମ୍ବା ବିଧାୟକ, ସାଂସଦ ପ୍ରତିନିଧି ବ୍ୟତୀତ ତୃତିୟ ବ୍ୟକ୍ତି ବୈଠକରେ ସାମିଲ ହୋଇ ପାରିବେ ନାହିଁ। ଏହିସବୁ ବିରୋଧ କରିବାରୁ ମୋ ବିରୋଧରେ ଅଭିଯୋଗ ଅଣାଯାଇ ବିକ୍ଷୋଭ କରାଯାଇଛି ବୋଲି କହିଛନ୍ତି। ମଙ୍ଗଲବାର ଦିନ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘଦ୍ୱାରା ବିଡିଓଙ୍କ ବଦଳି ବାତିଲ ନେଇ ବିକ୍ଷୋଭ ହୋଇଥିବା ବେଳେ କଂଗ୍ରେସ ଦ୍ୱାରା ବ୍ଲକରେ ଦୁର୍ନିତି ହେଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଜଣାଇଛନ୍ତି। ଅନ୍ୟପଟେ ଆଜିର ବିକ୍ଷୋଭରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭୋଇ ଏବଂ ତାଙ୍କ ସମର୍ଥକ ସମିତିସଭ୍ୟା/ସଭ୍ୟମାନେ ବ୍ଲକରେ ଲାଂଚ ନ ନେବା ଏବଂ ଦୁର୍ନିତି ନ କରାଇବା ପାଇଁ ଶପଥ ପାଠ କରିଛନ୍ତି। ଯାହା ବ୍ଲକରେ ପ୍ରଥମ ଥର ପାଇଁ ନିର୍ବାଚିତ ପଂଚାୟତ ପ୍ରତିନିଧି ବ୍ଲକରେ ପି.ସି.କାରବାର ନ ନେବା ପାଇଁ ଶପଥ ପାଠ କରିଥିବାରୁ ବୁଦ୍ଧିଜୀବି ମହଳରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *