ଜିଲ୍ଲା ପରିକ୍ରମା

ତୁରନ୍ତ ପ୍ରଥମ ଶ୍ରେଣୀରୁ ପାସ୍-ଫେଲ୍ ବ୍ୟବସ୍ଥା ପୁନଃ ପ୍ରଚଳନ ଦାବିରେ ଏ.ଆଇ.ଡି.ଏସ୍.ଓର ସ୍ମାରକ ପତ୍ର

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ତୁରନ୍ତ ପ୍ରଥମ ଶ୍ରେଣୀରୁ ପାସ୍ ଫେଲ୍ ବ୍ୟବସ୍ଥା ତୁରନ୍ତ ପ୍ରଚଳନ ଦାବିରେ ଏ.ଆଇ.ଡି.ଏସ୍.ଓ ଭଦ୍ରକ ସିଟି କମିଟି ପକ୍ଷରୁ ଆଜି ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏଆଇଡିଏସ୍ଓ ଭଦ୍ରକ ସିଟି କମିଟିର ସ୍ମାରକପତ୍ର ମୂଳେ ରାଜ୍ୟ ସରକାର ଶିକ୍ଷା ଅଧିକାର ଆଇନ୍-୨୦୦୯ କାର୍ଯ୍ୟକାରୀ ହେଲେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ହେବା ସହିତ ଶିକ୍ଷାର ସୁଯୋଗ ସମସ୍ତଙ୍କ ପାଖରେ ପହଞ୍ଚିପାରିବ ବୋଲି ଘୋଷଣା କରି ଅନ୍ୟ ରାଜ୍ୟ ପରି ଆମ ରାଜ୍ୟରେ ମଧ୍ୟ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଶ-ଫେଲ୍ ବ୍ୟବସ୍ଥାକୁ ଉଚ୍ଛେଦକରିଥିଲେ। ଏହି ଆଇନ୍ ଦ୍ୱାରା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିମ୍ନ କକ୍ଷରେ କୌଣସି ପିଲାଙ୍କୁ ଅଟକ ରଖାଯାଇ ପାରିବ ନାହିଁ। ଯୁକ୍ତି ଦିଆଗଲା ପରୀକ୍ଷାରେ ପାସ୍-ଫେଲ୍ ରହିଲେ ପିଲାଙ୍କ ଉପରେ ଚାପ ପଡୁଥିବାରୁ ପିଲା ଭୟରେ ଅଧାରୁ ପାଠ ଛାଡୁଛନ୍ତି ଏବଂ ଫେଲ୍ ହେଲେ ଆତ୍ମହତ୍ୟା କରୁଛନ୍ତି। ତେଣୁ ପାସ୍-ଫେଲ୍ ଉଠାଇ ଦେଲେ ପରୀକ୍ଷାର ଚାପ କମିବ ଏବଂ ଅଧାରୁ ପାଠ ଛାଡିବା ଓ ଆତ୍ମହତ୍ୟା ପ୍ରବଣତା କମିବ। ଦେଶରେ ପ୍ରତିଦିନ ଚାଷୀ ଆତ୍ମହତ୍ୟା, ବେକାରୀର ଜ୍ୱାଳାରେ ଯୁବକର ଆତ୍ମହତ୍ୟା, ବର୍ଦ୍ଧିତ ଫିସ୍ ଦେଇ ନପାରି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଭଳି ଘଟଣା ଚାଲିଥିଲେ ମଧ୍ୟଏସବୁକୁ ଅଣଦେଖା କରି ଚାଲିଥିବା ସରକାରମାନେ ପାସ୍-ଫେଲ୍ ରହିବା ଦ୍ୱାରା ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରୁଛନ୍ତି ବୋଲି କହି ପାସ୍-ଫେଲ୍ ବ୍ୟବସ୍ଥା ଉଠାଇ ଦେଲେ। ଇତି ମଧ୍ୟରେ ୯ବର୍ଷ ବିତିଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀମାନଙ୍କ ପାଠପଢା ସଂପୂର୍ଣ୍ଣ ଧ୍ୱଂସ ହେଇଯାଇଛି। ସରକାରୀ ରିପୋର୍ଟ ଅନୁଯାୟୀ ଆମ ରାଜ୍ୟରେ ୫ମ ଶ୍ରେଣୀରେ ପାଠ ପଢୁଥିବା ସମୁଦାୟ ପିଲାମାନଙ୍କ ମଧ୍ୟରୁ ୫୪% ପିଲା ଦ୍ୱିତୀୟ ଶ୍ରେଣୀର ପାଠ ଜାଣନ୍ତି ନାହିଁ। ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ମଧ୍ୟରେ ୭୭.୭% ପିଲାମାନଙ୍କର ଯୋଗ୍ୟତା ୨ୟ ଶ୍ରେଣୀର। ଏପରିକି ଅଷ୍ଟମ ଶ୍ରେଣୀରେ ପିଲା ଅଛନ୍ତି ଯେଉଁମାନେ ଅକ୍ଷର, ସଂଖ୍ୟା, ବାକ୍ୟ ଗଠନ ଆଦୌ ଜାଣନ୍ତି ନାହିଁ। ପଞ୍ଚମ ଶ୍ରେଣୀର ୨୨.୮% ପିଲା କେବଳ ୧୧ରୁ ୯୯ ସଂଖ୍ୟା, ୩୩.୫% ପିଲା କେବଳ ଫେଡାଣ ଛଡା ଅନ୍ୟ କିଛି ଜାଣନ୍ତି ନାହିଁ। ସେହିଭଳି ଅଷ୍ଟମ ଶ୍ରେଣୀର ୯.୨% ପିଲା ଅଛନ୍ତି ଯେଉଁମାନେ କେବଳ ୧ରୁ ୯୯ ପର୍ଯ୍ୟନ୍ତ ସଂଖ୍ୟା ଛଡା ଅନ୍ୟ କିଛି ଜାଣନ୍ତି ନାହିଁ। ପରିସ୍ଥିତି ଏପରି ହୋଇଛି ଯେ ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଛି। ସରକାରୀ ବିଦ୍ୟାଳୟରେ ଯେତିକି ବି ଶିକ୍ଷା ବଞ୍ଚିଥିଲା ପାସ୍-ଫେଲ ଉଠିବା ଦ୍ୱାରା ତାହା ବି ନଷ୍ଟ ହୋଇଯାଇଛି। ଏହି ସୁଯୋଗରେ ଶିକ୍ଷାର ଘରୋଇକରଣ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇଛି। ସରକାରୀ ଶିକ୍ଷାର ଏଭଳି ଭୟଙ୍କର ପରିସ୍ଥିତିରେ ଏ.ଆଇ.ଡି.ଏସ୍.ଓ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରିଛି। ଆନ୍ଦୋଳନ ଚାପରେ କେନ୍ଦ୍ର ସରକାର ଇତିମଧ୍ୟରେ ତିନୋଟି ପାର୍ଲିଆମେଣ୍ଟାରୀ କମିଟି ଗଠନ କରିଥିଲେ। ପାଶ-ଫେଲ୍ ବ୍ୟବସ୍ଥା ଉଚ୍ଛେଦ ପରେ ସରକାରୀ ଶିକ୍ଷାର ଶୋଚନୀୟ ପରିସ୍ଥିତିକୁ ଦେଖି ତିନୋଟି କମିଟି ପାସ୍-ଫେଲ ବ୍ୟବସ୍ଥା ପୁନଃ ପ୍ରଚଳନ ପାଇଁ ସୁପାରିଶ କରିଥିଲେ। ମାତ୍ର ସରକାର ଏଥିପ୍ରତି ଦୃଷ୍ଟି ନଦେଇ ଚଞ୍ଚକତାପୂର୍ଣ୍ଣ ଭାବେ ଏହାକୁ ଅବହେଳା କରିଚାଲିଲେ। ବର୍ତ୍ତମାନ ପାସ୍ ଫେଲ୍ ପୁନଃ ପ୍ରଚଳନ ଦାବିରେ ଚାଲିଥିବା ଆମ ଦୃଢ ଆନ୍ଦୋଳନ ଫଳରେ କେନ୍ଦ୍ର ସରକାର ଶିକ୍ଷା ଅଧିକାର ଆଇନ୍ ୨୦୦୯ର ସଂଶୋଧନ କରିଛନ୍ତି। ଏହି ନୂତନ ସଂଶୋଧନ ଅନୁସାରେ ୨୦୦୯ ମସିହାରୁ ପ୍ରଥମ ଶ୍ରେଣୀରୁ ଉଠିଯାଇଥିବା ପାସ୍-ଫେଲ୍ ବ୍ୟବସ୍ଥା ପୁନଃ ପ୍ରଚଳନ ପରିବର୍ତ୍ତେ କେବଳ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ କରାଗଲା ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସୂଚନା ଦେଇଛନ୍ତି। ମାତ୍ର ଅନ୍ୟ ଶ୍ରେଣୀ ଗୁଡିକରେ ପାସ୍ ଫେଲ୍ ବ୍ୟବସ୍ଥା ରହିବା ନେଇ ରାଜ୍ୟ ମାନଙ୍କ ନିଷ୍ପତ୍ତି ଉପରେ ଛାଡି ଦିଆ ଯାଇଛି। ପ୍ରଥମ ଶ୍ରେଣୀରୁ ପାସ୍-ଫେଲ୍ ବ୍ୟବସ୍ଥା ଚାଲୁ କରିବା ଜନସାଧାରଙ୍କ ଦାବି ଥିଲାବେଳେ ସରକାରଙ୍କ ବର୍ତ୍ତମାନର ନିଷ୍ପତ୍ତି ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷାକୁ ସଜାଡିବା କ୍ଷେତ୍ରରେ ଅସମର୍ଥ ହେବ ବୋଲି ଆଜି ସାଧାରଣରେ ମତପ୍ରକାଶ ପାଇଛି। ତେଣୁ ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ପାଶ-ଫେଲ ବ୍ୟବସ୍ଥା ତୁରନ୍ତ ଲାଗୁୁ କରିବା ସହିତ ସରକାରୀ ସ୍କୁଲର ସୁରକ୍ଷା, ଭିତ୍ତିଭୂମିର ବିକାଶ, ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି, ପାଠପଢା ପରିବେଶର ଉନ୍ନତି ତଥା ଶିକ୍ଷା ବଜେଟ୍ ବୃଦ୍ଧି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଏ.ଆଇ.ଡି.ଏସ୍.ଓ ଦୃଢ ଦାବି ଉପସ୍ଥାପନା କରିଛି। ଏ.ଆଇ.ଡି.ଏସ.ଓ ରାଜ୍ୟ ଉପ-ସଭାପତି ସିଦ୍ଧାର୍ଥ ରଥ, ଭଦ୍ରକ ସିଟି କମିଟି ସଭାପତି ଗୋବିନ୍ଦ ମଲ୍ଲିକ, ସହ-ସମ୍ପାଦକ ଜିତେନ୍ଦ୍ର ଦାସ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ନେତା ମଣ୍ଟୁଚନ୍ଦ୍ର ମଲ୍ଲିକ, ଚକ୍ରଧର ନାୟକ, ଭିଷ୍ମ ଖିଲାର ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଏହି ମର୍ମରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top