ତିନି ମାସର ନବବଧୂକୁ ପୋଡ଼ି ମାରିଦେବା ଘଟଣାରେ ୪ ଜଣକୁ ୭ ବର୍ଷ ଜେଲ

ଯାଜପୁର-୧୪/୧୧(ଓଡିଆ ପୁଅ/ଏ.ରାଉତ) ବିବାହର ତିନିମାସ ପରେ ଶାଶୁଘର ପରିବାର ନବବଧୂକୁ କିରୋସିନି ଢାଳି ପୋଡ଼ି ମାରିଦେବା ଅଭିଯୋଗରେ ମଙ୍ଗଳବାର ଦିନ ଯାଜପୁରର ଅତିରିକ୍ତ ଜିଲା ଓ ଦୌରାଜଜ୍ ମାନ୍ୟବର ବିକ୍ରମ କୁମାର ପ୍ରଧାନ ୪ ଜଣକୁ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣା ଅନୁଯାୟୀ କେନ୍ଦୁଝର ସହର ପୁରୁଣା ବଜାର ନିବାସୀ କ୍ଷେତ୍ରବାସୀ ସେଠୀଙ୍କ ଝିଅ ମାନସୀ(୨୨) ଯାଜପୁର ଜିଲା ବରୀ ଥାନା ଅନ୍ତର୍ଗତ ଅଭିମନୁ୍ୟ ବାଲିଆ ହରିପୁର ଗ୍ରାମର ରଙ୍ଗାଧର ସେଠୀଙ୍କ ପୁତ୍ର ମଧୁସୂଦନକୁ ୨୦୧୧ ମସିହା ମଇ ମାସ ୧୦ ତାରିଖରେ ବୈଦିକ ମତେ ବିବାହ କରିଥିଲେ । ବରପକ୍ଷ ଦାବୀ ମୁତାବକ କନ୍ୟାଘର ସମସ୍ତ ଜିନିଷ ବିବାହ ସମୟରେ ପ୍ରଦାନ କରିଥିଲେ । ବିବାହର ଏକମାସ ପରେ ଅଧିକା ୫୦ ହଜାର ଟଙ୍କା, ୱାସିଂ ମେସିନ୍ ଓ ଫ୍ରିଜ୍ ଆଣିବାପାଇଁ ଶାଶୁଘର ଲୋକେ ବହୁ ମାନସୀକୁ କହିଥିଲେ । ମାନସୀ ତାର ବାପାଙ୍କୁ ଏହି ଘଟଣା ଜଣାଇବା ପରେ ବାପା ଅକ୍ଷମତା ପ୍ରକାଶ କରିବା ସହ ସୁବିଧା ହେଲେ ଜିନିଷ ଦେବି ବୋଲି କହିଥିଲେ । ବାପଘର ଲୋକେ ଦାବୀ ମୁତାବକ ଅଧିକା ଯୌତୁକ ନଦେବାରୁ ଶାଶୁଘର ଲୋକେ ମାନସୀ ଉପରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ମାନସୀ ବାପଘରକୁ ନିର୍ଯ୍ୟାତନା ବିଷୟରେ ଜଣାଇବାରୁ ସ୍ୱାମୀ ମଧୁସୂଦନ କଲିକାତାରେ ବେପାର କରୁଥିବା ଜାଗାକୁ କିଛିଦିନ ପାଇଁ ସ୍ତ୍ରୀ ମାନସୀକୁ ନେଇ ରଖିବା ପରେ ପୁନଶ୍ଚ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ମାନସୀ ଉପରେ ସ୍ୱାମୀ, ଶାଶୁ, ଶ୍ୱଶୁର ଓ ଯାଆ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଆରମ୍ଭ କରିଦେଇଥିଲେ । ଅଧିକା ଯୌତୁକର ନିଶା ଲାଗିଥିବାରୁ ଦେଢ଼ଶୁର ବୀର ସେଠୀ ବୋହୂ ମାନସୀକୁ ଧରି ୨୦୧୧ ମସିହା ଅଗଷ୍ଟ ମାସ ୧୭ ତାରିଖ ଦିନ ବୋହୂର ବାପଘର କେନ୍ଦୁଝରରେ ପହଞ୍ଚି ଅଧିକା ଯୌତୁକ ଦାବୀ କରିଥିଲେ । ମାତ୍ର ମାନସୀର ବାପା ଅକ୍ଷମତା ପ୍ରକାଶ କରିବାରୁ ୧୯ ତାରିଖ ଦିନ ଦେଢ଼ଶୁର ବୋହୂ ମାନସୀକୁ ଧରି ବାଲିଆ ହରିପୁର ଫେରିଆସିଥିଲେ । ଫେରିଆସିବା ପରେ ୨୦ ତାରିଖ ଦିନ ଶାଶୁ ଚାରୁଲତା, ଯାଆ ସେବତୀ, ଦେଢ଼ଶୁର ବୀର, ସ୍ୱାମୀ ମଧୁସୂଦନ ମିଳିମିଶି ମାନସୀ ଦେହରେ କିରୋସିନି ଢାଳି ପୋଡ଼ି ମାରିଦେଇଥିଲେ । ନାମକୁମାତ୍ର ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ନେଇଥିଲେ ହେଁ ଡାକ୍ତର ମାନସୀକୁ ମୃତ ଘୋଷଣା କରିଥିଲେ । ମାନସୀ କିରୋସିନି ଢାଳିହୋଇ ଆତ୍ମହତ୍ୟା କରିଛି ବୋଲି ଶାଶୁଘର ଲୋକେ ବାପଘରକୁ ଖବର ଦେବାପରେ ବାପଘର ପରିବାରବର୍ଗ ଅଭିମନୁ୍ୟ ବାଲିଆ ହରିପୁର ମାନସୀର ଶାଶୁଘରେ ପହଞ୍ଚି ପାରିପାଶ୍ୱର୍ିକ ଅବସ୍ଥା ଦେଖି ମାନସୀକୁ ହତ୍ୟା କରାଯାଇଛି ବୋଲି ବରୀ ଥାନାରେ ଲିଖିତ ଅଭିଯୋଗ ଦେବାପରେ ବରୀ ଥାନା ଲିଖିତ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ କରି ଶାଶୁ, ଶ୍ୱଶୁର, ସ୍ୱାମୀ ଓ ଯାଆକୁ ଜେଲ ପଠାଇ ଦେଇଥିଲେ । ମଙ୍ଗଳବାର ଦିନ ୧୮ ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତି କରି ଯାଜପୁରର ମାନ୍ୟବର ଅତିରିକ୍ତ ଜିଲା ଓ ଦୌରାଜଜ୍ ବିକ୍ରମ କୁମାର ପ୍ରଧାନ ଶାଶୁ, ଶ୍ୱଶୁର, ଯାଆ ଓ ସ୍ୱାମୀକୁ ୭ ବର୍ଷର ଜେଲ ଦଣ୍ଡାଦେଶ ରାୟ ଶୁଣାଇବା ସହ ଜୋରିମାନା ବାବଦକୁ ପ୍ରତ୍ୟେକଙ୍କୁ ୨ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଥିବା ରାୟ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଅଧିକା ୩ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାଟିକୁ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *