ଭୁବନେଶ୍ୱର ୨/୯ (ଓଡ଼ିଆ ପୁଅ) – ଜଗତସିଂହପୁର ଜିଲ୍ଲାର କୃଷି ଓ କୃଷକମାନଙ୍କ ବିଭିନ୍ନ ସମସ୍ୟାଗୁଡ଼ିକର ଆଶୁ ସମାଧାନ ପାଇଁ ଗତକାଲି ଜିଲ୍ଲାର ସମସ୍ତ ବ୍ଳକର ଅଗ୍ରଣୀ ଚାଷୀ ନେତାମାନଙ୍କୁ ନେଇ ସ୍ଥାନୀୟ ସର୍କିଟ ହାଉସ୍ଠାରେ ଜିଲ୍ଲା କିଷାନ କ୍ଷେତ ମଜଦୁର କଂଗ୍ରେସ ଅଧ୍ୟକ୍ଷ ନିତ୍ୟାନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଏଲ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠଳରେ କଂଗ୍ରେସ କୃଷକ ସେଲ୍ ସଂଗଠନକୁ ଜିଲ୍ଲାର ମୋଟ ୧୨୮୮ଟି ରାଜସ୍ୱ ଗ୍ରାମସ୍ତରରୁ ପଂଚାୟତ, ବ୍ଳକ, ଜିଲ୍ଲା ପର୍ଯ୍ୟନ୍ତ ବ୍ୟାପକ ଭାବେ ସୁଦୃଢ଼ କରାଯିବା ସହିତ ପ୍ରତି ନିର୍ବାଚନ ମଣ୍ଡଳୀସ୍ତରରେ କୃଷକ ଅଧିକାର ସମାବେଶ ଓ ଜିଲ୍ଲାସ୍ତରରେ ବଡ଼ ଧରଣର ଚାଷୀ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତି କରାଯାଇଛି। ଉକ୍ତ ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ତଥା ସ୍ଥାନୀୟ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ଜିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକ, ପିସିସି ପଛୁଆ ବର୍ଗ ବିଭାଗ ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକ, ଜଗତସିଂହପୁର ମୁନିସପାଲଟି ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ ଓ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶିବବ୍ରତ ଦାସ ଅତିଥି ରୂପେ ଯୋଗଦେଇ ବିଜେଡ଼ି ବିଜେପି ସରକାରର ଚାଷୀମାରଣ ନୀତିକୁ ତୀବ୍ର ସମାଲୋଚନା କରିବା ସହିତ ଜଗତସିଂହପୁର ଜିଲ୍ଲାରେ ସରକାର ଓ ପ୍ରଶାସନର ଅପାରଗତା ନେଇ ଚାଷୀକୁଳ ଘୋର ଦୁର୍ଦ୍ଦଶାର ସମ୍ମୁଖିନ ବୋଲି ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଉଭୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଗ୍ରହଣ କରାଯିବ ବୋଲି କହିଥିଲେ। ତାଳଦଣ୍ଡା କେନାଲର ପାଣି ଚାଷ ପରିବର୍ତେ ଶିଳ୍ପାଗାରକୁ ଅଗ୍ରାଧିକାର ଭିତିରେ ଦିଆଯାଉଥିବା ଲାଗି କ୍ଷୋଭ ପ୍ରକାଶ କରିବା ସହିତ କେନାଲ ଖୋଳା ନାମରେ କୋଟି କୋଟି ଟଙ୍କା ହରିଲୁଟ୍ କରାଯାଉଥିବାର ସି.ବି.ଆଇ ତଦନ୍ତ ଦାବି କରିଥିଲେ। ଜିଲ୍ଲାର ଚାଷ ଓ ଚାଷୀଙ୍କ ବାସ୍ତବ ସମସ୍ୟାର ସମାଧାନ ପାଇଁ ପ୍ରତି ବ୍ଳକରେ ଶୀତଳଭଣ୍ଡାର ସ୍ଥାପନ, ସାର କଳାବଜାରୀ ରୋକିବା, ପ୍ରତି ପଂଚାୟତରେ ଗୋଦାମ ଘର ନିର୍ମାଣ, ରାଜ୍ୟ ପାଣ୍ଠିରୁ ଧାନ କୁଇଂଟାଲ ପିଚ୍ଛା ୩ଶହ ଟଙ୍କା ବୋନସ, ସବୁ ଚାଷୀଙ୍କଠାରୁ କୃଷି ଋଣ ଛାଡ଼, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାର ଟଙ୍କାକୁ ବୃଦ୍ଧି, ପ୍ରତି ରାଜସ୍ୱ ଗ୍ରାମକୁ ଫସଲ ବୀମା ଏକକ ୟୁନିଟ୍, ଗତବର୍ଷ ଫସଲବୀମା କ୍ଷତିପୂରଣ ପ୍ରଦାନ, ତାଳଦଣ୍ଡା ଓ ମାଛଗାଁ କେନାଲରେ ଚାଷ ପାଇଁ ନିୟମିତ ପାଣି ଯୋଗାଇବା ଓ ପ୍ରଦୁଷଣ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା, ପନିପରିବା ଫସଲରେ ମାଙ୍କଡ଼ ଦାଉରୁ ରକ୍ଷା ପାଇଁ ବ୍ୟବସ୍ଥା, ଚାଷୀଙ୍କୁ ମାସିକ ୩ହଜାର ଟଙ୍କା ପେନ୍ସନ୍ ଓ ପ୍ରତି ଚାଷୀ ପରିବାରର ଜଣକୁ କୃଷି କ୍ଷେତ୍ରରେ ଦୀର୍ଘସ୍ଥାୟୀ ଆତ୍ମନିଯୁକ୍ତି ବ୍ୟବସ୍ଥା କରିବାକୁ ଦାବି କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ମହନି ରାଉତ, ପିସିସି କୃଷକ ସେଲ୍ ସାଧାରଣ ସମ୍ପାଦକ ନବୀନ କୁମାର ଦାସ, ସମ୍ପାଦକ ବିଶ୍ୱନାଥ ପାଣି, ସଦାନନ୍ଦ ଓଝା, ଲକ୍ଷ୍ମୀନାରାୟଣ ସାମନ୍ତରାୟ, ତପନ ରାଉତରାୟ, ଅଭୟ ସ୍ୱାଇଁ, ନିରଞ୍ଜନ ଦେହୁରୀ, ବିକ୍ରମ ପରିଡ଼ା ପ୍ରମୁଖ କୃଷକ ସେଲର ସମସ୍ତ ଜୋନାଲ୍ କର୍ମକର୍ତା ଯୋଗଦେଇ ଜିଲ୍ଲାର ଚାଷୀମାନଙ୍କ ବୃହତର ସ୍ୱାର୍ଥ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଏବଂ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ ଓ ରାଜ୍ୟ କଂଗ୍ରେସ କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଦୁର୍ବାର କରିବେ ବୋଲି ଆହ୍ୱାନ ଦେଇଥିଲେ।
