ତାଳଚେର ବ୍ଲକ ସରପଂଚ ମହାସଂଘର ତୃତୀୟ ବୈଠକ

ତାଳଚେର, ୨୦/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସରପଂଚ ମହାସଂଘର ତୃତୀୟ ବୈଠକ ବ୍ରଜନାଥପୁର ପଂଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହାସଂଘର ସଭାପତି ତଥା ଧରମପୁର ସରଂପଂଚ ଅକ୍ଷୟ ପାଣି ଅଧ୍ୟକ୍ଷତା କରିଥିଲେ। ଏଥିରେ ତାଳଚେର ବ୍ଲକ ଅଂଚଳରେ କିପରି ଉନ୍ନତିକରଣ କାର୍ଯ୍ୟ ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିରେ ଯୋଗ ଦେଇଥିବା ସରପଂଚମାନେ ଏ ଦିଗରେ ବଦ୍ଧପରିକର ହୋଇ ନିଜ ନିଜର ଦାୟିତ୍ୱ ସମ୍ପନ୍ନ କରିବାକୁ ମତପ୍ରକାଶ ପାଇଥିଲା। ଆଗାମୀ ଦିନରେ ମହାସଂଘ ତାଳଚେରର ବିଭିନ୍ନ ସମସ୍ୟାଗୁଡ଼ିକୁ ପ୍ରଶାସନ ନିକଟରେ ଉପସ୍ଥାପନ କରିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା। ତାଳଚେରରେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଯାଉଥିବା କୋଇଲା ଟ୍ରକ ଏବଂଟ୍ରେନ ଗୁଡ଼ିକରେ ପାଲ ଭିଡ଼ି ନିଆଯିବା ନିମନ୍ତେ ତାଳଚେର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା, ଆର.ଡବ୍ଲ୍ୟୁ.ଏସ୍.ଏସ ପାଣ୍ଠିକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରାଯାଇ ତାଳଚେରର ପ୍ରତି ପଂଚାୟତକୁ ପାନୀୟ ଜଳ ଯୋଗାଣ ନିମନ୍ତେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଆଗାମୀ ସେପ୍ଟମ୍ବର ୫ତାରିଖରେ ରାଜ୍ୟ ବିଧାନସଭା ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା ସରପଂଚମାନଙ୍କର ଧାରଣା ପ୍ରଦର୍ଶନ ଅବସରରେ ତାଳଚେର ସରପଂଚ ମହାସଂଘ ଏଥିରେ ପ୍ରତ୍ୟକ୍ଷ ଭାବେ ସଂଶ୍ଲିଷ୍ଟ ହୋଇ ସରକାରଙ୍କୁ ଏକ ୮ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବ ବୋଲି ନିଷ୍ପତି ଗ୍ରହଣ ହୋଇଥିଲା। ଶେଷରେ ଗୁରୁଜାଙ୍ଗ ପଂଚାୟତର ସରପଂଚ ପରମାନନ୍ଦ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଉକ୍ତ ବୈଠକରେ ଓଡ଼ିଶା ସରପଂଚ ମହାସଂଘର ସମ୍ପାଦକ ଦିଗାମ୍ବର ଜେନାଙ୍କ ସମେତ ବ୍ରଜନାଥପୁର ସରପଂଚ ଭାଗିରଥୀ ସାହୁ, ଘଂଟପଡ଼ା ସରପଂଚ ମନୋଜ ବେହେରା, ବନ୍ତୋଲ ସରପଂଚ ଅବନୀକାନ୍ତ ଦେହୁରୀ, ଡେରା ସରପଂଚ ରଶ୍ମିତା ପ୍ରଧାନ, ଗୁରୁଜାଙ୍ଗ ସରପଂଚ ପରମାନନ୍ଦ ସାହୁ, ପଦ୍ମାବତୀପୁର ସରପଂଚ ଖୁଲଣା ପରିଡ଼ା, କଳମଛୁଇଁ ସରପଂଚ ସ୍ୱାଗତିକା ବିଶ୍ୱାଳ, ଗୁରୁଜାଙ୍ଗୁଲି ସରପଂଚ ସନ୍ତୋଷ କୁମାର ମହାନ୍ତି, କଙ୍କିଳି ସରପଂଚ ସୁଧାକର ଦାସ ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *