ତାଳଚେର ବିଷୁବ ମିଳନ କମିଟିର ବାର୍ଷିକ ଉତ୍ସବ ପାଳିତ

ତାଳଚେର, ୨୪/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଗ୍ରଣୀ ସାହିତ୍ୟ ଓ ସଂସ୍ମୃତି ଅନୁଷ୍ଠାନ ବିଷୁବ ମିଳନ କମିଟିର ୧୬ତମ ବାର୍ଷିକ ଉତ୍ସବ ସ୍ଥାନୀୟ ପଞ୍ଚାୟତ ସମିତି ସଭାଘରଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏକ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ଉକ୍ତ ସାରସ୍ୱତ ଉତ୍ସବରେ ଅନୁଗୋଳ ଜିଲ୍ଲାର କୋଣ ଅନୁକୋଣରୁ ଶତାଧିକ ସାହିତ୍ୟିକ, ବୁଦ୍ଧିଜୀବୀ, କବି, କବୟିତ୍ରୀ ଯୋଗ ଦେଇଥିଲେ। ପ୍ରାରମ୍ଭରେ ପଭୁ ଜଗନ୍ନାଥଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି ଅତିଥି ମାନେ ଏହି ଉତ୍ସବର ଶୁଭାରମ୍ଭ କରିଥିଲେ। ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ସୀତାରାମ ମିଶ୍ର ଯୋଗ ଦେଇ ଓଡ଼ିଆ ଭାଷା ଏବଂ ସାହିତ୍ୟ ଉଚ୍ଚକୋଟୀର ବୋଲି ମତବ୍ୟକ୍ତ କରିବାସହ ଏହା ସମାଜ ଉପରେ ସୁଦୂର ପ୍ରସାରୀ ପ୍ରଭାବ ପକାଇ ଆସୁଛି ବୋଲି କହିଥିଲେ। ଏଥିସହ ଦେଶ ବିଦେଶରେ ଏହା ଖ୍ୟାତି ଅର୍ଜନ କରିପାରିଛି। ଏଣୁ ପ୍ରତ୍ୟେକ ଓଡ଼ିଆ ନିଜର ମାତୃଭାଷା ପ୍ରତି ଭଲପାଇବା ଆବଶ୍ୟକ ବୋଲି ବକ୍ତବ୍ୟରେ ମାଧ୍ୟମରେ ପରାମର୍ଶ ଦେଇଥିଲେ। ଅନ୍ୟତମ ମୁଖ୍ୟବକ୍ତା ନାଟ୍ୟକାର ମୁକୁନ୍ଦ ଶତପଥି ଏବଂ ଡକ୍ଟର ସଦାନନ୍ଦ ପରିଡା ଯୋଗଦେଇ ଅବକ୍ଷୟମୁଖୀ ଓଡ଼ିଆ ଭାଷାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିବା ସହିତ ସାହିତ୍ୟ ଅନୁଷ୍ଠାନ ଗୁଡିକ ଯତ୍ନବାନ ହେଲେ ସାହିତ୍ୟ ଓ ଭାଷା ଉନ୍ନତିର ସୋପାନ ଛୁଇଁବ ବୋଲି ମତପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିଳ୍ପଦ୍ୟୋଗୀ ମାଗୁଣୀ ଚନ୍ଦ୍ର ପ୍ରଧାନ, ପରିବେଶବିତ୍ ବାଉରୀବନ୍ଧୁ ବେଜ ପ୍ରମୁଖ ଯୋଗ ଦେଇ ନିଜ ବକ୍ତବ୍ୟ ମାଧ୍ୟମରେ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ଜିତେନ୍ଦ୍ର ମହାପାତ୍ର ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କବୟିତ୍ରୀ ଶ୍ୱାତୀ ନନ୍ଦୀଙ୍କର ସ୍ୱରଚିତ ପୁସ୍ତକ ‘ଦୁଇଟି କବିତା’କୁ ଅତିଥିଗଣ ଉନ୍ମୋଚିତ କରିଥିଲେ। ପ୍ରତିବର୍ଷ ଭଳି ସମାଜର ବିଭିନ୍ନ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୭ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ସାହିତ୍ୟ ପାଇଁ କବି ମାଗୁଣୀ ଚନ୍ଦ୍ର ପ୍ରଧାନ, ଶାନ୍ତିଲତା ରଥ, ଜଗଦୀଶ ସାହୁ, ଅନିତା ପାଣି, ମନୋଜା ନାଏକ, ସଦାନନ୍ଦ ପରିଡା, ଗୀତାମୟୀ ମହାପାତ୍ର, ସୁମନ୍ତ ନନ୍ଦ, ଅଭିନୟ ପାଇଁ ହେମନ୍ତ କୁମାର ଦାସ, ଅଙ୍ଗଦାନ ପାଇଁ ପ୍ରଭାକର ଭୂତିଆ, ଧର୍ମ ସଂସ୍କାର ପାଇଁ ଉତର ସେନ୍, ସାମାଜିକ କାର୍ଯ୍ୟ ପାଇଁ ବାଙ୍କନିଧି ମହାପାତ୍ର, ପଙ୍କଜିନୀ ମହାନ୍ତି, ଜ୍ଞାନେଶ୍ୱର ସାହୁ, ଜ୍ଞାନଦତ୍ତ ସ୍ୱାଇଁ, ଗଣମାଧ୍ୟମ ପ୍ରତିନିଧି ଜମ୍ବେଶ୍ୱର ପଟ୍ଟନାୟକ, ଭାଗ୍ୟରଥି ମହାପାତ୍ର, ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲକୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଏକ ଜିଲ୍ଲାସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏହାକୁ କବୟିତ୍ରୀ ମନୋଜା ନାଏକ ଓ ତ୍ରିନାଥ ସାହୁ ସଂଯୋଜନା କରିଥିଲେ। ଶେଷରେ ଅନୁଷ୍ଠାନ ତରଫରୁ ସୁବିର ନାଏକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ପ୍ରିୟମାଧବ ଦାସ, ସିତିକାନ୍ତ ବାରିକ, ମନିଲ ମହାରଣା, ସମାଜସେବୀ ବାପି ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *