ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ଓ ଜମି ଅଧିଗ୍ରହଣ ଧିମା : କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦିଲିପ ରାୟଙ୍କ ଦାବି

ଭୁବନେଶ୍ୱର, ୭ା୯(ଓଡ଼ିଆ ପୁଅ): ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳପଥ ଭଳି ତାଳଚେର-ବିମଳାଗଡ଼ ରେଳପଥ କାମ ରାଜ୍ୟ ସରକାର କେନ୍ଦ୍ର ସହ ବୁଝାମଣା କରି ସହଭାଗିତା ଭିତ୍ତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ବିଧାୟକ ଦିଲିପ ରାୟ ଦାବି କରିଛନ୍ତି। ଏଯାବତ୍ ଏହି ଗୁରୁତ୍ୱପୂର୍ଣ୍ଣ ରେଳପଥ ଲାଗି ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇନଥିବା ବେଳେ କେନ୍ଦ୍ର ବଜେଟ୍ରେ ବିଭିନ୍ନ ବର୍ଷରେ ୮୩୯ କୋଟି ଟଙ୍କା ବରାଦ ହୋଇଥିବା ସ୍ଥଳେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ଅଭାବରୁ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ବ୍ୟାହତ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ରେଳପଥ ନିର୍ମାଣ ସଂକ୍ରାନ୍ତରେ ଶ୍ରୀ ରାୟ ବିଧାନସଭାରେ ଦୁଇଟି ପ୍ରଶ୍ନ ଉଠାଇଥିଲେ। ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ ତାଙ୍କ ଉତ୍ତରରେ କହିଛନ୍ତି ଯେ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳପଥର ୧୧୨ କିମିରୁ ୨୮୯ କିମି ଦୀର୍ଘ ରେଳପଥ ଲାଗି ରାଜ୍ୟ ସରକାର ସମସ୍ତ ଜମି ମାଗଣାରେ ଏବଂ ନିର୍ମାଣ ଖର୍ଚ୍ଚର ୫୦ ପ୍ରତିଶତ ଅର୍ଥ ଯୋଗାଇ ଦେବାକୁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ତେବେ ତାଳଚେର-ବିମଳାଗଡ଼ ରେଳପଥର ବ୍ୟୟବରାଦ ରେଳବାଇ ଦ୍ୱାରା କରାଯାଉଛି ଏବଂ ଏହି ପ୍ରକଳ୍ପ ପାଇଁ ଯେଉଁ ଜମିର ଆବଶ୍ୟକତା ରହୁଛି ତାହା ରାଜ୍ୟ ସରକାର ଅଧିଗ୍ରହଣ କରୁଛନ୍ତି। ତେବେ ୧୪ ବର୍ଷ ଧରି ଏହି କାମ ଅତ୍ୟନ୍ତ ଧିମା ଗତିରେ ଚାଲୁଛି ବୋଲି ବିଧାୟକ ଶ୍ରୀ ରାୟ ଆରୋପ କରିବା ସହିତ କେନ୍ଦ୍ର ସହ ରାଜ୍ୟ ବୁଝାମଣାପତ୍ର ସ୍ୱାକ୍ଷର କରି ଏହାର ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ଲାଗି ଦାବି ଉଠାଇଛନ୍ତି।

ପରିବହନ ମନ୍ତ୍ରୀ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ୨୦୦୪-୦୫ ଆର୍ଥିକ ବର୍ଷରେ ଘୋଷଣା କରିଥିଲେ ଏବଂ ଉକ୍ତ ବର୍ଷ ବଜେଟ୍ରେ ମାତ୍ର ୫ କୋଟି ଟଙ୍କା ବ୍ୟବସ୍ଥା କରିଥିବା ବେଳେ ଚଳିତ ଆର୍ଥôକ ବର୍ଷରେ ୩୦୦ କୋଟି ଟଙ୍କା କେନ୍ଦ୍ର ରେଳ ବଜେଟ୍ରେ ବ୍ୟବସ୍ଥା ହୋଇଛି। ଏହି ୧୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ତାଳଚେର-ବିମଳାଗଡ଼ ରେଳପଥ ପାଇଁ ମୋଟ୍ ୮୩୯ କୋଟି ଟଙ୍କା ବ୍ୟବସ୍ଥା କରିଥିବା ସେ ସୂଚାଇଛନ୍ତି।

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଉକ୍ତ ରେଳପଥ ଲାଗି ୨୦୯୬.୬୭୬ ଏକର ଜମି ଆବଶ୍ୟକ ଥିବା ବେଳେ ସେଥିରୁ ଏଯାବତ୍ ମାତ୍ର ୪୩୭.୦୨୪ ଏକର ଜମି ଦିଆଯାଇଛି। ଏଥିଲାଗି ମୋଟ୍ ୯୯୪.୫୨୫ ଏକର ବେସରକାରୀ ଜମି ଆବଶ୍ୟକ ପଡ଼ୁଥିବା ବେଳେ ଅଧିଗୃହୀତ ହୋଇଛି ମାତ୍ର ୨୯୭.୧୨୫ ଏକର। ସେହିପରି ଏହି ପ୍ରକଳ୍ପ ଲାଗି ୪୨୭.୯୨୧ ଏକର ସରକାରୀ ଜମି ଆବଶ୍ୟକ ପଡ଼ୁଥିବା ବେଳେ ଏଯାବତ୍ ଯୋଗାଯାଇଛି ମାତ୍ର ୮୦.୫୮୪ ଏକର। ତାଳଚେର-ବିମଳାଗଡ଼ ରେଳପଥ ଲାଗି ୬୭୪.୨୩ ଏକର ଜଙ୍ଗଲ ଜମି ଆବଶ୍ୟକ ପଡ଼ୁଥିବା ବେଳେ ଏଯାବତ୍ ଏଥିରୁ ଅଧିଗୃହୀତ ହୋଇଛି ମୋଟେ ୫୯.୩୧୫ ଏକର।

ତାଳଚେର-ବିମଳାଗଡ଼ ରେଳପଥ ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୪୪.୧୮ କିମି ଦୈର୍ଘ୍ୟର ରହିବ। ଏହି ରେଳପଥ କାର୍ଯ୍ୟକାରୀ ହେଲେ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଦୂରତା ବହୁତ କମିଯିବ। ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ସମୟରୁ ମାଲ୍ ପରିବହନକୁ ଦୃଷ୍ଟିରେ ରଖି ତାଳଚେର-ବିମଳାଗଡ଼ ରେଳପଥର ପରିକଳ୍ପନା କରାଯାଇଥିଲା। ଏହା କାର୍ଯ୍ୟକ୍ଷମ ହେଲେ ରାଉରକେଲା ଇସ୍ପାତ କାରଖାନା ସମେତ ଅନ୍ୟ ବହୁ ସରକାରୀ ସଂସ୍ଥାନ ବାର୍ଷିକ ଶତାଧିକ କୋଟି ଟଙ୍କା ଲାଭ ପାଇବେ। ଏହାଛଡ଼ା ବେସରକାରୀ ଉଦ୍ୟମରେ ରାଜ୍ୟରେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥା ତଥା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଏଥିରୁ ଢେର୍ ସୁବିଧା ପାଇବେ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ସୀମିତ ସମୟ ମଧ୍ୟରେ ଜମି ଅଧିଗ୍ରହଣ ଶେଷ କରି ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏକ ସଙ୍ଗେ ଏହି ରେଳପଥର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଏବଂ ଆସନ୍ତା ରେଳ ବଜେଟ୍ରେ ଏଥିଲାଗି ଯେପରି ଅଧିକ ଅର୍ଥ ବରାଦ ହୋଇପାରେ ସେ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *