ଅନୁଗୁଳ

ତାଳଚେର-ବିମଳାଗଡ ରେଳପଥ ପାଇଁ ଜାରି ରହିବ ସଂଗ୍ରାମ ତାଳଚେର-ବିମଳାଗଡ଼ ବିମଳାଗଡ ରେଳପଥ ସଂଗ୍ରାମ ସମିତି ଗଠିତ

ରାଉରକେଲା ୨-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ୧୯୬୭ରୁ ୧୯୬୯ର ଦୁଇ ବର୍ଷ ପ୍ରସ୍ତୁତି ପରେ, ରାଉରକେଲା ଛାତ୍ର କ୍ରିୟାନୁଷ୍ଠାନ କମିଟି, ଗୁରୁତ୍ୱପୂର୍ଣ୍ଣ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ପାଇଁ ଆରମ୍ଭ କରିଥିଲା ବିରାଟ ଆନ୍ଦୋଳନ। ଏବେ ଏହା ପାଖାପାଖି ୫୦ ବର୍ଷ ଛୁଇଁବାକୁ ଯାଉଛି। କିନ୍ତୁ ଏହାର ସ୍ଥିତିରେ କୌଣସି ଅଗ୍ରଗତି ଘଟିନାହିଁ। ଅଞ୍ଚଳବାସୀଙ୍କର ବହୁ ଦିନର ଦାବି ଅଦ୍ୟାବଧି ବାସ୍ତବ ରୂପ ନେଇ ନ ଥିବାରୁ ଜନଗଣଙ୍କୁ ନେଇ ଆଉ ଏକ ଦୁର୍ବାର ଆନ୍ଦୋଳନ ଆବଶ୍ୟକ ବୋଲି ତାଳଚେର-ବିମଳାଗଡ଼ ସଂଗ୍ରାମ ସମିତି ପକ୍ଷରୁ ଆଜି ରାଉରକେଲା ପ୍ରେସ୍ କ୍ଲବ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହାର ଆବାହକ ତଥା ୧୯୬୯ରେ ଏଥିପାଇଁ ହୋଇଥିବା ଐତିହାସିକ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିବା ବରିଷ୍ଠ ସାମ୍ବାଦିକ ଶ୍ରୀ ଅଦ୍ୱୈତ ପ୍ରସାଦ ବିଶ୍ୱାଳ, ତତ୍ କାଳୀନ ଆନ୍ଦୋଳନର ପୃଷ୍ଠଭୂମି ଓ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଲେ ଯେ ୧୯୫୫ ମସିହାରେ ଦେଶର ପ୍ରଥମ ରାଷ୍ଟ୍ରୀୟ ଉଦେ୍ଦ୍ୟାଗ, ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ଆରମ୍ଭ ହେବା ବେଳକୁ ଏହି ଇସ୍ପାତ କାରଖାନାର ନକ୍ସା ନିର୍ମାଣକାରୀ ଜର୍ମାନୀ ଯନ୍ତ୍ରୀମାନେ, ଏଠାରୁ ପୂର୍ବ ଉପକୂଳ ପାରାଦ୍ୱୀପ ବନ୍ଦର ସହିତ, ରେଳ ସଂଯୋଗ ଜରୁରୀ ବୋଲି ପ୍ରସ୍ତାବ ଦେଇଥିଲେ। ଏହି ରେଳପଥ ନିର୍ମାଣ ପାଇଁ ଶ୍ରୀ ବିଶ୍ୱାଳଙ୍କ ସହିତ, ରାଉରକେଲାର ପୂର୍ବତନ ବିଧାୟକ ସ୍ୱର୍ଗତ ବ୍ରଜ କିଶୋର ମହାନ୍ତି, ବିଷ୍ଣୁ ମହାନ୍ତି, ହରିହର ରାଉତରାୟ ପ୍ରମୁଖଙ୍କ ଆହ୍ୱାନ କ୍ରମେ, ରାଉରକେଲାରେ ଏକ ବିରାଟ ଛାତ୍ର ଆନ୍ଦୋଳନ ଗଢ଼ି ଉଠିଥିଲା। ଗୋଟିଏ ଦିନ ପାଇଁ ରାଉରକେଲା ବନ୍ଦ ଡାକରା ଦିଆଯାଇ ଥିଲା ବେଳେ କ୍ରମାନ୍ୱୟରେ ଦଶ ଦିନ, ରାଉରକେଲା ସହର, ରାଉରରେଲା ଇସ୍ପାତ କାରଖାନା ସମେତ ରେଳ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଏଥିରେ ତତ୍ କାଳୀନ ରାଜନେତା, ଶିକ୍ଷକ, କର୍ମଜୀବୀ, ଶ୍ରମିକ, ସର୍ବସାଧାରଣ ଯୋଗ ଦେଇଥିଲେ। ଏପରିକି ୬ଷ୍ଠ ଓ ୭ମ ଶ୍ରେଣୀରେ ପଢୁଥିବା ଛାତ୍ରମାନେ ମଧ୍ୟ, ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ଆନ୍ଦୋଳନ ଦ୍ୱାରା ହୋଇଥିବା ଐତିହାସିକ ରାଉରକେଲା ବନ୍ଦ୍ ର ପ୍ରଭାବ ୧୦ଦିନ ଧରି ରହିଥିଲା। ବ୍ରଜ କିଶୋର ମହାନ୍ତି, ଅଦ୍ୱୈତ ପ୍ରସାଦ ବିଶ୍ୱାଳ ଓ ହରିହର ରାଉତରାୟଙ୍କୁ ଜାତୀୟ ସୁରକ୍ଷା ଆଇନ ବଳରେ ଗିରଫ କରାଯାଇ, ଏକମାସ ୭ ଦିନ ସୁନ୍ଦରଗଡ ଜେଲରେ ରଖା ଯାଇଥିଲା। ରାଜ୍ୟ ଶାସନରେ ଏହି ବନ୍ଦ୍ ର ପ୍ରଭାବ ଅନୁଭୂତ ହୋଇଥିଲା। ୧୯୬୯ ମସିହାରେ ଓଡ଼ିଶା ବିଧାନସଭାରେ, ଏହାକୁ ନେଇ ରେଳପଥ ନିର୍ମାଣ ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଗଲା ଓ ନିଜେ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଅନ୍ୟ ମନ୍ତ୍ରୀ ଓ ସର୍ବଦଳୀୟ ବିଧାୟକଙ୍କ ସହିତ, ପାରିତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ନେଇ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରକ୍ରିୟା ଅଧାରେ ପଡି ରହିଗଲା।

୧୦ବର୍ଷ ପରେ ୧୯୭୯ ମସିହାରେ, କେନ୍ଦ୍ରରେ ଜନତା ସରକାର ଅମଳରେ ବିଜୁବାବୁ ଇସ୍ପାତ ମନ୍ତ୍ରୀ, ରବିରାୟ ବାଚସ୍ପତି ଏବଂ ମଧୁ ଦଣ୍ଡବତେ ରେଳମନ୍ତ୍ରୀ ଥିବାବେଳେ, ଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ତାଳଚେର-ବିମଳାଗଡ ରେଳପଥ ନିର୍ମାଣର ଆବଶ୍ୟକତା ଏବଂ ଗୁରୁତ୍ୱ ସମ୍ପର୍କରେ ଦାବି ଉପସ୍ଥାପନ କରିଥିଲେ। ପରେ ତାଳଚେର-ବିମଳାଗଡ଼ ରେଳପଥ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ଓ ଦାବି ଫଳରେ ୩-୪ଥର ଏଥିପାଇଁ ସର୍ଭେ ହେବା ପରେ, ଶେଷରେ ୨୦୦୩-୦୪ ବଜେଟ୍ ରେ ଏଥିପାଇଁ ୧ଲକ୍ଷ ଟଙ୍କା ସାଙ୍କେତିକ ମଞ୍ଜୁରୀ ଦିଆଯାଇଥିଲା।

ଜର୍ମାନ୍ ଯନ୍ତ୍ରୀଙ୍କମାନଙ୍କ ନକ୍ସା ହିସାବରେ, ପାଲଲହଡାର ପାହାଡରେ ଏକ ଟନେଲ ଦେଇ ରେଳଲାଇନ୍ ଯାଇଥିଲେ, ଏହାର ଦୂରତା ୧୦୧ କି.ମି. ହୋଇଥା’ନ୍ତା। କିନ୍ତୁ କେନ୍ଦ୍ର ରେଳମନ୍ତ୍ରଣାଳୟର ସର୍ଭେ ଅନୁସାରେ ଏହା ୧୫୪ କି.ମି. ହେଲା। ଶେଷରେ ଏହି ଦୂରତା ବର୍ତ୍ତମାନ ୧୪୯ କି.ମି.ରେ ଚୂଡ଼ାନ୍ତ ହୋଇଛି। ତାଳଚେରଠାରୁ ୪୦ କି.ମି. ରେଳପଥ ପାଇଁ ଜମି ଅଧିଗ୍ରହଣ ଓ ଆନୁଷଙ୍ଗିକ ଅସୁବିଧା ଦୂର ହେବା ପରେ, ପ୍ରାରମ୍ଭିକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହି ରେଳପଥ ତାଳଚେରରୁ କଣିହାଁ ୧୦ କି.ମି. ଏନ୍ ଟିପିସି ଦ୍ୱାରା ନିର୍ମାଣ ହୋଇଥିବାରୁ, ଅବଶିଷ୍ଟ ୩୦ କି.ମ. ରାସ୍ତା ରେଳବାଇ କରୁଛି। ଅବଶିଷ୍ଟ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇ ନାହିଁ। ପରବର୍ତ୍ତୀ ଅବସ୍ଥାରେ ଏହି ରେଳପଥ ପାଇଁ ଅନୁଦାନ ଆସି ଖର୍ଚ୍ଚ ନ ହୋଇ ଫେରି ଯାଉଛି। ଆସୁଥିବା ଟଙ୍କା ଫେରି ନ ଯିବା ପାଇଁ କମିଟି ପକ୍ଷରୁ ପୂର୍ବତଟ ରେଳପଥକୁ ଅନୁରୋଧ କରାଯିବା ସହିତ, ଏହି ଅର୍ଥର

ବିନିଯୋଗ ପାଇଁ ପ୍ରସ୍ତାବ ଦିଆଯାଇ ଥିଲା। ଏହି ପ୍ରସ୍ତାବ ଅନୁସାରେ ଜଙ୍ଗଲ ଓ ପରିବେଶ ସମସ୍ୟା ନ ଥିବା ସ୍ଥାନରେ କଲଭର୍ଟ, ଛୋଟ ଓ ମଧ୍ୟମ ସେତୁ ନିର୍ମାଣ ପାଇଁ ଅନୁରୋଧ କରାଯାଇ ଥିଲା। ପୂର୍ବତଟ ରେଳପଥ ଏହାକୁ ଗ୍ରହଣ କରି ଏହିସବୁ କାର୍ଯ୍ୟପାଇଁ ଟେଣ୍ଡର ପ୍ରକ୍ରିୟା କରିଛନ୍ତି।

ଆସିଥିବା ଅନୁଦାନରୁ ୧୬୫.୧୫କୋଟି ଟଙ୍କା ମାତ୍ର ଖର୍ଚ୍ଚ ହୋଇଥିବା ବେଳେ, ୪୭୮ କୋଟି ଟଙ୍କା ଜମା ହୋଇ ରହିଛି। ଏହି ରେଳପଥ ନିର୍ମାଣକୁ ତ୍ୱରାନ୍ୱିତ କରିବା ପାଇଁ ଉଭୟ ପାଶ୍ୱର୍ରୁ ୭୦ କି.ମି. ରେଳପଥ ନିର୍ମାଣ ଉପରେ କମିଟି ଗୁରୁତ୍ୱ ଆରୋପ କରିଛି। ରେଳବାଇ ପ୍ରକଳ୍ପ ସକାଶେ ଜମି ଅଧିଗ୍ରହଣ ପାଇଁ ଥିବା ଜଙ୍ଗଲ, ଜମି ଓ ପରିବେଶ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ, ଏପ୍ରିଲ ୨୦୧୩ ଓ ଜୁନ୍ ୨୦୧୪ରେ ୨ଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ଜଙ୍ଗଲ ଓ ପରିବେଶ ବିଭାଗ ମୁଖ୍ୟ ବନ ସଂରକ୍ଷକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ସଚିବଙ୍କୁ ନେଇ ଗଠନ କରାଯାଇଥିବା ‘ସେଲ’କୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଦେଢ଼ ବର୍ଷ ଭିତରେ ଏହି ସେଲର ବୈଠକ ଆଦୌ ବସିଲା ନାହିଁ ବା କୌଣସି ନିଷ୍ପତ୍ତି ନିଆଗଲା ନାହିଁ। କମିଟି ସ୍ମାରକପତ୍ର ଦେବା ପରେ, ଏହି ୪୦ କି.ମି. ଜମି ଅଧିଗ୍ରହଣ କାର୍ଯ୍ୟ କରାଯାଇ ପରିବେଶ ମଞ୍ଜୁରୀ ମିଳି ପାରିଛି।

ଗତ ୨୭ ଜୁଲାଇ ୨୦୧୫ରେ ରାଜ୍ୟ ପରିବହନ ମନ୍ତ୍ରୀ, ରେଳବାଇ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୬ ମାସ ମଧ୍ୟରେ ଶେଷ ହେବ ବୋଲି ବିଧାନସଭାରେ ପ୍ରତିଶୁ୍ରତି ଦେଇଥିଲେ। କିନ୍ତୁ ୧୩୮ କି.ମି ରେଳପଥ ପାଇଁ ସରକାରୀ ଜମି ହସ୍ତାନ୍ତର କରାଯାଇ ଥିଲେ ମଧ୍ୟ, ଘରୋଇ ଜମି ଅଧିଗ୍ରହଣ ଆରମ୍ଭ ହୋଇ ନାହିଁ ଏବଂ ସେହି ଜମିମାନଙ୍କର ଜଙ୍ଗଲ ଓ ପରିବେଶ ସମସ୍ୟାର ସମାଧାନ ହୋଇ ନ ଥିବାରୁ, ରେଳବାଇ କୌଣସି କାମ କରି ପାରୁନାହିଁ ବୋଲି ଅଭିଯୋଗ କରିଛି।

ଜମି ଅଧିଗ୍ରହଣ କାର୍ଯ୍ୟ ଆଗକୁ ବଢାଇବାକୁ ସୁନ୍ଦରଗଡ, ଦେବଗଡ, ଅନୁଗୁଳର ଜିଲ୍ଲାପାଳମାନେ ଆଗ୍ରହ ପ୍ରକାଶ କରି ନାହାନ୍ତି। ସୁନ୍ଦରଗଡ ଜିଲ୍ଲା ପାଇଁ, ଜମି ଅଧିଗ୍ରହଣ ପାଇଁ ସରକାର ଜଣେ ଅବସରପ୍ରାପ୍ତ ଓ.ଏ.ସ୍ ଅଧିକାରୀଙ୍କୁ ଜିଲ୍ଲାରେ ନୋଡାଲ ଅଫିସର ଭାବେ ନିକଟରେ ଅବସ୍ଥାପିତ କରିଛନ୍ତି। ଜିଲ୍ଲାପାଳଙ୍କ ପକ୍ଷରୁ ୯.୫ ଏକର ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି ହୋଇଥିବା ବେଳେ, ଲୋକେ ବି ଏହି କାର୍ଯ୍ୟପାଇଁ ସେମାନଙ୍କର ଆନ୍ତରିକତାକୁ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ରେଳପଥ ନିର୍ମାଣ ପାଇଁ ବ୍ୟାପକ ଜନ ଜାଗରଣ ଆବଶ୍ୟକ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ। ଶ୍ରମିକନେତା ବିଷ୍ଣୁ ମହାନ୍ତି କହିଲେ ଯେ ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାବାସୀଙ୍କର, ଏହା ହେଉଛି ବହୁ ପ୍ରତିକ୍ଷୀତ ଦାବି। ଏହାକୁ ହାସଲ କରିବା ପାଇଁ ଆଉ ଏକ ଦୁର୍ବାର ଆନ୍ଦୋଳନ ଆବଶ୍ୟକ। ହରିହର ରାଉତରାୟ ଏହାକୁ ସଫଳ କରିବା ପାଇଁ ଜନସାଧାରଣ ଓ ଗଣମାଧ୍ୟମର ସହଯୋଗ କାମନା କରିଥିଲେ। ଆରଏସପି ଅଫିସର ସଂଘ ସଭାପତି ବିମଳ ବିଶି ବିଧାନସଭାରେ ଥିବା ରେଳବାଇ କମିଟି, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରୁ ନ ଥିବାରୁ ଉଦ୍ ବେଗ ପ୍ରକାଶ କରିଥିଲେ। ଏହାର ସଫଳତା ପାଇଁ ରାଉରକେଲାବାସୀ ଆଗ୍ରହୀ, ଏଥିପାଇଁ ପ୍ରବଳ ଉଦ୍ୟମ ଆବଶ୍ୟକତା ଅଛି ବୋଲି ଶ୍ରୀ ବିଶି ମତ ଦେଇଥିଲେ। ଅମୂଲ୍ୟ ଚରଣ ବରାଳ କହିଲେ ଯେ ୧୯୯୩ ମସିହାରେ ଓଡ଼ିଶାର କାହ୍ନୁଚରଣ ଲେଙ୍କା ରେଳମନ୍ତ୍ରୀ ଭାବେ ଅବସ୍ଥାପିତ ହେବା ପରେ, ଏହି ଗୁରୁତ୍ୱପୂର୍ଣ୍ଣ ରେଳପଥକୁ ପୁନର୍ବାର ରେଳ ମନ୍ତ୍ରଣାଳୟ ସର୍ଭେ କରିଥିଲା। କିନ୍ତୁ କାହ୍ନୁ ଲେଙ୍କାଙ୍କ କାର୍ଯ୍ୟକାଳ ସରିବା ପରେ ଏହି ରେଳପଥ ମଂଜୁରୀକୁ ଚାପି ଦିଆଗଲା। ଏହି ରେଳପଥ ନିର୍ମାଣ ହେଲେ ହଳଦିଆ ବନ୍ଦର ତୁଳନାରେ, ପାରାଦ୍ୱୀପ ବନ୍ଦରକୁ ଦୂରତା କମ୍ ହେବ ଏବଂ ମାଲ୍ ପରିବହନ ହଳଦିଆ ପରିବର୍ତ୍ତେ ପାରାଦ୍ୱୀପ ବନ୍ଦର ବାଟେ କରାଯିବାର ସମ୍ଭାବନା ଥିବାରୁ, ଏହାକୁ ନ କରାଇ ଦେବା ପାଇଁ କଲିକତା ଲବିର ହୀନଚକ୍ରାନ୍ତ ସଫଳ ହୋଇଛି। ତେବେ ପରବର୍ତ୍ତୀ ଅବସ୍ଥାରେ ଏହାର ମଞ୍ଜୁରୀ ମିଳିଥିଲେ ମଧ୍ୟ, ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ, ଏହାର ରେଳପଥ ନିର୍ମାଣର ବାଧକ ସାଜିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସୁଧୀର ସୁନ୍ଦରରାୟ, ମିହିର ରାୟ, ନିରଞ୍ଜନ ଦାସ, ରମେଶ ବଳ, ଛବି ମହାନ୍ତି, ବିମାନ ମାଇତି ପ୍ରମୁଖ ଏହି ରେଳପଥର ବାସ୍ତବ ରୂପାୟନ ପାଇଁ ଆନ୍ଦୋଳନର ରୂପରେଖ ଉପରେ ଆଲୋଚନା କରିବା ସହିତ, ଏହାକୁ ସବୁ ମହଲର ସମର୍ଥନ ଓ ସହଯୋଗ କାମନା କରିଥିଲେ। ଏହି ରେଳପଥ ପାଇଁ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବାକୁ ଜନମତ ସୃଷ୍ଟି କରିବା ପାଇଁ ରାଉରକେଲାର ସାମାଜିକ, ସାଂସ୍କୃତିକ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଶ୍ରମିକ ସଙ୍ଗଠନ, ରାଜନୈତିକ ଦଳର ନେତୃବୃନ୍ଦ ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ନେଇ, ଆଗାମୀ ଅଗଷ୍ଟ ୫ତାରିଖ ସକାଳ ରବିବାର ୧୦ଟା ସମୟରେ, ସେକ୍ଟର-୬ ବସ୍ତିଆ ଭବନରେ, ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ଆସନ୍ତା ଅଗଷ୍ଟ ୨୦ ତାରିଖ ଦିନ ଭଞ୍ଜ ଭବନରେ, ଏକ ବିଶାଳ ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅଗଷ୍ଟ ୮ ତାରିଖ ଦିନ ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ, ଏହି ପ୍ରସଙ୍ଗର ଗୁରୁତ୍ୱକୁ ଉପସ୍ଥାପନ କରାଯିବ। ଏହି ରେଳପଥ ଯାଉଥିବା ଅଞ୍ଚଳର ବିଧାୟକ ଓ ସାଂସଦଙ୍କୁ ଏହାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଯାଇ, ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ ଉପରେ ଚାପ ସୃଷ୍ଟି କରିବା ପାଇଁ ଅନୁରୋଧ କରାଯିବ ବୋଲି କମିଟିର କର୍ମକର୍ତ୍ତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top