ଅନୁଗୁଳ

ତାଳଚେର ପୌର କାର୍ଯ୍ୟାଳୟରେ ତାଲା ପକାଇଲେ ବିଜେପି କାଉନସିଲର

ତାଳଚେର, ୨୮/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିନା ବୈଠକରେ ବେଆଇନ୍ ଭାବରେ ତାଳଚେର ନଗରପାଳ ଓ ନିର୍ବାହୀ ଅଧିକାରିଣୀ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା, ୨୦୧୮-୧୯ର ବାର୍ଷିକ ବଜେଟ୍ ଅବଧି ୮ମାସ ବିତି ଯାଇଥିଲେ ସୁଧା ବଜେଟ୍ ବୈଠକ ଉପସ୍ଥାପନ ନକରିବା ଓ ମାସିକ ସାଧାରଣ ବୈଠକ ଠିକ୍ ଭାବରେ ନହୋଇ ପ୍ରତି ୫-୬ ମାସରେ ହେଉଥିବା ନେଇ ଅନୁଗୋଳ ଜିଲ୍ଲାପାଳ ଏବଂ ନିର୍ବାହୀ ଅଧିକାରିଣୀ ଅତସୀ ପରିଡାଙ୍କୁ ବିଜେପି କାଉନସିଲରଙ୍କ ଲିଖିତ ଅଭିଯୋଗ କରା ଯାଇଥିଲା। ତେବେ ଏନେଇ କୌଣସି ପଦକ୍ଷେପ ନିଆ ନଯିବାରୁ ଆଜି କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଜେପି କାଉନ୍ସିଲରମାନେ ପୌର ପରିଷଦ କାର୍ଯ୍ୟାଳୟରେ ତାଲା ପକାଇ ପୌର କାର୍ଯ୍ୟାଳୟକୁ ସମ୍ପୁର୍ଣ୍ଣ ଠପ୍ କରି ଦେଇଥିଲେ। ବିଜେପି କାଉନସିଲର ପ୍ରକାଶ ମହାରଣା, ଜୟନ୍ତ ଭୂତିଆ, ବାଲ୍ମିକୀ ପ୍ରସାଦ କେଶରୀ, ଜିତେନ୍ଦ୍ର କୁମାର ଦାସ୍, ଜ୍ଞାନେନ୍ଦ୍ରୀୟ ସେଠୀ, କବିତା ବେହେରାଙ୍କ ସମେତ କଂଗ୍ରେସ କାଉନସିଲର ପ୍ରମିଳା ଖଣ୍ଡୁଆଳଙ୍କ ସମର୍ଥନରେ ଏହି କାର୍ଯ୍ୟାଳୟ ବନ୍ଦ ଆନ୍ଦୋଳନ କରାଯାଇଥିଲା। ଏହି କାଉନସିଲରଙ୍କ ଅଭିଯୋଗ ଅନୁଯାୟୀ ବିଗତ ପ୍ରାୟ ପାଂଚ ବର୍ଷରେ ୬୦ଟି ବୈଠକ ବଦଳରେ ମାତ୍ର ୧୪ ଗୋଟି ବୈଠକ ହୋଇଛି। ଚଳିତ ବର୍ଷର ବାର୍ଷିକ ବଜେଟ୍ ନକରି ମନଇଛା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ତାଳଚେରରେ ସୃଷ୍ଟି ହେଉଥିବା ଡେଙ୍ଗୁ ଓ ଜଣ୍ଡିସ୍ ପାଇଁ ଦୃଢ଼ ପଦକ୍ଷେପ ନିଆଯାଉନି, ତାଳଚେରର ଗଣପର୍ବ ଗଣେଶ ପୂଜା ଆଉ ଅଳ୍ପ ଦିନ ଥିଲେ ସୁଧା ରାସ୍ତା ଘାଟ, ନାଳନର୍ଦ୍ଦମା ମରାମତି ପାଇଁ ପୌର ପରିଷଦ କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି। ସେହିପରି ନଗରପାଳ ଓ ନିର୍ବାହୀ ଅଧିକାରିଣୀଙ୍କ ମଧ୍ୟରେ କୌଣସି ତାଳମେଳ ନରହିବା, ଅଗଷ୍ଟ ୩୧ତାରିଖରେ ମ୍ୟୁନିସ୍ପାଲିଟିର ଜନ୍ମ ଦିନ ତଥା ସ୍ୱାୟତ ଶାସନ ଦିବସ ହେବାକୁ ଥିବା ସ୍ଥଳେ ସେଥିପାଇଁ କୌଣସି ପ୍ରସ୍ତୁତି ବୈଠକ ନହେବା, ପୌରାଂଚଳରେ ନିମ୍ନମାନର ରାସ୍ତା, ଡ୍ରେନ୍ କାମ, ଜଣ୍ଡିସ୍ ପାଇଁ ଜଳର ନମୁନା ସଠିକ୍ ପରୀକ୍ଷା ନକରାଇ ପୌରାଂଚଳରେ ଜଣ୍ଡିସ୍ ହୋଇ ନଥିବା କଥା ପୌର ଅଧିକାରୀ ପ୍ରକାଶ କରିବା, ପୌରାଂଚଳକୁ ଅବହେଳା କରିବା, ଦୁର୍ନୀତି, ଭ୍ରଷ୍ଟାଚାର ଆଦି ବିଷୟକୁ ପାଥେୟ କରି କାଉନସିଲରମାନେ ତାଲା ପକାଇ ପୌର କାର୍ଯ୍ୟାଳୟକୁ ବନ୍ଦ କରି ଦେଇଥିଲେ। ତେବେ ନିର୍ବାହୀ ଅଧିକାରିଣୀଙ୍କ ଅନୁରୋଧ କ୍ରମେ ପୌର ପରିଷଦର ବଡବାବୁ, ଇଞ୍ଜିନିୟର ଓ ନିର୍ବାହୀ ଅଧିକାରିଣୀଙ୍କ ସହିତ ଅନେକ ଆଲୋଚନା, ପର୍ଯ୍ୟାଲୋଚନା ହୋଇ ବୈଠକ ସଫଳ ନହେବାରୁ କାଉନସିଲରମାନେ ଦୀର୍ଘ ସମୟ ଧରି ଧାରଣାରେ ବସିବାକୁ ଜିଦ୍ ଧରିଥିଲେ। ସେହିପରି ନିର୍ବାହୀ ଅଧିକାରିଣୀ ଓ ନଗରପାଳଙ୍କ କାଦୁଅ ଫିଙ୍ଗା ନୀତି ପୌରାଂଚଳର ପ୍ରଗତିରେ ବାଧକ ସୃଷ୍ଟି କରିଛି ଏବଂ ବିଧାୟକ, ନଗରପାଳଙ୍କର ଭିତିରି କଳି ତାଳଚେର ପୌରାଂଚଳର ପ୍ରଶାସନିକ କାର୍ଯ୍ୟରେ ମଧ୍ୟ ସମସ୍ୟା ସୃଷ୍ଟି କରିଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଆସନ୍ତା ଏକ ସପ୍ତାହ ମଧ୍ୟରେ ପରିଷଦରେ କୌଣସି ବୈଠକ ବା ବଜେଟ୍ ବୈଠକ ନହୁଏ, ତେବେ ଆଗକୁ ବିଜେପି ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କାଉନସିଲରମାନେ ଚେତାବନୀ ଦେଇଥିଲେ। ତେବେ ଅପରାହ୍ନରେ ସଦର ପୋଲିସ ଆନ୍ଦୋଳନରତ କାଉନସିଲରମାନଙ୍କୁ ଗିରଫ କରିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top