ଅନୁଗୁଳ

ତାଳଚେରରେ ଗଜାନନଙ୍କ ପୂଜା ଆରମ୍ଭ

ତାଳଚେର, ୧୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଜିଠାରୁ ତାଳଚେରରେ ଆରମ୍ଭ ହୋଇଛି ପ୍ରଭୁ ଗଜାନନଙ୍କ ଆରାଧନା। ଏଥିପାଇଁ ତାଳଚେର ସହରଠୁ ଆରମ୍ଭ କରି ଗ୍ରାମାଂଚଳ ଉତ୍ସବମୂଖର ହୋଇଉଠିଛି। ଚଳିତ ବର୍ଷ ହାଣ୍ଡିଧୂଆଁ ଠାରୁ ତାଳଚେର ଟାଉନର ପୁରୁଣା ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଦୀର୍ଘ ୬ କି.ମି ବ୍ୟାପି ରାସ୍ତାରେ ପ୍ରାୟ ୮୦ଟି ସୁସଜ୍ଜିତ ପୂଜାମଣ୍ଡପରେ ବିଘ୍ନ ବିନାଶକ ପୂଜା ପାଉଛନ୍ତି। ବିଭିନ୍ନ ପୂଜା କମିଟିଗୁଡ଼ିକ ନିଜନିଜର ପୂଜାମଣ୍ଡପ ଗୁଡ଼ିକୁ ଆକର୍ଷଣୀୟ କରିବାକୁ ଚେଷ୍ଟା କରିଛନ୍ତି। ହାଣ୍ଡିଧୂଆ ଛକ, ଅନ୍ନପୂର୍ଣ୍ଣା ମାର୍କେଟ, ଶର୍ମା ଛକ, ଆଇ.ଟି.ଆଇ ଛକ, ହିଙ୍ଗୁଳା ମାର୍କେଟ, ଜଗନ୍ନାଥ ମାର୍କେଟ, ହାଟତୋଟା ବଣିକ ସଂଘ, ପ୍ରଜାମଣ୍ଡଳ ପୂଜା କମିଟି, ପ୍ରେସ କ୍ଲବ ଛକ, ହାଟତୋଟା, ତାମ୍ରିତ ମାର୍କେଟ, ବାଇପାସ ମାର୍କେଟ, ବାଇପାସ ଛକ, କଲେଜ ରୋଡ଼, ନୂଆ ବସଷ୍ଟାଣ୍ଡ, ରାମଚନ୍ଦ୍ର ବଜାର, ଚିତ୍ରକୁଟ ବଜାର, ଥାନା ସାହି, ଅରା ସାହି, କାରଗିଲ ଗ୍ରୁପ୍, ବଡ଼ ବଜାର, ନୂଆ ବଜାର, ମହାବଳପଡ଼ା, ବଡ଼ଦାଣ୍ଡ ସାହି, ପୁରୁଣା ପୋଷ୍ଟ ଅଫିସ ଛକ, ହନୁମାନପଡ଼ା, କାରିଗରପଡ଼ା, ମହାରଣା ସାହି, ଭୈରବୀ ସାହି, କୁମ୍ଭାର ସାହି, ବଉଳ ଛକ, ଜୟ ହିନ୍ଦ କ୍ଲବ, ପାଟଣା ସାହି ସମେତ ଅନ୍ୟାନ୍ୟ ସ୍ଥାନରେ ଗଣନାଥଙ୍କୁ ପୂଜାର୍ଚ୍ଚନା କରାଯାଉଛି। ପ୍ରାରମ୍ଭରେ କମିଟିର କାର୍ଯ୍ୟକର୍ତା ପବିତ୍ର କଳସୀରେ ଜଳ ଆଣି ପୂଜାସ୍ଥଳରେ ସ୍ଥାପନ କରିବାପରେ ପୁରୋହିତ ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା କରିଥିଲେ। ଏତଦ୍ ବ୍ୟତୀତ ୧୨ ଦିନ ବ୍ୟାପି ଏହି ପୂଜା ଅବସରରେ ବହୁ ସ୍ଥାନରେ ଅସ୍ଥାୟୀଭାବେ ଖାଦ୍ୟ ଷ୍ଟଲ, ମୀନା ବଜାର, ଦୋଳି ଆଦି ଖୋଲାଯାଇଛି। ପାଗ ଅନୁକୂଳ ଥିବାରୁ ଚଳିତବର୍ଷ ପ୍ରବଳ ଜନସମାଗମ ହେବାର ଆଶା କରା ଯାଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯିବାସହ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ବିଭିନ୍ନ କଂଟ୍ରୋଲ ରୁମ୍ ଖୋଲାଯାଇଛି। ଚୋରି, ଛିନତାଇ, ଅସାମଜିକ ବ୍ୟକ୍ତିଙ୍କ ଉତ୍ପାତକୁ ରୋକିବାକୁ ବହୁ ସଂଖ୍ୟାରେ ପୋଳିସ ମୁତୟନ କରାଯାଇଛି। ସେହିପରି ସନ୍ଧ୍ୟାରେ ଜନସମାଗମ ଅଧିକ ସମୟରେ ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ତାଳଚେର ଏସଡିପିଓ ହେମନ୍ତ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ସମଗ୍ର ପୂଜାସ୍ଥଳକୁ ୪ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରଥମ ଦିନରେ ୬ଜଣ ଇନିସପେକ୍ଟର, ୨୦ଜଣ ସବ୍ ଇନିସପେକ୍ଟର, ୧୬ଜଣ ଆସିଷ୍ଟାଂଟ ସବ୍ ଇନିସପେକ୍ଟର, ୧୩ଜଣ ହେଡ଼ କନେଷ୍ଟବଳ, ୮୧ଜଣ କନେଷ୍ଟବଳ, ୧୩୫ଜଣ ହୋମ ଗାର୍ଡ଼ଙ୍କୁ ପୂଜାକାର୍ଯ୍ୟରେ ମୁତୟନ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ତାଳଚେର ଉପଜିଲ୍ଲାପାଳ ତଥା କେନ୍ଦ୍ରୀୟ ଗଣେଶ ପୂଜା କମିଟି ସଭାପତି ପରେଶ ଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ଜୟନ୍ତ ଭୂତିଆ, ଯୁଗ୍ମ ସମ୍ପାଦକ ରଣଜିତ ମହାପାତ୍ର ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ପବିତ୍ର ଗଣେଶ ପୂଜା ଉପଲକ୍ଷେ ତାଳଚେରବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବାସହ ସଦଭାବନା ତଥା ଭାଇଚାରାର ସହ ଗଣପର୍ବକୁ ଉପଭୋଗ କରନ୍ତୁ ବୋଲି ଜଣାଇଛନ୍ତି। ସୂଚନାଯୋଗ୍ୟ ଦୀର୍ଘ ୧୨ଦିନ ବ୍ୟାପି ପାଳିତ ହେବାକୁ ଥିବା ଏହି ପୁଜାର ଭସାଣୀ ଉତ୍ସବ ଏବଂ ଲଡ଼ୁ ନିଲାମ ଆଗାମୀ ୨୫ତାରିଖରେ ଅନୁଷ୍ଠିତ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top