ଓଡ଼ିଶା

ତାପମାତ୍ର ୪୦ ଟପିଲା : ଅସହ୍ୟ ତାତି ସହି ହେଉନି

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆସୁ ଆସୁ ବାଟ ହୁଡିଲା ମୌସୁମୀ। ଫଳରେ ବର୍ଷା ବଦଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅତିଷ୍ଠ ହୋଇପଡୁଛି। ମୌସୁମୀ ପ୍ରଭାବିତ ଜୁନ୍ ମାସର ପ୍ରଥମାର୍ଦ୍ଧ ପରେ ଦ୍ୱିତୀୟାର୍ଦ୍ଧରୁ ବର୍ଷା ଏକପ୍ରକାର ଉଭାନ ହୋଇଯିବା ଯୋଗୁଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଏବେ ଲୋକେ ଅତିଷ୍ଟ। ବିଶେଷକରି ଗତ ୩ ଦିନ ହେବ ସମଗ୍ର ଜିଲାରେ ଯେଉଁଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ଲୋକେ ଏଥିରେ ତ୍ରାହି ତ୍ରାହି ଡାକିବା ଆରମ୍ଭ କରିଦେଇଛନ୍ତି। ଗତ ୩ ଦିନ ହେବ ଦିବସର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ହେତୁ ଦିନ ୧୧ଟା ପରଠାରୁ ସହରର ରାସ୍ତାଘାଟ ଶୂନଶାନ ହୋଇ ଉଠୁଛି। ଲୋକେ ଅଂଶୁଘାତ ଭୟରେ ଘରୁ ପଦାକୁ ଗୋଡ କାଢିବାକୁ ସାହସ ଜୁଟାଇ ପାରୁନାହାଁନ୍ତି। ରାସ୍ତାଘାଟ ଶୂନ ଶାନ ହୋଇ ଉଠୁଥିବାବେଳେ ସହରରେ ଅଧିକାଂଶ ଦୋକାନ ବଜାର ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଯାଉଛି। ଅପରାହ୍ନ ବେଳକୁ ଖରା ମଉଳି ପଡୁଥିଲେ ମଧ୍ୟ ତାତି ରାତିଯାଏ ବଳବତ୍ତର ରହୁଛି। ଭଦ୍ରକ ଜିଲା ବନ୍ତ ବ୍ଲକ୍ ଅନ୍ତର୍ଗତ ଓଡଙ୍ଗ ପଂଚାୟତ ତୋଟାସାହି ଗ୍ରାମରେ ନୃସିଂହ ଚରଣ ପୁହାଣ (୫୦) ନାମକ ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ଅଭିଯୋଗ ହେବା ପରେ ଏହି ଘଟଣାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। ମୌସୀମୁ ଆଗମନ ସମୟରେ ଏହି ଧରଣର ଗ୍ରୀଷ୍ମପ୍ରବାହ ଜିଲାରେ କୃଷି କାର୍ଯ୍ୟରେ ମଧ୍ୟ ଘୋର ଅନ୍ତରାୟ ସୃଷ୍ଟି କରିଛି। ଆଗୁଆ ମୌସୁମ ବର୍ଷା ଯୋଗୁଁ ଖରିଫ ଧାନଚାଷ ସକାଶେ ଉଦ୍ଦିଷ୍ଟ କିଛି ଜମିରେ ପ୍ରାରମ୍ଭିକ ଖରାଟିଆ ବେଉଷଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ଚାଷ ବୁଣାବୁଣି ଏବଂ ତଳିପକା କାମ ମଧ୍ୟ ଅଧାରେ ଅଟକିଛି। ଜିଲା କୃଷି ବିଭାଗ ସୂଚନା ମୁତାବକ ଖରିଫ ଧାନଚାଷରେ ରଜ ବେଳକୁ ସମୁଦାୟ ଜମିର ପ୍ରାୟ ୪୦ ପ୍ରତିଶତ ଜମିରେ ବୁଣାବୁଣି କାମ ସାରିଦିଆଯାଇଥାଏ। ହେଲେ ଚଳିତବର୍ଷ ଅନିୟମିତ ମୌସୁମୀ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ଭଦ୍ରକ ଜିଲାରେ ସମୁଦାୟ ଜମିର ୧୦ ପ୍ରତିଶତ ଜମିରେ ମଧ୍ୟ ପ୍ରାରମ୍ଭିକ କୃଷିକାର୍ଯ୍ୟ ସମ୍ଭବ ହୋଇପାରିନାହିଁ। ତେଣେ ଭଦ୍ରକ ରଣୀତାଲ ସ୍ଥିତ ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଚଳିତବର୍ଷ ପାଣିପାଗର ବିଶେଷ ପରିବର୍ତ୍ତନ ଯୋଗୁଁ ରାଜ୍ୟକୁ ମୌସୁମୀ ଆସିବାରେ ବିଳମ୍ବିତ ହୋଇଛି। କେବଳ ସେତିକି ନୁହେଁ ଚଳିତ ମାସ ୨୨/୨୩ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନେ କରାଯାଇଛି। ଏହାପରେ ରାଜ୍ୟକୁ ମୌସୁମୀ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପାଣିପାଗ ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି। ତେବେ ଜିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ରିପୋର୍ଟ ଯାହା ହେଉନା କାହିଁକି ବର୍ଷାଋତୁ ଆରମ୍ଭରେ ଏହି ଧରଣର ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନଯାତ୍ରାକୁ ଅତିଷ୍ଟ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top