ତଫସିଲଭୁକ୍ତ ଜାତି ଓ ଜନଜାତି ଯୁବକଙ୍କ ପାଇଁ ନିଃଶୁଳ୍କ ରୋଜଗାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

– ମାସିକ ୧୦୦୦ ଟଙ୍କା ଛାତ୍ରବୃତି

– ମୁକ୍ତ ପାଠ୍ୟ ଉପକରଣ ବ୍ୟବସ୍ଥା

ନୂଆ ଦିଲ୍ଲୀ ୧୬ ମଇ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ କ୍ୟାରିୟର ସର୍ଭିସ ସେଂଟର, ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ତଫସିଲଭୁକ୍ତ ଜାତି ଓ ଜନଜାତିର ରୋଜଗାର ଆଶାୟୀ ଯୁବକଙ୍କୁ ମାଗଣା ପ୍ରଶିକ୍ଷଣ ଦିଆଯିବ। ପ୍ରାର୍ଥୀମାନଙ୍କୁ ବିଭିନ୍ନ ନିଯୁକ୍ତି ବୋର୍ଡଦ୍ୱାରା ଆୟୋଜିତ କିରାଣୀ ଏବଂ ଷ୍ଟେନୋଗ୍ରାଫର ପ୍ରତିଯୋଗିତା ପରୀକ୍ଷାରେ ସକ୍ଷମ କରାଇବା ନିମନ୍ତେ ଏବଂ ସେମାନଙ୍କର କମ୍ପ୍ୟୁଟର ଜ୍ଞାନ ବୃଦ୍ଧି କରିବା ନିମନ୍ତେ ଜୁଲାଇ ୨୦୧୮ ପହିଲାରୁ ନିଃଶୁଳ୍କ ତଥା ଛାତ୍ରବୃତି ଯୁକ୍ତ ସ୍ୱତନ୍ତ୍ର ପ୍ରଶିକ୍ଷଣ ତଥା ଓ ଲେଭଲ କମ୍ପ୍ୟୁଟର ପାଠ୍ୟକ୍ରମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ସ୍ୱତନ୍ତ୍ର ତଥା କମ୍ପ୍ୟୁଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କିମ୍ବା ତଦୂର୍ଦ୍ଧ୍ୱ ଏବଂ ସେମାନଙ୍କର ବୟସ ୩୦ ଜୁନ୍, ୨୦୧୮ ସୁଦ୍ଧା ୧୮ରୁ ୨୭ ବର୍ଷ (ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିମନ୍ତେ) ଏବଂ ୩୦ ଜୁନ୍ ୨୦୧୮ ସୁଦ୍ଧା ୧୮ରୁ ୩୦ ବର୍ଷ (କମ୍ପ୍ୟୁଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିମନ୍ତେ) ହୋଇଥିବା ଆବଶ୍ୟକ। ଏହାଛଡ଼ା ପ୍ରାର୍ଥୀଙ୍କର ଏମ୍ପ୍ଲୟମେଂଟଣ୍ଟଏକ୍ସଚେଞ୍ଜ ରେଜିଷ୍ଟ୍ରେସନ ନମ୍ବର, ଆଧାର ନମ୍ବର ସହିତ ଏକ ସଚଳ ବ୍ୟାଙ୍କ ଆକାଉଂଟ ରହିଥିବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଥିବା ପ୍ରାର୍ଥୀମାନେ ୧୫.୦୫.୨୦୧୮ରୁ ୨୧.୦୬.୨୦୧୮ ପର୍ଯ୍ୟନ୍ତ ଦେୟମୁକ୍ତ ଆବେଦନ ଫର୍ମ ଡୋର ନମ୍ବର-୨, ବାରାକ୍ ନମ୍ବର-୪, ୟୁନିଟ୍-୫, ଷ୍ଟେଟ ଏମ୍ପ୍ଲୟମେଂଟ ଏକ୍ସେଚେଞ୍ଜ ପରିସର, ଭୁବନେଶ୍ୱର-୧ସ୍ଥିତ କାର୍ଯ୍ୟାଳୟରୁ ପାଇ ଆବେଦନ କରିପାରିବେ। ସଂପୂର୍ଣ୍ଣଭାବେ ପୂରଣ କରାଯାଇଥିବା ଦରଖାସ୍ତ ଫର୍ମ ସହିତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ମାର୍କସିଟ୍, ଜାତି ପ୍ରମାଣପତ୍ର ଏବଂ ଆଧାରକାର୍ଡ ତଥା ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ କାର୍ଡର ଫଟୋକପି ଏବଂ ଦୁଇଟି ପାସ୍ପୋର୍ଟ ସାଇଜ୍ ଫଟୋ ସଂଲଗ୍ନ କରି ଆବେଦନ କରିବାକୁ ପଡ଼ିବ। ଦରଖାସ୍ତ ଦାଖଲର ଶେଷ ତାରିଖ ୨୧.୦୬.୨୦୧୮ ଧାର୍ଯ୍ୟ କରାଯାଇଛି। ଏକ ସାକ୍ଷାତକାର କମିଟିଦ୍ୱାରା ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣରେ ଯୋଗଦେବା ପରେ ମାସିକ ୧୦୦୦ ଟଙ୍କା ଛାତ୍ରବୃତି ଏବଂ ମୁକ୍ତ ପାଠ୍ୟ ଉପକରଣ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ସାକ୍ଷାତକାର କମିଟିଦ୍ୱାରା ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ଯେ କୌଣସି ଗୋଟିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନାମାଙ୍କନ କରିପାରିବେ। ୨୦୧୭ ମସିହାରେ କେନ୍ଦ୍ରଦ୍ୱାରା ପରିଚାଳିତ ଯେକୌଣସି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଚଳିତ ୨୦୧୮ ମସିହାରେ ପରିଚାଳିତ ତିନୋଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ମିଳିବ ନାହିଁ। ଏହି ପ୍ରଶିକ୍ଷଣ ସମ୍ବନ୍ଧୀୟ ସବିଶେଷ ବିବରଣୀ ପ୍ରାପ୍ତ କରିବା ନିମନ୍ତେ ଉପକ୍ଷେତ୍ରୀୟ ରୋଜଗାର ଅଧିକାରୀଙ୍କ ସହ ଟେଲିଫୋନ୍ ତଥା ବ୍ୟକ୍ତିଗତ ଭାବେ ଯୋଗାଯୋଗ କରିହେବ।

ସାକ୍ଷାତକାର କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ଯାତାୟତ ତଥା କୌଣସି ଦୈନିକ ଭତା ଦେବାର ବ୍ୟବସ୍ଥା ନାହିଁ।

Leave a Reply

Your email address will not be published. Required fields are marked *