ଢେଙ୍କାନାଳ ବାଲିକୁମା ଗ୍ରାମରେ ଆଉ ଏକ ନିର୍ଭୟା କାଣ୍ଡ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ବିଭତ୍ସ ହତ୍ୟା, ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି

ଭୁବନେଶ୍ୱର ୧୬/୬ (ଓଡ଼ିଆ ପୁଅ) – ଢ଼େଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ବାଲିକୁମା ଗ୍ରାମର ଦଳିତ ବିଧବା ମହିଳା ଜୟାମଣି ପାତ୍ରଙ୍କୁ ସେହି ଗ୍ରାମର କିଛି ଅସମାଜିକ ଯୁବକ ପୂର୍ବ ଶତୃତାକୁ କେନ୍ଦ୍ରକରି ଅର୍ଦ୍ଧରାତ୍ରିରେ ଗଣଦୁଷ୍କର୍ମପରେ ବିଭତ୍ସଭାବେ ହତ୍ୟା କରିଛନ୍ତି। ଗତ ୧୨ ତାରିଖ ରାତ୍ରି ଘ ୧୨.୩୦ମି. ସମୟରେ ଅପରାଧିମାନେ ଜୟାମଣି ଶୋଇଥିବା ଅବସ୍ଥାରେ ତାଙ୍କୁ ଜଣଙ୍କ ପରେ ଜଣେ ଦୁଷ୍କର୍ମକରି ତାଙ୍କ ଯୌନାଙ୍ଗରେ ଲୁହାରଡ଼ ଏବଂ ତାୱାବେଣ୍ଟ ଭର୍ତ୍ତିକରି ଅତି ବିଭତ୍ସଭାବେ ହତ୍ୟା କରିଛନ୍ତି। ନିକଟସ୍ଥ ଇନ୍ଦିରାଆବାସ ଛାତ ଉପରେ ଶୋଇଥିବା ତାଙ୍କ ସାନପୁଅ ଭୀମସେନ ପାତ୍ର ଜୟାମଣିଙ୍କ ଆର୍ତ୍ତ ଚିତ୍କାରଶୁଣି ମା’କୁ ରକ୍ଷାକରିବାକୁ ଧାଇଁଆସିବାରୁ ତାଙ୍କୁ ମଧ୍ୟ ଅପରାଧିମାନେ ଜୀବନରୁ ମାରିଦେବା ପାଇଁ ଗୋଡ଼ାଇଥିଲେ। ଜୀବନ ବିକଳରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଭୀମସେନ ଅନ୍ଧାର ରାତିରେ ଦୌଡ଼ି ଦୌଡ଼ି ସେହି ଗାଁର ଶେଷ ମୁଣ୍ଡରେ ଥିବା ସମ୍ପର୍କୀୟଙ୍କ ଘରକୁ ପଳାଇଥିଲେ। ପରଦିନ ସକାଳୁ ଜୟାମଣୀଙ୍କ ମଝିଆ ପୁଅ ଯୁଗଳ ପାତ୍ର ଆସି ପହଞ୍ଚିବାପରେ କଙ୍କଡ଼ାହାଡ଼ ଥାନାରେ ଲିଖିତ ଏତଲା ଦାୟର କରିଥିଲେ। ପରେ ପୋଲିସ୍ ଜୟାମଣିଙ୍କ ଶବ ଜବତକରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଚାରିଜଣ ଅପରାଧି ରଘୁ ଲୋହାର, ହରି ପାତ୍ର, ସୁଦର୍ଶନ ଲୋହାର ଓ ଆନନ୍ଦ ପାତ୍ରଙ୍କୁ ଗିରଫ କରିଥିଲେ ମଧ୍ୟ ଉଦ୍ଦେଶ୍ୟମୁଳକ ଭାବେ ଦାୟର କରାଯାଇଥିବା ଏତଲାରେ ଗଣଦୁଷ୍କର୍ମ ଅପରାଧ (୩୭୬ ଡି) ଏବଂ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ (ଧାରା ୩ ଏବଂ ଏହାର ଉପଧାରା) ଦଫା ଲଗାଇ ନାହାଁନ୍ତି।

କେନ୍ଦ୍ର ବିଜେପି ସରକାର ନିର୍ବାଚନୀ ପ୍ରଚାରରେ ଦଳିତ ଓ ଆଦିବାସୀ ପ୍ରୀତିର ବାହାସ୍ପୋଟ ମାରୁଥିବାବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସସ୍ଥାନ ଅଞ୍ଚଳରେ ଏହି ବିଭତ୍ସ ଘଟଣା ସଂଗଠିତ ହୋଇଥିଲାବେଳେ ଶ୍ରୀ ପ୍ରଧାନ ନୀରବଦ୍ରଷ୍ଟା ସାଜିଛନ୍ତି। ନବୀନ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଶ୍ରୀ ନୃସିଂହ ଚରଣ ସାହୁ ଓ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହି ଅଞ୍ଚଳରୁ ମନ୍ତ୍ରୀଭାବେ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଘଟଣାସ୍ଥଳରେ ଆଜିଯାଏ ପାଦ ପକାଇନାହାନ୍ତି, ବରଂ ଏହି ମାମଲାରେ ଜଣେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିବାରୁ ପୋଲିସ୍ ଉପରେ ଚାପ ପ୍ରୟୋଗକରି ଆସାମୀମାନଙ୍କ ବିରୁଦ୍ଧରେ କୋହଳ ମନୋଭାବ ପୋଷଣ କରାଯାଉଛି।

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ନିଦେ୍ର୍ଦଶକ୍ରମେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସସ୍ମିତା ବେହେରା ଏବଂ ପ୍ରଦେଶ ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ, ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ଶଗରିଆଙ୍କ ନେତୃତ୍ୱରେ ଦୁଇଗୋଟି ପ୍ରତିନିଧି ମଣ୍ଡଳୀ ଯଥାକ୍ରମେ ଗତ ତା ୧୪.୬.୨୦୧୭ ଓ ୧୫.୬.୨୦୧୭ ରିଖ ଦିନ ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିଥିଲେ।

ନୂଆଦିଲ୍ଲୀର ନିର୍ଭୟାକାଣ୍ଡ ଠାରୁ ଅନେକ ଗୁଣରେ ଅଧିକ ଏହି ଗଣଦୁଷ୍କର୍ମ ହତ୍ୟା ମାମଲା ଓଡ଼ିଶା ପାଇଁ ଅତ୍ୟନ୍ତ ଲଜ୍ଜ୍ୟା ଓ ହୃଦୟ ବିଦାରକ ହୋଇଥିବାବେଳେ ନବୀନ ପଟ୍ଟନାୟକଙ୍କ ସରକାର ଓ ଢ଼େଙ୍କାନାଳ ଜିଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱ ଦେଉ ନାହାନ୍ତି। ଆଦିବାସୀ ଓ ଦଳିତ ମାନଙ୍କ ସୂରକ୍ଷାପାଇଁ ଡିଣ୍ଡିମ ପିଟୁଥିବା ନବୀନ ସରକାର ଦଳିତ ଓ ମହିଳାଙ୍କ ଉପରେ ବଢ଼ିଚାଲିଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଗୁଡ଼ିକୁ ଖାମଖିଆଲି ବିଚାର କରିବା ଦ୍ୱାରା ଅପରାଧିମାନଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଏହି ଘଟଣାରେ ସଂପୃକ୍ତ ଆସାମୀମାନଙ୍କ ବିରୁଧରେ ଉପଯୁକ୍ତ ଦଫା ଲଗାଇବାସହ କ୍ଷତିଗ୍ରସ୍ତ ମୃତକପରିବାର ସଦସ୍ୟମାନଙ୍କର ସୁରକ୍ଷା ଓ ଅନୁସୂଚିତ ଜାତି ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ୍ ର ଧାରା ୧୨ ଓ ୧୫ ମୁତାବକ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବା ସହ ମୃତକ ପରିବାର ବର୍ଗଙ୍କୁ ୨୦ଲକ୍ଷ ଟଙ୍କା ସହାୟତା ରାଶି ତୁରନ୍ତ ଯୋଗାଇଦେବାକୁ ପ୍ରଦେଶ ମହିଳା କଂଗ୍ରେସ ଓ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଦାବି କରୁଛି। ଏହି ମାମଲାଟିକୁ ନୂଆଦିଲ୍ଲୀର ନିର୍ଭୟାକାଣ୍ଡ ବିଚାରଭଳି ସ୍ୱତନ୍ତ୍ର ଟ୍ରାକ୍କୋର୍ଟ ଦ୍ୱାରା ବିଚାର କରାଯାଇ ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବାସହ କ୍ଷତିଗ୍ରସ୍ତ ପରିବାରକୁ ନ୍ୟାୟ ପ୍ରଦାନ କରିବାପାଇଁ କଂଗ୍ରେସ ପକ୍ଷରୁ ଦାବି କରୁଛୁ। ଏହି ପ୍ରରିପ୍ରେକ୍ଷୀରେ ଆସନ୍ତା ୧୯ ତାରିଖରେ ରାଜ୍ୟର ସମସ୍ତ ଜିଲା ସଦର ମହକୁମାରେ ପ୍ରଦେଶ କଂଗ୍ରେସ ଅନୁସୁଚୀତ ଜାତି ବିଭାଗ ଓ ପ୍ରଦେଶ ମହିଳା କଂଗ୍ରେସ ତରଫରୁ ମିଳିତଭାବେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ସହ ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ଶଗରିଆ, ଇଂ ସସ୍ମିତା ବେହେରା, ଡ. ଲଲାଟେନ୍ଦୁ ମହାପାତ୍ର, ହଳଧର ସେଠୀ, ବାଙ୍କନିଧି ବେହେରା, ଅଶୋକ କୁମାର ମଲିକ୍, ସୋନାଲି ସାହୁ ଓ ଜାନକୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *