ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ଗୁଳିମାରି ହତ୍ୟା

କାମାକ୍ଷାନଗର ୨୬-୩ (ଓଡ଼ିଆ ପୁଅ) : ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କ ଉପରକୁ ଗୁଳି ଏବଂ ବୋମା ମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ କାମାକ୍ଷାନଗରରେ ଉତ୍ତେଜନା ପ୍ରକାଶ ପାଇବା ସହିତ ସମସ୍ତ ଦୋକାନବଜାର ବନ୍ଦ ହୋଇ ଯାଇଛି। ଖବର ମୁତାବକ, ଆଜି ସକାଳେ ଶ୍ରୀ ପରିଡ଼ା କାମାକ୍ଷାନଗର ନିକଟ ଅନନ୍ତପୁରଠାରେ ଥିବା ତାଙ୍କର ଅଣ୍ଡର କନଷ୍ଟ୍ରକସନ୍ ହାଉସ୍ କୁ ଦେଖିବା ପାଇଁ ଯାଉଥିଲେ। ଗାନ୍ଧୀ ମନ୍ଦିର ନିକଟରେ ଏକ ବୋଲେରୋରେ ଚାରିଜଣ ଅଜ୍ଞାତ ଦୁର୍ବୃତ୍ତ ତାଙ୍କୁ ରୋକିବାକୁ ଚେଷ୍ଟାକରିଥିଲେ ଏବଂ ତାଙ୍କ କାର ଉପରୁ ୭-୮ ଟି ବମ ଫୋପାଡ଼ିଥିଲେ। ପରେ ଶ୍ରୀ ପରିଡ଼ା ଡରିଯାଇ ନିଜର ଗାଡ଼ିରୁ ଓହ୍ଲାଇ ନିଜ ଜୀବନକୁ ବଞ୍ଚାଇବା ପାଇଁ ଦୌଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ତାଙ୍କ ଉପରେ ୬-୭ଟି ଗୁଳି ମାରିଥିଲେ। ଯେଉଁଥିରେ ଗୋଟିଏ ଗୁଳି ତାଙ୍କର ମୁଣ୍ଡରେ ଲାଗିଥିଲା। ଶ୍ରୀ ପରିଡ଼ା ସେହିଠାରେ ସଡ଼କ ଉପରେ ପଡ଼ିଯାଇଥିଲେ। ଦୁର୍ବୃତ୍ତମାନେ ସେଠାରୁ ପଳେଇଯାଇଥିଲେ।

ଗୁଳିର ଶବ୍ଦ ଶୁଣିକରି, ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଁଞ୍ଚିଥିଲେ ଏବଂ ପରିଡ଼ାଙ୍କୁ କାମାକ୍ଷାନଗର ସବ୍-ଡିଭିଜନାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ କିନ୍ତୁ ସେ ଜୀବିତ ଅଛନ୍ତି ବୋଲି ଆଶାରଖି ସ୍ଥାନୀୟ ଲୋକମାନେ ତାଙ୍କୁ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ନେଉଥିଲେ। କିନ୍ତୁ ଅଧ ରାସ୍ତାରୁ ଫେରି ଆସିଥିଲେ। କାରଣ ପରିଡ଼ାଙ୍କର ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣା ପ୍ରାୟତଃ ୧୦ଟା ସମୟରେ ହୋଇଛି, ସାମ୍ବାଦିକମାନଙ୍କୁ କାମାକ୍ଷା ନଗର ସବ୍-ଡିଭିଜିନାଲ ଡାକ୍ତରଖାନାର ବରିଷ୍ଠ ଡାକ୍ତର ଡ ଦିଗମ୍ବର ସାହୁ ପୁଷ୍ଟିକରିଛନ୍ତିଯେ, ମୁଣ୍ଡରେ ଗୋଟିଏ ଗୁଳି ବାଡିବାରୁ ପରିଡାଙ୍କର ମୃତ୍ୟୁ ହୋଇଛି। କିନ୍ତୁ ସେ କହିଛନ୍ତିଯେ, ପୋଷ୍ଟମାର୍ଟମ ପରେ ଜଣାପଡ଼ିବ କି ତାଙ୍କର ମୁଣ୍ଡରେ ଏକରୁ ଅଧିକ ଗୁଳିବାଜିଛି କି ନାହିଁ।

ଘଟଣାର ତୁରନ୍ତ ପରେ ସ୍ଥାନୀୟ ଲୋକମାନେ ଦୃର୍ବୃତ୍ତମାନଙ୍କର ତୁରନ୍ତ ଗିରଫ ପ୍ରତିବାଦରେ ଏନଏନ ୫୩ ଉପରେ ଅନନ୍ତପୁର ନିକଟରେ ରାସ୍ତା ଜାମ କରିଛନ୍ତି। ଏହି କାରଣରୁ ବାହନଗୁଡ଼କର ଚଳପ୍ରଚଳ ବନ୍ଦ ହୋଇଯାଇଛି।

ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁଯାୟୀ ଅପରାଧ କରିବାପରେ ଦୁର୍ବୃତ୍ତମାନେ ଅନନ୍ତପୁର ଦେଇ ରେଙ୍ଗାଲୀ କେନାଲ ରୋଡ ଆଡ଼କୁ ପଳେଇ ଯାଇଥିଲେ।

ଫୋନରେ ଗଣମାଧ୍ୟମ ସହ କଥାହେବା ସମୟରେ ଢେଙ୍କାନାଳ ଏସପି ସନ୍ତୋଷ ନାୟକ କହିଛନ୍ତିଯେ, ପ୍ରାରମ୍ଭିକ ଜାଞ୍ଚରୁ ଏହା ଜଣାପଡ଼ୁଛିକି ଏହା ଏକ ପୂର୍ବ ନିୟୋଜିତ ହତ୍ୟା।

ସୂଚନାଯୋଗ୍ୟଯେ, ପୂର୍ବରୁ ମଧ୍ୟ ୨୦୧୪ ମସିହାରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ୨୦୧୪ ମସିହାରେ ଶ୍ରୀ ପରିଡ଼ାଙ୍କ ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା।

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର କାମାକ୍ଷାନଗର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Leave a Reply

Your email address will not be published. Required fields are marked *