ଅପରାଧ

ଢାବା ମାଲିକଙ୍କ ଉନ୍ମତକାଣ୍ଡ – ପାରିଶ୍ରମିକ ମାଗିବାରୁ ଏନଏଚ ଉପରେ କର୍ମଚାରୀଙ୍କୁ କାଠଫାଳିଆରେ ନିସ୍ତୁକ ମାଡ

ବୌଦ୍ଧ, ୦୫ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡରେ ଥିବା ଏକ ଢାବା ରେ ସାମାନ୍ୟ କଥାକୁ କେନ୍ଦ୍ର କରି କାର୍ଯ୍ୟରତ ଜୈନିକ କର୍ମଚାରୀ ଙ୍କୁ ଢାବା ମାଲିକ ସର୍ବ ସମ୍ମୁଖରେ ଅମାନବୀୟ ଭାବେ ନିସ୍ତୁକ ମାଡ ମାରି ଗୁରୁତର ଆହାତ କରିଥିବା ଘଟଣା ସ୍ଥାନୀୟ ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଆହାତ କର୍ମଚାରୀ ଜଣକ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମତେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଗ୍ରାମର ସରୋଜ କୁମାର ପଣ୍ଡା (୩୫) ନାମକ ଜଣେ ଯୁବକ ଦୀର୍ଘ ଦିନ ହେଲା ପୁରୁଣାକଟକ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ କଡରେ ଥିବା ଏକ ଢାବା ରେ ସପ୍ଲାୟର ଭାବେ କାମ କରି ଆସୁଥିଲେ। ସେ ମଙ୍ଗଳବାର ଦିନ ରାତ୍ର ପ୍ରାୟ ୯ ଟା ବେଳେ ଢାବା ଦାଇତ୍ୱ ବୁଝାଶୁଝା କରୁଥିବା ମ୍ୟାନେଜରଙ୍କୁ ୮ ମାସର ବକେୟା ଦରମା ହିସାବ କିତାବ କରିବାକୁ କହିବାରୁ ମ୍ୟାନେଜର କୁଆଡେ ତୁ ଯେତେବେଳେ ଚାହିଁବୁ ତତେ ହିସାବ ଦେବାପାଇଁ ମୁଁ ଏଠି ବସିନାହିଁ ତୁ ମୋ ସାମ୍ନାରୁ ଶିଘ୍ର ପଳା ବୋଲି ବିରକ୍ତ ହେବାରୁ ସରୋଜ ମୁଁ ଆଉ ତୁମ ଢାବା ରେ କାମ କରିବି ନାହିଁ କହି ରାସ୍ତା ଆଡେ ଚାଲିଆସିଥିଲେ। ଏହି ସମୟରେ ଢାବା ରେ ମାଲିକ ପହଂଚି ମ୍ୟାନେଜର ଠାରୁ ସବୁକଥା ଜାଣିବା ପରେ ଉତ୍କ୍ଷିପ୍ତ ହୋଇ ସରୋଜକୁ ପାଟିକରି ହିସାବ ନେବୁ ପରା ଆସ୍ କହି ହଠାତ୍ ଏକ କାଠ ଫାଳିଆରେ ରାସ୍ତା ଉପରେ ଛିଡାହୋଇଥିବା ସରୋଜକୁ ଅମାନୁଷିକ ଭାବେ ନିସ୍ତୁକ ମାଡ ମାରିଥିଲେ। କାଠ ଫାଳିଆ ମାଡରେ ସରୋଜ ର ହାତ,  ଜଙ୍ଘ,  ମୁଣ୍ଡ ରେ କ୍ଷତ ହୋଇ ଗୁୁରୁତର ଆହାତ ହୋଇଥିଲେ ମଧ୍ୟ ସେ ପିଲା ପରିବାର ନେଇ ପୁରୁଣାକଟକ ରେ ରହୁଥିବାରୁ କାଳେ ନିଜ ଉପରେ ପୁର୍ନବାର ଆକ୍ରମଣ ହୋଇପାରେ ବୋଲି ଭୟରେ କାହାକୁ କିଛି ନକହି ଚୁପ୍ ରହିଥିଲେ। ମାତ୍ର ବୁଧବାର ଦିନ ତାଙ୍କ ଉପରେ ହୋଇଥିବା ମାଡ ର ପ୍ରଭାବ ନେଇ ଯନ୍ତ୍ରଣା ଅସହ୍ୟ ହେବା ଦେଖି ସ୍ଥାନୀୟ କିଛି ଭଦ୍ରବ୍ୟକ୍ତି ଙ୍କ ସହାୟତା ରେ ପୁରୁଣାକଟକ ଥାନା କୁ ଆସି ଅଭିଯୋଗ କରିଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top