ଡ୍ରେନେଜ ସମସ୍ୟା, କଲୋନୀବାସୀ ହନ୍ତସନ୍ତ

ରାଉରକେଲା ୮-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ସାରନଗରୀ ସ୍ଥିତ କନଷ୍ଟ୍ରକସନ୍ କଲୋନୀରେ ପ୍ରାୟ ୩୦୦ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି। ମାତ୍ର ଏହି କଲୋନୀରେ ବସବାସ କରୁଥିବା ବାସିନ୍ଦା ମାନେ ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ହେଉଥିବା କଲୋନୀ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଦୀର୍ଘଦୀନ ହେଲା କନଷ୍ଟ୍ରକସନ କଲୋନୀର ମୁଖ୍ୟ ରାସ୍ତା ପାଖରେ ଥିବା ଡ୍ରେନ ଜାମ ହୋଇଯିବା କାରଣରୁ ବର୍ତମାନ ବର୍ଷା ଦିନରେ ଡ୍ରେନପାଣି ପୂର୍ଣ୍ଣ ହୋଇ ଅଳିଆ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଫଳରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ଅଳିଆ ପାଣି ରାସ୍ତା ୁପରେ ବୋହିବା କାରଣରୁ କଲୋନୀରେ ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଏହାକୁ ନେଇ ବିଭିନ୍ନ ସଂକ୍ରମଣ ରୋଗ ତଥା ମେଲେରିଆ ଓ ଡେଙ୍ଗୁରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। କଲୋନୀବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ଯେ, ସାଧାରଣ ନିର୍ବାଚନରେ ସେମାନେ ମତଦାନ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ଅଂଚଳକୁ ରାଉରକେଲା ମହାନଗର ନିଗମରେ ସାମିଲ କରାଯାଇନାହିଁ। ଫଳରେ ବିଭିନ୍ନ ସରକାରୀ ସୁବିଧାରୁ ବଂଚିତ ହେବାକୁ ପଡୁଛି। ସାରା ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲୁଥିଲେ ମଧ୍ୟ ମଧ୍ୟ ଏହି କଲୋନୀରେ ସ୍ୱଚ୍ଛତାର ପରିଭାଷା କିଛି ଅଲଗା। ବର୍ଷର ପ୍ରାୟ ସମୟ କଲୋନୀ ନିକଟ ରାସ୍ତା କଡ଼ରେ ଅଳିଆ ଆବର୍ଜନାର ପାହାଡ଼ ଦେଖିବାକୁ ମିଳେ। ବର୍ଷାଦିନରେ ଏହି ଅଳିଆ ଗୁଡ଼ିକ ଡ୍ରେନରେ ପଶିବା ଦ୍ୱାରା ଡ୍ରେନ ଜାମ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି କଲୋନୀବାସୀ ପ୍ରକାଶ କରିଛନ୍ତି। କଲୋନୀବାସୀ ବର୍ତମାନ ବର୍ଷାଦିନ ଆସିଯିବାରୁ ରାସ୍ତାର ଅବସ୍ଥା କହିଲେ ନସରେ। ରାସ୍ତାରେ ସ୍ଥାନେ ସ୍ଥାନେ ଛୋଟ, ବଡ଼ ଖାଲଖମା ଯୋଗୁ ବର୍ଷାରେ ପାଣି ପଶି ଏହା ପୂର୍ଣ୍ଣ ହୋଇ ଯାଉଛି। ଫଳରେ ରାସ୍ତାରେ ରାସ୍ତାରେ ସାଇକେଲ ତଥା ବାଇକ ନେଇ ଯାତ୍ରା କରୁଥିବା ଯାତ୍ରୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ଦେଇ କନଷ୍ଟ୍ରକସନ କଲୋନୀର ଏ, ବି ଓ ସି ବ୍ଲକର ବାସିନ୍ଦା ପ୍ରତିଦିନ ବିଭିନ୍ନ କାର୍ଯ୍ୟରେ ସାରନଗରୀର ବିଭିନ୍ନ ଅଂଚଳ ଯିବା ଆସିବା କରିଥାନ୍ତି। ସେହିପରି ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ସର୍ବଦା ଉକ୍ତ ମୁଖ୍ୟରାସ୍ତା ଉପରେ ନିର୍ଭରଶୀଳ ହେବାକୁ ପଡ଼ିଥାଏ। ମାତ୍ର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିବା କାରଣରୁ ସଂଧ୍ୟା ଓ ରାତ୍ରୀ ସମୟରେ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକ ଦୁର୍ଘଟଣାର ଶୀକାର ହୋଇ ଆହତ ହୋଇଥିବା ଅଭିଯୋଗ ହୋଇଛି। ବିଶେଷ କରି ବରିଷ୍ଠ ନାଗରିକ ଓ ବୟସ୍କ ବ୍ୟକ୍ତି ମାନଙ୍କୁ ପାଦରେ ଏହି ରାସ୍ତା ଅତିକ୍ରମ କରିବା କଷ୍ଟସାଧ୍ୟ ହୋଇ ପଡ଼ିଛି। ରାସ୍ତାର ବିଭିନ୍ନ ଜାଗାରେ ବର୍ଷାପାଣି ବହୁ ଦିନ ଧରି ବର୍ଷା ପାଣି ଜମି ରହିବା କାରଣରୁ ଏକ ଦୂଷିତ ପରିବେଶ ସୃଷ୍ଟି ହୋଇ ସମଗ୍ର କଲୋନୀରେ ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏଣୁ ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାର ମରାମତି କରିବାକୁ ଅଂଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *