ଡେଙ୍ଗୁ ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଜନଆନ୍ଦୋଳନ ହେବ – ଜିଲ୍ଲା କଂଗ୍ରେସ ସଭାପତି

ରାୟଗଡା୦୩/୦୭ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ଜିଲ୍ଲାରେ ଡେଙ୍ଗୁ ରୋଗ ଦିନକୁ ଦିନ ଗୁରୁତର ହେବାକୁ ଲାଗିଛି। ଡେଙ୍ଗୁ ରୋଗ ଗାଁ ଗହଳିରେ ସୀମିତ ଥିବା ବେଳେ ଏବେ ଏହି ରୋଗ ସହରମୁହାଁ ହୋଇଛି। ରାୟଗଡା ସହରବାସୀ ଏବେ ଏକ ପ୍ରକାରର ଆତଙ୍କିତ ଜୀବନ ଯାପନ କରୁଥିବା ଦେଖାଦେଇଛି। ଏହି ଭଳି ଏକ ସମ୍ବେଦନଶୀଳ ପରିସ୍ଥିତିର ଶୀଘ୍ର ସମାଧାନ କରିବା ଦାବିରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏପଟେ ସହରରେ ଡେଙ୍ଗୁ ରୋଗୀଙ୍କ ଆକ୍ରାନ୍ତ ଦିନକୁ ଦିନ ବଢିବାରେ ଲାଗିଛି ଏବଂ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ନଜରକୁ ଆସିଛି। କିନ୍ତୁ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର ଜିଲ୍ଲାରେ ଡେଙ୍ଗୁରେ କେହି ଆକ୍ରାନ୍ତ ହୋଇନଥିବା ତାଙ୍କ ନଜରରେ ନାହିଁ ବୋଲି ସିଧାସଳଖ ପ୍ରକାଶ କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡାଙ୍କ କହିବାକଥା ହେଲା ବର୍ତମାନ ଡେଙ୍ଗୁ ଜିଲ୍ଲାରେ ଏକ ମହାମାରୀର ରୂପ ନେଇଛି। ଡାକ୍ତରମାନଙ୍କ ଅବହେଳା ଓ ଜିଲ୍ଲା ପ୍ରଶାସନର ଖାମଖିଆଲି ବ୍ୟବସ୍ଥା ପାଇଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ବର୍ତମାନ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ରୋଗୀ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ନ ହୋଇ ପୋଡଶୀ ଆନ୍ଧ୍ରପ୍ରଦେଶ ଏବଂ ବ୍ରହ୍ମପୁର ଠାରେ ଚିକିତ୍ସିତ ହେବାକୁ ଶ୍ରେୟସ୍କର ମଣୁଛନ୍ତି। ଏପଟେ ଡେଙ୍ଗୁ ଭଳି ଜଟିଳ ପରିସ୍ଥିତିରେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରେ ରାୟଗଡା ନ ରହି ଭୁବନେଶ୍ୱର ଠାରେ ରହୁ ଥିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଥିଲେ। ଶ୍ରୀ ପଣ୍ଡା ଆହୁରି ମଧ୍ୟ ପ୍ରକାଶ କରିଥିଲେ ପରିମଳ ବ୍ୟବସ୍ଥାର ବିପର୍ଯ୍ୟସ୍ତ ଯୋଗୁଁ ଡେଙ୍ଗୁ ରାୟଗଡା ସହରରେ ତାର କାୟା ବିସ୍ତାର କରିବାରେ ଲାଗିଛି। ବର୍ତମାନ ସହରର ପ୍ରତ୍ୟେକ ଗଳିକନ୍ଦି, ସାହି ଛକ ଗୁଡିକରେ କୁଢ କୁଢ ଆବର୍ଜନା ପଡି ରହୁଛି। ବ୍ଲିଚିଙ୍ଗ ପାଉଡର, ଫିନାଇଲ ବର୍ଷ ବର୍ଷ ଧରି ନାଳ ନର୍ଦମା ଗୁଡିକରେ ପକାଯାଉନାହିଁ। ଯୁଦ୍ଧକାଳୀନ ଭିତିରେ ଡେଙ୍ଗୁ ଜନିତ ସମସ୍ୟାର ଯଦି ସମାଧାନ କରାନ ଯାଏ ତାହା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର ଡେଙ୍ଗୁ ଏବଂ ପରିମଳ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣା ପଡିଛି। ଆଜିର ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଜିଲ୍ଲା କଂଗ୍ରେସ କମିଟିର ଉପ-ସଭାପତି ସୁନିଲ ଚନ୍ଦ୍ର ପଣ୍ଡା, ସଂପାଦକ ପାର୍ଥବର୍ଦ୍ଧନ, ରାବଲା ମାଝି, ବାଦଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *