ଡି.ପି.ଏସ୍. ବିଦ୍ୟାପୀଠର ବାର୍ଷିକ ଉତ୍ସବ “ସରଗମ୍” ମହାସମାରୋହରେ ପାଳିତ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକର ଅଗ୍ରଣୀ ଶିକ୍ଷାୟତନ ଡି.ପି.ଏସ୍. ବିଦ୍ୟାପୀଠର ୩୧ତମ ଅଭିଭାବକ ଦିବସ ୨୦୧୭-୧୮ ଓ ବାର୍ଷିକ ଉତ୍ସବ “ସରଗମ୍” ରାନ୍ଦିଆ ଡି.ପି.ନଗରସ୍ଥିତ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗର ପ୍ରଫେସର ଗୋପାଳକୃଷ୍ଣ ପଣ୍ଡା ମୁଖ୍ୟଅତିଥି, ଜିଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ମୁଖ୍ୟବକ୍ତା, ଫେକରର ମୁଖ୍ୟ ନିର୍ବାହୀ ଅଧିକାରୀ ପି.ଜି. ସୁରେଶ୍ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭ୍ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ଅଶୋକ କୁମାର ପରିଡା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ମଧ୍ୟରେ ଅନୁଷ୍ଠାନର ବହୁ କୃତୀ ଛାତ୍ରଛାତ୍ରୀ କିଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ଜିଲା, ରାଜ୍ୟ ଓ ଜାତୀୟ କ୍ଷେତ୍ରରେ ସୁନାମ ଆଣିପାରିଛନ୍ତି, ତାହା ସୂଚାଇଥିଲେ। ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶିକ୍ଷାନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଦୁର୍ଗା ପ୍ରସାଦ ସରାଫଙ୍କ ସ୍ମୃତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିବା ପରେ ଶିକ୍ଷକ ସେକ୍ ପରବେଜ୍ ଅମିନ ଅତିଥି ପରିଚୟ ଓ ଅଭିସ୍ପା କର ସ୍ୱାଗତ ଅଭିଭାଷଣ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ପ୍ରଶାସକ ଅକ୍ଷୟ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଉତ୍ସବ ସଂଚାଳିତ ହୋଇଥିବାବେଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ “ସରଗମ୍” ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ କାର୍ତ୍ତିକ ପ୍ରସାଦ ନାୟକ, ଯତିନ୍ଦ୍ରନାଥ ଜେନା, ସୋମା ରାୟ, ନିନା ନାୟକ ଓ ଅପର୍ଣ୍ଣା ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଅନିଭା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *