ଡାକ୍ତର ଅଭାବରେ ଚାଲିଛି କୁଆଁରମୁଣ୍ଡା ସରକାରୀ ଡାକ୍ତରଖାନା!

ରାଉରକେଲା ୫-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): କୁଆଁରମୁଣ୍ଡାରେ ଥିବା ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୧୨ ବର୍ଷ ପୂର୍ବରୁ ସରକାରଙ୍କ ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବର୍ତିତ କରାଯାଇଥିଲା। କିନ୍ତୁ ପରିତାପର ବିଷୟ ହେଲା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ କାର୍ଯ୍ୟ କରୁଥିବା ବେଳେ ବର୍ତମାନ ମାତ୍ର ୨ ଜଣ ଡାକ୍ତର ଏଠାରେ ଅବସ୍ଥାପିତ ଅଛନ୍ତି। ସେଥିମଧ୍ୟରୁ ଜଣେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଭାବରେ ପ୍ରଶାସନିକ କାର୍ଯ୍ୟ ତଦାରଖ ଦାୟିତ୍ୱରେ ରହିବା ଯୋଗୁ ସାଧାରଣ ରୋଗୀ ସେବା ନିମନ୍ତେ ସମ୍ପୃକ୍ତ ଡାକ୍ତରଙ୍କୁ ସମୟ ଓ ଅବସର ମିଳୁନାହିଁ। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କୁ ବାଦଦେଲେ ଏହି ଡାକ୍ତରଖାନାରେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତର ଏବଂ ଶିଶୁ ରୋଗ ଡାକ୍ତର ଅବସ୍ଥାପିତ ହେବାର ବ୍ୟବସ୍ଥା ରହିଥିବା ସତ୍ୱେ ବର୍ତମାନ ଏଠାରେ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ପଦ ଖାଲିପଡ଼ିଛି। ବର୍ତମାନ ଏଠାରେ ଅବସ୍ଥାପିତ ଥିବା ଶିଶୁରୋଗ ଡାକ୍ତରଙ୍କ ଉପରେ ସମୁଦାୟ ଡାକ୍ତରଖାନାର ରୋଗୀ ସେବାର ଭାର ପଡ଼ିଛି। ନିୟମିତ ଡାକ୍ତର ବ୍ୟବତୀତ ଦୁଇଜଣ ଫର୍ମାସିଷ୍ଟ, ଦୁଇଜଣ ଲାବୋରେଟୋରୀ ଟେକନିସିୟାନ ଓ ୫ ଜଣ ନର୍ସ ମଧ୍ୟ ରହିଛନ୍ତି। କିନ୍ତୁ ଏସବୁ ସତ୍ୱେ କୁଆଁରମୁଣ୍ଡା ସରକାରୀ ଗୋଷ୍ଠୀ କେନ୍ଦ୍ରରେ ସାଧାରଣ ଗରିବ ରୋଗୀ ଚିକିତ୍ସାସେବା ଉପଯୁକ୍ତ ଭାବେ ପାଇ ପାରୁନଥିବା ସାଧାରଣରେ ଅଭିଯୋଗ ହୋଇଛି। କିଛି ମାସ ପୂର୍ବରୁ ଏଠାରେ ଜଣେ ଶିକ୍ଷାନିବିଶ ମହିଳା ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସେ ଉଚ୍ଚତର ତାଲିମ ଗ୍ରହଣ ପାଇଁ ଚାଲିଯାଉଥିବାରୁ ଦୀର୍ଘଦୀନ ହେବ ଉକ୍ତ ପଦବୀ ଖାଲି ପଡ଼ିଛି। ଡାକ୍ତର ମାନେ ସେମାନଙ୍କ କ୍ୱାର୍ଟରରେ ନରହି ରାଉରକେଲାରୁ କୁଆଁରମୁଣ୍ଡା ପ୍ରତିଦିନ ଯିବା ଆସିବା କରୁଛନ୍ତି। ଏହା ଫଳରେ ରୋଗୀ ମାନଙ୍କୁ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡୁଛି। ଡାକ୍ତରଖାନାରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଲାଗି ରହିବା କାରଣରୁ ଏହା ଧିରେ ଧିରେ ନିଜର ଆସ୍ଥା ହରାଇବା ଭଳି ଦେଖାଯାଉଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *