ଡହଡହ ଖରା : ଜନଜୀବନ ଅସ୍ତବ୍ୟସ୍ତ

ଭଦ୍ରକ, ୨୮ /୪ (ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ)ଖର ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ୪୫ଡିଗ୍ରୀ ପାରଦ ଟପିଛି। ଦିନ ୧୨ଟା ପରେ ରାସ୍ତାଘାଟ, ବଜାର, କୋର୍ଟକଚେରୀ, ଦୋକାନ ଆଦି ସବୁକିଛି ଶୁନଶାନ ହୋଇପଡୁଛି। ଦିନ ୧୦ଟା ବେଳକୁ ରାସ୍ତାଘାଟ ସବୁକିଛି ତାତି ଯାଉଛି। ସହର ଖାଁ ଖାଁ ହୋଇପଡୁଛି। ସକାଳୁ ଦିନ ୧୧ଟା ପର୍ଯ୍ୟନ୍ତ ଯାହାର ଯେମିତି କାମ ଶେଷ କରି ଘରକୁ ପଳାଇବାକୁ ଉଦ୍ୟମ ଚଳାଉଥିବା ଦେଖାଯାଇଛି। ଗ୍ରୀଷ୍ମ ପ୍ରବାହରେ ପଶୁସମୁଦାୟ ବାହାରେ ରହି ନପାରି ଗଛମୂଳକୁ ଆଶ୍ରା କରୁଛନ୍ତି। ସମସ୍ତ ସ୍କୁଲ, କଲେଜ ଛୁଟି ହୋଇଥିଲେ ମଧ୍ୟ କେତେକ ବେସରକାରୀ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଭଦ୍ରକ ପୌରପାଳିକ ପକ୍ଷରୁ ୫ଟି ସ୍ଥାନରେ ମୌଖିକ ଭାବେ ଜଳଛତ୍ର ଖୋଲାଯାଇଥିବା ବେଳେ ଅନେକ ସ୍ଥାନରେ ପାଣି ଡ୍ରମର ବ୍ୟବସ୍ଥା କରାଯାଇଛି। ତେବେ ଶ୍ରମିକ ଦିନ ୧୨ଟା ପରେ ସେମାନଙ୍କ କାର୍ଯ୍ୟ ଶେଷ କରି ଘରକୁ ଫେରୁଛନ୍ତି। ବିଶେଷକରି ସାଧାରଣ ଦୀନ ମଜୁରିଆ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଉଛି। ଡହଡହ ଖରା ଯୋଗୁଁ ସକାଳ ଓ ସନ୍ଧ୍ୟାରେ ଯାହା ରୋଜଗାର ହେଉଛି ରିକ୍ସା ଚାଳକମାନେ ସେହିଥିରେ ସେମାନଙ୍କୁ ଗୁଜୁରାଣ ମେଣ୍ଟାଉଛନ୍ତି। ଯାହା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି ଜଣାପଡିଛି। ପୋଖରୀ ନାଳ ସବୁ ଶୁଖିଲା ଅବସ୍ଥାକୁ ଆସି ଯାଇଥିବା ବେଳେ କିଛି ସାଧାରଣ ଲୋକେ ସାଳନ୍ଦୀ ନଦୀରେ ସେମାନଙ୍କର ଦୈନନ୍ଦିନ ସ୍ନାନ କାର୍ଯ୍ୟ କରୁଥିବା ଦେଖିବାକୁମିଳୁଛି। ତେବେ ଦୀର୍ଘ ୧୦ଦିନ ହେବ ଡହଡହ ଖରା ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଥିଲେ ମଧ୍ୟ ବର୍ଷା ଟୋପେ ପାଇଁ ଅନାଇ ବସିଛନ୍ତି। କିନ୍ତୁ ସାମାନ୍ୟ ବର୍ଷା ମଧ୍ୟ ହେଉନାହିଁ। ସେହିପରି ବର୍ଷା ପାଇଁ ଚାଷୀମାନେ ଖରାଟିଆ ହଳ ମଧ୍ୟ କରିପାରୁନାହାନ୍ତି। ଅପରପକ୍ଷେ ପ୍ରବଳ ଗରମ ଗୁଳୁଗୁଳିରେ ଲୋକେ ସିଜୁଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ଅସହ୍ୟ ହୋଇପଡୁଛି। ଯେଉଁଥିପାଇଁ ସବୁଠି ଅସନ୍ତୋଷ ଦେଖାଦେଉଛି। ଏଥିନେଇ ଜନପ୍ରତିନିଧି ମାନେ ତୁରନ୍ତ ବିଦ୍ୟୁତ ବ୍ୟବସ୍ଥା ସୁଧାର ଆଣିବା ଦିଗରେ କାର୍ଯ୍ୟକରିବାକୁ ଅଭିଯୋଗ କରିଆସୁଛନ୍ତି। ଏପରି ପ୍ରଖର ଗ୍ରୀଷ୍ମ ପ୍ରବାହ ହେଉଥିବାବେଳେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ ପୂର୍ବକ ଅଂଶୁଘାତ ଜନିତ ଶୀତତାପ ନିୟନ୍ତ୍ରିତ ଚିକିତ୍ସା ନିମନ୍ତେ କୋଠରୀ ଖୋଲିବା ସହିତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *