ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ : ଏକ ଅନନ୍ୟ ବଳିଦାନ

-ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

ଜୁନ ୨୩ ହେଉଛି ଡଃ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ବଳିଦାନ ଦିବସ। କାଶ୍ମୀରରେ ପ୍ରବେଶ କରିବା ପାଇଁ ନେହରୁ ଶେଖ୍ ଅବଦୁଲା କରିଥିବା ଘୃଣିତ ପରମିଟ ବ୍ୟବସ୍ଥା ବିରୁଦ୍ଧରେ ପ୍ରତିବାଦ କରି ସେ ବିନା ପରମିଟ୍ରେ କାଶ୍ମୀରରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ବନ୍ଦୀ କରାଯାଇଥିଲା।     ଜୁନ ୨୩ ରେ ରହସ୍ୟ ଜନକ ଭାବେ କାଶ୍ମୀର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ନେହରୁ-ଅବଦୁଲା ଷଡଯନ୍ତ୍ର କରି ତାଙ୍କୁ ହତ୍ୟା କରିଥିଲେ ବୋଲି ବିଶ୍ୱାସ କରାଯାଏ। ଆଜି ତାଙ୍କ ବଳିଦାନ ଦିବସରେ ଆମେ ତାଙ୍କ ପ୍ରତି ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

ସ୍ୱାଧୀନତାପରେ ଭାରତ ବର୍ଷରେ କଂଗ୍ରେସର ସଂଖ୍ୟାଲଘୁ ତୁଷ୍ଟିକରଣ ନୀତିର ବିରୋଧ କରି ସମଗ୍ର ଦେଶରେ ସଂଖ୍ୟାଗରିଷ୍ଠ ହିନ୍ଦୁସମାଜ ଯେଉଁ ଆହ୍ୱାନର ସମ୍ମୁଖିନ ହୋଇଥିଲା, ତା’ର ଫଳଶୃତି ସ୍ୱପୂପ ୧୯୫୧ ଅକ୍ଟୋବର ୨୧ରେ ଡଃ.ଶ୍ୟାମାପ୍ରସାଦ ମୁଖାର୍ଜୀ ଜନସଂଘର ପ୍ରତିଷ୍ଠା କରି ଦେଶର ଶାସନ ବ୍ୟବସ୍ଥାରେ କଂଗ୍ରେସର ଏକ ବିକଳ୍ପ ରାଜନୈତିକ ଦଳ ଓ ଚେତନାର ସୂତ୍ରପାତ କରିଥିଲେ। ୧୯୬୭ରେ ଦୀନଦୟାଲଙ୍କ ନେତୃତ୍ୱରେ ଏହି ଦଳ ୧୯୫୨, ୧୯୫୭ ଓ ୧୯୬୨ରେ ଯଥାକ୍ରମେ ୩, ୪ ଓ ୧୪ଟି ଆସନ ପାଇଥିବା ବେଳେ ସେତେବେଳେ ୩୫ଟି ଆସନ ଲାଭ କରିଥିବା ବେଳେ ନେହେରୁଙ୍କ ନେତୃତ୍ୱରେ କଂଗ୍ରେସ ଯଥାକ୍ରମେ ୩୬୪, ୩୭୧ ଓ ୩୬୧ ଆସନରେ ଜିତିଥିବା ବେଳେ ଇନ୍ଦିରାଙ୍କ ନେତୃତ୍ୱରେ ସବୁଠାରୁ କମ୍ ସିଟ୍ ୨୮୩ ପାଇ ଶାସନ କ୍ଷମତାକୁ ଫେରିଥିଲା। ଏହି ସମୟରେ ମଧ୍ୟ ବହୁ ରାଜ୍ୟରୁ କଂଗ୍ରେସ କ୍ଷମତାଚ୍ୟୁତ ହୋଇଥିଲା। ୧୯୯୮ରୁ ୨୦୦୪ ପର୍ଯ୍ୟ” ୬ ବର୍ଷକାଳ ଅଟଳ ବିହାରୀ ବାଜପେୟୀ ଏନ୍ଡିଏର ନେତୃତ୍ୱ ନେଇ ସରକାର ଗଢିଥିବା ବେଳେ ମୋଦିଙ୍କ ନେତୃତ୍ୱରେ ପୁଣିଥରେ ୨୦୧୪ରେ ରେକର୍ଡ ସଂଖ୍ୟକ ୨୮୫ଟି ଆସନ ଜିତି ବିଜେପି କ୍ଷମତାକୁ ଫେରିଛି। ତେଣୁ ଏହି କଂଗ୍ରେସ ବିକଳ୍ପ ରାଜନୀତିର ସଫଳତାର ଶ୍ରେୟ ଡଃ ଶ୍ୟାମା ପ୍ରସାଦ ଓ ପଣ୍ଡିତ ଦୀନଦୟାଲଙ୍କ ବୈଚାରିକ ସିଦ୍ଧାନ୍ତକୁ ଦିଆଯାଉଛି। ଏପରିକି ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ମହାତ୍ମାଗାନ୍ଧୀଙ୍କ ପରାମର୍ଶ କ୍ରମେ ନେହେରୁଙ୍କ ଅନ୍ତରୀଣ ମନ୍ତ୍ରୀମଣ୍ଡଳରେ ଶିଳ୍ପ ଓ ଯୋଗାଣ ବିଭାଗ ମନ୍ତ୍ରୀରୂପେ କାର୍ଯ୍ୟ କରଥିବା ବେଳେ ନେହେରୁ ଲିଆକତ ଅଲ୍ଲି ରାଜିନାମା ବା ଦିଲ୍ଲୀ ରାଜିନାମାକୁ ବିରୋଧ କରି ମନ୍ତ୍ରୀମଣ୍ଡଳରୁ ୧୯୫୦ ଫେବୃୟାରୀ ୭ ରେ ଇସ୍ତଫା ଦେଇଥିଲେ। ସେହିପରି ୧୯୫୩ ଫେବୃୟାରୀ ୭ ତାରିଖରେ ନେହେରୁଙ୍କୁ ଏକ ପତ୍ରରେ ଡଃ ମୁଖାର୍ଜି କାଶ୍ମୀର ପରି ଜାମ୍ମୁ ଓ ଲଦାଖକୁ ସ୍ୱାୟତ୍ତ ଶାସନ ଦେବାକୁ ଦାବି କରିଥିଲେ। ଜନସଂଘ ଗଠନ ପରେ ଦେଶ ତୁଷ୍ଟୀକରଣ ବ୍ୟବସ୍ଥାର ଅନ୍ତ ଘଟାଇ ଏକ ଯଥାର୍ଥ ଧର୍ମ ନିରପେକ୍ଷତା ପ୍ରତିଷ୍ଠା ଦିଗରେ ଚିନ୍ତା କରିବାକୁ ଆରମ୍ଭ କରିଥିଲା। ସମସ୍ତଙ୍କ ପାଇଁ ସମାନ ସିଭିଲ କୋର୍ଡକୁ ଏକ ବୈଚାରିକ ଆଦର୍ଶ ରୂପେ ଗ୍ରହଣ କରା ଯାଇଥିଲା। ବର୍ତ୍ତମାନ ମୋଦି ସରକାର ସେହି ସମାନ ସିଭିଲକୋର୍ଡ ପ୍ରବର୍ତ୍ତନ କଥା ଉତ୍ଥାପନ କରିଛନ୍ତି। ତେଣୁ ଏହା ନିଃସନ୍ଦେହ ଯେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ୬୫ ବର୍ଷତଳେ ଯେଉଁ ସ୍ୱପ୍ନ ଦେଖିଥିଲେ ଭାରତ ବର୍ତ୍ତମାନ ସେହି ଦିଗରେ ଅଗ୍ରସର ହେଉଛି।

ଡଃ ମୁଖାର୍ଜି ୧୯୦୧ ଜୁଲାଇ ୬ରେ ବଙ୍ଗଳାର ବ୍ୟାଘ୍ର ରୂପେ ସୁବିଦିତ ପିତା ଆଶୁତୋଷ ମୁଖାର୍ଜୀ ଓ ମାତା ଯୋଗମାୟଙ୍କର ସନ୍ତାନ ରୂପେ ଭୂମିଷ୍ଟ ହୋଇଥିଲେ। ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପିତାଙ୍କ ନିଦେ୍ର୍ଦଶରେ ସ୍ନାତକୋତ୍ତର ଶ୍ରେଣୀରେ ବଙ୍ଗଳା ଭାଷା ସାହିତ୍ୟ ପଢିଥିଲେ ଓ ସେଥିରେ ମଧ୍ୟ ସମାନ କୃତ୍ତିତ୍ୱ ପ୍ରଦର୍ଶନ କରିଥିଲେ। କଲିକତା ବିଶ୍ୱ ବିଦ୍ୟାଳୟରୁ ବିଏଲ୍ ଡିଗ୍ରୀ ପାଇବା ସହିତ ୧୯୨୭ରେ ଲଣ୍ଡନର ଲିନ୍କନ ଇନ୍ରୁ ବାରିଷ୍ଟରୀ ଡିଗ୍ରୀ ଲାଭ କରିଥିଲେ। ୧୯୨୯ରେ ତାଙ୍କ ପିତାଙ୍କର ଦେହାନ୍ତ ହେଲା ଓ ସେ ପିତାଙ୍କ ଓକିଲାତି ବ୍ୟବସାୟରେ ଯୋଗଦେଲେ।

ଭାରତର ସର୍ବକନିଷ୍ଠ କୂଳପତି ରୂପେ ତାଙ୍କ ପିତାଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ପିତା କୁଳପତି ଥିବା କଲିକତା ବିଶ୍ୱ ବିଦ୍ୟାଳୟରେ ମାତ୍ର ୩୩ ବର୍ଷ ବୟସରେ ୧୯୩୪ରୁ ୧୯୩୮ ପର୍ଯ୍ୟନ୍ତ ଅଧିଷ୍ଠିତ ହୋଇଥିଲେ। ଏହି ସମୟରେ ୧୯୩୭ରେ ସେ କଲିକତା ବିଶ୍ୱ ବିଦ୍ୟାଳୟର ଦୀକ୍ଷାନ୍ତ ଉତ୍ସବକୁ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କୁ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରଣ କରିଥିଲେ। ତାଙ୍କ ଅନୁରୋଧ କ୍ରମେ ଟାଗୋର ବଙ୍ଗଳା ଭାଷାରେ ତାଙ୍କ ବକ୍ତୃତା ଦେଇଥିଲେ। ଏହା ହିଁ ଥିଲା କୌଣସି ଭାରତୀୟ ଭାଷାରେ ଭାରତର କୌଣସି ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦେଶୀୟ ଭାଷାରେ ପ୍ରଦତ୍ତ ପ୍ରଥମ ଭାଷଣ।

୧୯୨୯ରେ ରାଜନୈତିକ ଜୀବନ ଆରମ୍ଭ କରି ଭାରତୀୟ କଂଗ୍ରେସ ତରଫରୁ ସେ ସେହି ବିଶ୍ୱବିଦ୍ୟାଳୟ ଗ୍ରାଜୁଏଟ୍ ଆସନରୁ ବଙ୍ଗଳା ବିଧାନ ପରିଷଦକୁ ନିର୍ବାଚିତ ହୋଇ ଥିଲେ କିନ୍ତୁ ତା’ ପରବର୍ଷ କଂଗ୍ରେସ ଦଳ ବିଭିନ୍ନ ଆଳ ଦର୍ଶାଇ ବିଧାନ ସଭା ଓ ବିଧାନ ପରିଷଦକୁ ବାସନ୍ଦ କରିବାରୁ ସେ ଦଳରୁ ଇସ୍ତଫା ଦେଲେ ଏବଂ ପୁଣି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଧାନ ପରିଷଦକୁ ନିର୍ବାଚିତ ହୋଇ ଥିଲେ। ଲକ୍ଷ୍ୟ ପ୍ରାପ୍ତି ପାଇଁ ଡଃ ମୁଖାର୍ଜୀ କେବେବି ନିଜ ସ୍ୱାଧୀନ ଚିନ୍ତା ଧାରାକୁ ବଳି ଦେଇ ନଥିଲେ। ୧୯୩୭ ନିର୍ବାଚନରେ ବଙ୍ଗଳା ବିଧାନ ସଭାକୁ ସେ ନିର୍ବାଚିତ ହୋଇ କିଛି କାଳ ବିରୋଧୀଦଳର ନେତା ରୂପେ କାର୍ଯ୍ୟ କରିଥିଲେ। ପରବର୍ତ୍ତି ସମୟରେ ୧୯୪୧-୪୨ରେ ପଂଜଲୁଲହକ୍ଙ୍କର କୃଷକ ପ୍ରଜା ପାର୍ଟି ଓ ହିନ୍ଦୁ ମହାସଭାର ମିଳିତ ମନ୍ତ୍ରୀମଣ୍ଡଳରେ ବଙ୍ଗଳାର ଅର୍ଥମନ୍ତ୍ରୀ ହୋଇଥିଲେ। ଏପରିକି ଏହି ସମୟରେ ବର୍ତ୍ତମାନର ବେଲୁଚିସ୍ଥାନ ଓ ସେତେବେଳର ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶରେ ହିନ୍ଦୁ ମହାସଭା ମୁସଲିମ୍ ଲିଗ୍ ସହିତ ମିଶି ମିଳିତ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ। ହିନ୍ଦୁତ୍ୱ, ହିନ୍ଦୁଜାତୀୟତା ଓ ଦେଶ ପ୍ରେମକୁ ସେ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିଲେ। ଜଣେ ମାନବବାଦୀ ନେତା ଭାବେ ମୁସଲମାନଙ୍କ ପ୍ରତି ସେ ସବୁବେଳେ ଉଦାରମତ ପୋଷଣ କରୁଥିଲେ କିନ୍ତୁ କୌଣସି ପରିପ୍ରେକ୍ଷୀରେ କଂଗ୍ରେସର ଗୋଷ୍ଟୀ ତୁଷ୍ଠୀକରଣକୁ ସ୍ୱୀକାର କରୁନଥିଲେ। ସେହିଭଳି କୌଣସି ପରିପେକ୍ଷୀରେ ସେ ଭାରତ ବିଭାଜନର ସପକ୍ଷରେ ନଥିଲେ ଏପରିକି ବେଙ୍ଗଲ ବିଧାନ ପରିଷଦର ବିବରଣୀ ଅନୁସାରେ ‘ଯଦି ମୁସଲମାନମାନେ ଭାରତରୁ ଅଲଗା ହୋଇ ପାକିସ୍ତାନ ଗଢିବାକୁ ଚାହାନ୍ତି ତେବେ ସେମାନେ ଏବେ ଠାରୁ ପାକିସ୍ତାନ ଚାଲିଯିବା ଉଚିତ ହେବ ‘ ବୋଲି ସେ ୧୯୩୭ ମସିହାରେ ଗାନ୍ଧୀଙ୍କର ଦ୍ୱିରାଷ୍ଟ୍ରୀୟ ନୀତିର ବିରୋଧ କରୁଥିଲେ। କହିଥିଲେ। ୧୯୪୬-୪୭ରେ ବଙ୍ଗଳାକୁ ପୁଣି ଏକାଠି କରି ଗୋଟିଏ ପ୍ରଦେଶ ରେ ପରିଣତ କରିବାକୁ ପ୍ରୟାସ କରିଥିଲେ କିନ୍ତୁ କଂଗ୍ରେସ ତାର ତୀବ୍ର ବିରୋଧ କରିବାରୁ ତାହା ସମ୍ଭବ ହୋଇ ପାରିନଥିଲା।

ଡଃ ମୁଖାର୍ଜୀ ୧୯୪୪ରେ ହିନ୍ଦୁମହାସଭାର ଅଧ୍ୟକ୍ଷ ହୋଇଥିଲେ। ମହାତ୍ମାଗାନ୍ଧୀ ଓ ନେହେରୁଙ୍କ ମୁସଲମାନ ପ୍ରୀତିକୁ ବିରୋଧକରି କଂଗ୍ରେସର ଏକ ବିକଳ୍ପ ରାଜନୈତିକ ଦଳ ଗଠନ କରିବାକୁ ସେ ଚାହୁଁଥିଲେ। ୧୯୫୦ରେ ନେହେରୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାପରେ ରାଷ୍ଟ୍ରବାଦୀ ବିକଳ୍ପ ରାଜନୈତିକ ଦଳ ଗଠନ ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଆର୍ଯ୍ୟ ସମାଜର ସାହାଯ୍ୟ ଲୋଡିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମଧ୍ୟ ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣ ନକରିବାର ଆଦର୍ଶରେ ବିଶ୍ୱାସୀ ଥିବାରୁ ନିଜେ ରାଜନୈତିକ ଦଳ ନଗଢି ଡଃ ମୁଖାର୍ଜୀଙ୍କୁ ରାଜନୈତିକ ଗଠନ ଦିଗରେ ସହାୟତା ଯୋଗାଇ ଦେଇ ଥିଲେ। ତକ୍ରାଳୀନ ସଂଘ ମୁଖ୍ୟ ମାଧବ ସଦାଶିବ ଗୋଲୱାଲକର ବା ଶ୍ରୀ ଗୁରୁଜୀ ଡଃ ମୁଖାର୍ଜୀଙ୍କୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, କୁଶାଭାଉ ଠାକରେ ଅଟଳବିହାରୀ ବାଜପେୟୀ, ସୁନ୍ଦରସିଂ ଭଣ୍ଡାରୀ ଆଦି ୪ ଜଣ ପ୍ରଚାରକଙ୍କୁ ଦଳ ଗଠନରେ ସହାୟତା କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ। ଆନୁଷ୍ଠାନିକ ଭାବେ ହିନ୍ଦୁତ୍ୱ ବୈଚାରୀକ ସିଦ୍ଧାନ୍ତରେ ବିଶ୍ୱାସ କରୁଥିବା ଏକ ରାଷ୍ଟ୍ରବାଦୀ ରାଜନୈତିକ ଦଳ ଜନ୍ମଲାଭ କଲା।

ଜାମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କାଶ୍ମୀର ମାଟିରେ ବିନା ପରମିଟ୍ରେ ଅଣ କାଶ୍ମୀରୀମାନଙ୍କୁ ପ୍ରବେଶ କରିବାକୁ ବାରଣ କରିଥିଲା। ୩୭୦ ଧାରା ଅନୁସାରେ କାଶ୍ମୀରକୁ ନିଜର ପ୍ରଧାନମନ୍ତ୍ରୀ, ପତାକା ଓ ସଂକେତ ବ୍ୟବହାରର ସୁଯୋଗ ଦେଇଥିଲା। ଡଃ ମୁଖାର୍ଜୀ ଏହାର ବିରୋଧ କରିବା ସହିତ ‘ଏକ ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ ଦୋ ନିଶାନ ନେହିଁ ଚଲେଗା ନେହିଁ ଚଲେଗା ‘ ସ୍ଲୋଗାନ ଦେଇଥିଲେ। ଏହି ବ୍ୟବସ୍ଥାର ପ୍ରତିବାଦକରି ବିନା ପରମିଟ୍ରେ ସେ ୧୯୫୩ ମେ ୧୧ ତାରିଖରେ କାଶ୍ମୀରରେ ପ୍ରବେଶ କଲେ। ସେତେବେଳେ ସେ କାଶ୍ମୀର ମାଟିରେ ପାଦ ରଖିବା ମାତ୍ରେ ତାଙ୍କୁ ଗିରଫ କରାଯାଇ ଥିଲା। ଅଟଳଜୀଙ୍କ ଭଳି ତାଙ୍କୁ ଅନୁସରଣ କରୁଥିବା ନେତାମାନଙ୍କୁ ସେଠାରୁ ସେ ବିଦାୟ ଦେଇ ଏକାକୀ କାରାବରଣ କରିଥିଲେ। ତାଙ୍କୁ ଜଣେ ଅପରାଧୀ ବା ସାଧାରଣ ବନ୍ଦୀଭାବେ ବ୍ୟବହାର ମିଳିଥିଲା। ସେ ରୋଗାକ୍ରାନ୍ତ ଥିଲେ ମଧ୍ୟ ତାଙ୍କୁ ଯଥାର୍ଥ ଚିକିତ୍ସାର ସୁବିଧା ମିଳି ନଥିଲା। ବନ୍ଦୀ ହେବାର ପ୍ରାୟ ଦେଢମାସ ପରେ ରହସ୍ୟ ଜନକ ଭାବେ ଜୁନ ୨୩ ତାରିଖରେ କାଶ୍ମୀରରେ ତାଙ୍କର ମୃତ୍ୟୁ ହୋଇଥିଲା। ଡଃ. ମୁଖାର୍ଜୀଙ୍କ ମୃତ୍ୟୁ ଭାରତରେ ଏଭଳି ପ୍ରତିକ୍ରିୟା ସୃଷ୍ଟି କଲା ଯେ ଶେଷରେ କାଶ୍ମୀରରେ ପ୍ରବେଶ କରିବାକୁ ଥିବା ପରମିଟ୍ ବ୍ୟବସ୍ଥା ବାତିଲ ହୋଇଥିଲା।

ସାରା ଦେଶରେ ଏଭଳି ରହସ୍ୟ ଜନକ ମୃତ୍ୟୁକୁ ସମାଲୋଚନା କରାଯିବା ସହିତ ଚକ୍ରାନ୍ତ କରି ତାଙ୍କୁ ହତ୍ୟା କରାଯାଇଛି ବୋଲି କୁହାଗଲା। ତାଙ୍କ ମାତା ଯୋଗମାୟା ଦେବୀ ନେହେରୁଙ୍କୁ ମଧ୍ୟ ଏକ ଚିଠି ଲେଖି ତାଙ୍କ ପୁଅର ମୃତ୍ୟୁର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ନେହେରୁ ‘ମୁଁ ବ୍ୟକ୍ତିଗତ ଭାବେ ସ୍ଥାନୀୟ ନେତାମାନଙ୍କ ସହିତ ଆଲୋଚନା କରି ଏହା ହତ୍ୟା ନୁହେଁ’ ବୋଲି କହିଥିଲେ। ଏଭଳି ଅପରିପକ୍ୱ ମନ୍ତବ୍ୟ ପ୍ରକୃତରେ ହତ୍ୟା ରହସ୍ୟକୁ ଆହୁରି ରହସ୍ୟମୟ କରି ଦେଇଥିଲା ଏବଂ ନେହେରୁଙ୍କ ସମ୍ପୃକ୍ତିକୁ ପ୍ରମାଣିତ କରିଥିଲା। ତେଣୁ ଅଟଳଜୀ ୨୦୦୪ରେ ଡଃ ମୁଖାର୍ଜୀଙ୍କ ହତ୍ୟାକୁ ନେହୁରଙ୍କ ଏକ ଚକ୍ରାନ୍ତ ବୋଲି କହିଥିଲେ। ୨୦୧୩ରେ ଏକ ସଂକଳ୍ପ ରାଲିରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଓ ସେତେବେଳର ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଡଃ ମୁଖାର୍ଜୀଙ୍କୁ ସ୍ୱାଧୀନ ଭାରତର ପ୍ରଥମ ଶହୀଦ ବୋଲି ସଂବୋଧନ କରିଥିଲେ। ଯଥାର୍ଥରେ ଏହି ବିଶିଷ୍ଟ ଶିକ୍ଷାବିତ୍, ହିନ୍ଦୁତ୍ୱ ବିଶ୍ୱାସୀ ଦେଶଭକ୍ତ ରାଷ୍ଟ୍ରବାଦୀ ସ୍ୱାଧୀନଚେତା ନେତାଙ୍କର ବଳିଦାନର ପଟ୍ଟାନ୍ତର ନାହିଁ।

ଆଜି କୃତଜ୍ଞ ରାଷ୍ଟ୍ର ନିଷ୍ଠାର ସହିତ ତାଙ୍କର ଦେଶପ୍ରତି ଅବଦାନକୁ ସ୍ମରଣ କରୁଛି ଓ ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାକୁ ଆରମ୍ଭ କରିଛି। ଏ ଦିଗରେ ସଫଳତା ହାସଲ ସମ୍ଭବତଃ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । (ଲେଖକଙ୍କ ନିଜସ୍ୱ ମତ) (Image Credit  – bjp.org)

ସୂର୍ଯ୍ୟ ନିଳୟ, ଜଗନ୍ନାଥ ବିହାର, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *