ଠିକାଦରଙ୍କ ଏକାଉଣ୍ଟ୍ ରୁ ଟଙ୍କା ହଡପ ଘଟଣାରେ ପୋଲିସକୁ ବଡ ସଫଳତା, ଝାରଖଣ୍ଡରୁ ଧରା ହେଲେ ଦୁଇ ଅଭିଯୁକ୍ତ

ବୌଦ୍ଧ,୧୭ା୮ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସାଇବରକ୍ରାଇମ ଜରିଆରେ ଅନେକ ଲୋକଙ୍କ ଏକାଉଣ୍ଟରୁ ଟଙ୍କା ହଡପ କରୁଥିବା ଆନ୍ତ ରାଜ୍ୟ ରାକେଟର ଦୁଇଜଣଙ୍କୁ ଗିରଫ କରିବାରେ ବୌଦ୍ଧ ପୋଲିସ ସଫଳ ହୋଇଛି । ବୌଦ୍ଧଥାନା ପକ୍ଷରୁ ମିଳିଥିବା ସୂଚନା ମୁତାବକ ବୌଦ୍ଧର ଜଣେ ଠିକାଦାରଙ୍କ ଏକାଉଣ୍ଟରୁ ସାଇବର କ୍ରାଇମ ଜରିଆରେ ଟଙ୍କା ହଡପ କରିଥିବା ଦୁଇଜଣ ଆନ୍ତଃରାଜ୍ୟ ଠକଙ୍କୁ ଧରିବାରେ ପୋଲିସକୁ ଏକ ବଡ ସଫଳତା ମିଳିପାରିଛି । ସୂଚନା ମୁତାବକ ଗତ ଜୁଲାଇ ୧୬ ତାରିଖରେ ବୌଦ୍ଧ ବାବୁସାହିର ଠିକାଦାର ପପୁନ ଦଲାଲ ତାଙ୍କ ଏକାଉଣ୍ଟରୁ ୪,୦,୧୫୫ ଟଙ୍କା ସାଇବର କ୍ରାଇମ ଜରିଆରେ ହଡପ କରିନେଇଥିବା ବୌଦ୍ଧଥାନାରେ ଅଭିଯୋଗ କରିଥିଲେ । ଶ୍ରୀଦଲାଲଙ୍କୁ ବ୍ୟାଙ୍କ କର୍ମଚାରୀ ଦର୍ଶାଇ ଏଟିଏମ ବାବଦରେ ତଥ୍ୟ ସଂଗ୍ରହ କରାଯିବାପରେ ତାଙ୍କ ଏକାଉଣ୍ଟରୁ ଟଙ୍କା ଉଠାଇ ନିଆଯାଇଥିିବା ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ପୋଲିସ ଥାନା କେସ ନମ୍ବର ୧୬୫/୧୭ରେ ମକଦ୍ଦମା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା । କ୍ରମେ ଏହି ଠକେଇ ମାମଲାର ଚେର ଝାରଖଣ୍ଡ ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଥିବା ତଦନ୍ତରେ ସୁରାକ ମିଳିବା ପରେ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ନିଦେ୍ର୍ଦଶକ୍ରମେ ଇନିସପେକ୍ଟର ଆର.କେ.ପାଢି ଓ ଏସ.ବି.ଦାଶଙ୍କ ନେତୃତ୍ୱରେ ଏକ ୪ ଜଣିଆ ପୋଲିସ ଟିମ୍ ଝାରଖଣ୍ଡ ଅଭିମୁଖେ ଯାଇଥିଲା । ସେଠାରେ ତଦନ୍ତକାରୀ ଦଳ ଅନେକ ତଥ୍ୟ ସଂଗ୍ରହ କରିବାପରେ ଦେଓଘର ଜିଲା ଅନ୍ତର୍ଗତ ମାର୍ଗୋମୁଣ୍ଡା ଥାନା ଅଧିନରେ କାନୋ ଗ୍ରାମରୁ ସର୍ଫରାଜ ଅନସାରୀ(୨୦) ଓ ମାରନି ଗ୍ରାମରୁ ମୋନୁ ମିଆଁ(୭୨)ଙ୍କୁ ସେଠାକାର ପୋଲିସ ସହାୟତାରେ ଗିରଫ କରିଥିଲା ଓ ରିମାଣ୍ଡରେ ଦୁଇ ଅଭିଯୁକ୍ତକୁ ବୌଦ୍ଧ ଅଣାଯାଇଥିଲା । ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୨ଟି ପାଶବୁକ୍,୩ଟି ମୋବାଇଲ ସମେତ ସେମାନଙ୍କର ଅନେକ ପରିଚୟପତ୍ର ଜବତ କରିଥିଲା । ସେମାନଙ୍କ ଦ୍ୱାରା ହୋଇଥିବା ବ୍ୟାଙ୍କ କାରବାର ଯାଞ୍ଚ କରାଯିବା ପରେ ଠିକାଦାର ଶ୍ରୀଦଲାଲଙ୍କ ଏକାଉଣ୍ଟରୁ ୨,୭୭,୨୬୨ ଟଙ୍କା ଉଠାଯାଇଥିବା ଜଣାପଡିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତମାନଙ୍କ କୌଣସି ଶିକ୍ଷାଗତ ଯୋଗ୍ୟତା ନଥିବାବେଳେ କଂପୁ୍ୟଟର ଚଳାଇବାରେ ସେମାନେ ସିଦ୍ଧହସ୍ତ ଥିବା ପୋଲିସ ତଦନ୍ତ ବେଳେ ଜଣାପଡିଛି । ଠିକାଦାର ଶ୍ରୀଦଲାଲଙ୍କ ଅଭିଯୋଗକୁ ଭିତିକରି ପୋଲିସ ଥାନା କେସ ନମ୍ବର ୧୬୫/୧୭ରେ ଦଫା ୪୧୯/୪୨୦/୩୪ ଆଇପିସି ଓ ୬୬(ସି)/୬୬(ଡି) ଆଇଟି ଆକ୍ଟରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ତେବେ ସାଇବର କ୍ରାଇମ ଦ୍ୱାରା ଟଙ୍କା ହଡପ ଘଟଣାର ପର୍ଦ୍ଦାଫାସ କରି ଆନ୍ତଃରାଜ୍ୟ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିବା ବୌଦ୍ଧ ପୋଲିସ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି । ସାଧାରଣଲୋକ ବ୍ୟାଙ୍କ କାରବାର ମାମଲାରେ ଫୋନ ଯୋଗେ ବ୍ୟାଙ୍କ ଏକାଉଣ୍ଟ ତଥ୍ୟ ନଦେଇ ପ୍ରତ୍ୟକ୍ଷ ଭାବରେ ବ୍ୟାଙ୍କକୁ ଆସି ସେମାନଙ୍କ ଆକାଉଣ୍ଟ ବାବଦରେ ତଥ୍ୟ ପ୍ରଦାନ କିମ୍ବା କାରବାର କଲେ ଏହିଭଳି ସାଇବର କ୍ରାଇମ୍ ଦ୍ୱାରା ଠକାମୀର ଶିକାର ହେବାକୁ ପଡିବ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *