ଠକ ମହିଳାଙ୍କ ବିରୋଧରେ ମାମଲା ରୁଜୁ କଲାନାହିଁ ପୁଲିସ ; ନିରାଶ ଜମାକାରୀ

ଯାଜପୁର -୨୪/୫(ଓଡିଆ ପୁଅ / ଏ.ରାଉତ) – ଯାଜପୁର ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ମହିଳାମାନଙ୍କୁ ଋଣ କରାଇଦେବା ଆଳରେ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଜଣେ ଠକ ମହିଳାଙ୍କୁ ଗିରଫ କରି କୋର୍ଟଚାଲାନ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । କିନ୍ତୁ ଏହି ଘଟଣାରେ ବିଞ୍ଝାରପୁର ଓ ଯାଜପୁର ସଦର ଥାନାରେ କେତେକ ଜମାକାରୀ ଅଭିଯୋଗ କରିଥିଲେ ମଧ୍ୟ ଉପରୋକ୍ତ ଦୁଇଟି ଥାନା ମାମଲା ରୁଜୁ କରିବାପାଇଁ ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଜମାକାରୀଙ୍କ ମଧ୍ୟରେ ମାମଲା ରୁଜୁ କରିବାପାଇଁ ପଛଘୁଞ୍ଚା ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାଜପୁର ଜିଲା ମନ୍ଦରଖଣ୍ଡ ଅଞ୍ଚଳର ଗୀତାଞ୍ଜଳୀ ତ୍ରିପାଠୀ ନାମକ ଜନୈକ ମହିଳା ବିଭିନ୍ନ ବ୍ଲକ୍ ଅଞ୍ଚଳରେ ଏଜେଣ୍ଟ ନିଯୁକ୍ତି କରି ମହିଳାମାନଙ୍କୁ ନେଇ ଏକ ଗୋଷ୍ଠୀ ଗଠନ କରାଇ ଋଣ କରାଇଦେବା କହି ପ୍ରତି ମହିଳାମାନଙ୍କଠାରୁ ୧୫ ଶହ ଟଙ୍କାଠାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରିଥିଲେ । ୨୦୧୬ ମସିହା ଅକ୍ଟୋବର ମାସରୁ ଅର୍ଥ ଦେଉଥିବା ଯାଜପୁର ବ୍ଲକ୍ର ଖଇରାବାଦ ଓ ଜାଫରପୁର ପଞ୍ଚାୟତର ମହିଳାମାନେ କୌଶଳକ୍ରମେ ଏଜେଣ୍ଟ ମାଧ୍ୟମରେ ଗୀତାଞ୍ଜଳୀକୁ ଡକାଇ ସଦର ପୁଲିସର ଜିମା ଦେଇଥିଲେ । ସଦର ପୁଲିସ ଘଟଣାକୁ ହାଲୁକାଭାବେ ଗ୬ହଣ କରି ମାମଲା ରୁଜୁ କରିବାକୁ ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଯାଜପୁର ଥାନା ଅକରପଡ଼ା ଅଞ୍ଚଳର କେତେକ ମହିଳା ଗୀତାଞ୍ଜଳୀଙ୍କ ନାମରେ ଅଭିଯୋଗ କରିଥିଲେ । ଯାଜପୁର ଥାନାଧିକାରୀ ପ୍ରଶାନ୍ତ କୁମାର ମଲ୍ଲଙ୍କ ନିଦେ୍ର୍ଦଶକ୍ରମେ ଏକ ମାମଲା ରୁଜୁ କରି ଏସ୍.ଆଇ. ମାନସ ରଞ୍ଜନ ଚକ୍ରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ସଦର ଥାନାରେ ଅଟକ ଥିବା ଗୀତାଞ୍ଜଳୀକୁ ଯାଜପୁର ପୁଲିସ ଥାନାକୁ ଆଣି ପଚରା ଉଚରା କରିଥିଲା । ଥାନାରେ ଗୀତାଞ୍ଜଳୀକୁ ପୁଲିସ ପଚରା ଉଚରା ସମୟରେ ମୁଖ୍ୟ ଅଭିଯୁକ୍ତ ସ୍ୱର୍ଣ୍ଣପ୍ରଭା ବରାଳ ବୋଲି ଗୀତାଞ୍ଜଳୀ ପ୍ରକାଶ କରିବା ସହ ସ୍ୱର୍ଣ୍ଣପ୍ରଭା ନିଦେ୍ର୍ଦଶରେ ସେ ଏହି କାର୍ଯ୍ୟ କରୁଥିଲେ ବୋଲି ପୁଲିସ ନିକଟରେ ବୟାନ ଦେଇଥିଲେ । ଗୀତାଞ୍ଜଳୀର ବୟାନକୁ ଭିତ୍ତିକରି ଯାଜପୁର ପୁଲିସ ମେଡ଼ିକାଲ ରୋଡ଼ ମାର୍କେଟ କମ୍ପ୍ଲେକ୍ସରେ ଥିବା ସ୍ୱର୍ଣ୍ଣପ୍ରଭାର ବିୟୁଟି ପାର୍ଲର ଓ ଅମ୍ବିକାରେ ଥରବା ଭଡ଼ାଘର ଉପରେ ଚଢ଼ାଉ କରିଥିଲେ ମଧ୍ୟ ସ୍ୱର୍ଣ୍ଣପ୍ରଭା ବରାଳ(ଚିନୁ) ଫେରାର ହୋଇଯାଇଥିଲା । ପୁଲିସ ଗୀତାଞ୍ଜଳୀର କେତେଗୁଡ଼ିକ ବ୍ୟାଙ୍କ ବହିକୁ ଜବତ କରି ଯାଞ୍ଚ କରିଥିଲା । ସ୍ୱର୍ଣ୍ଣପ୍ରଭା ପରଦା ଆଢ଼ୁଆଳରେ ରହି ଏହି ଋଣ ବ୍ୟବସାୟ ଚଳାଉଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ମହିଳାମାନଙ୍କୁ ଋଣ କରାଇଦେବା ଆଳରେ ଗୀତାଞ୍ଜଳୀ ଓ ସ୍ୱର୍ଣ୍ଣପ୍ରଭା ଲକ୍ଷାଧିକ ଟଙ୍କା ଲୁଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଅନ୍ୟପକ୍ଷରେ ଏହି ଘଟଣା ଜଣାପଡ଼ିବା ପରେ ଏହି ଠକ ମହିଳାଙ୍କ ଶିକାର ହୋଇଥିବା ବିଞ୍ଝାରପୁର ଥାନା ଅଞ୍ଚଳର କେତେକ ମହିଳା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ମହିଳାମାନଙ୍କ ଅଭିଯୋଗକୁ ବିଞ୍ଝାରପୁର ପୁଲିସ ଗ୍ରହଣ କରିନଥିଲା କି ମାମଲା ମଧ୍ୟ ରୁଜୁ କରିନଥିବା ଜଣାପଡ଼ିଛି । ଏ ସମ୍ପର୍କରେ ବିଞ୍ଝାରପୁର ଥାନାଧିକାରୀ ଅସିତ ରଞ୍ଜନ ମହାନ୍ତିଙ୍କୁ ପଚାରିବାରେ ମହିଳାମାନେ ଯେଉଁ ସ୍ଥାନରେ ଅର୍ଥ ଦେଇଛନ୍ତି ସେହି ଥାନା ଅଞ୍ଚଳରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲି ବୋଲି ସୂଚନା ଦେଇଥିଲେ । ସେହିପରି ସଦର ଥାନା ଅଧିକାରୀ ଆଲୋକ ରଞ୍ଜନ ରାୟଙ୍କୁ ପଚାରିବାରେ କୌଣସି ମହିଳା କିମ୍ବା ବ୍ୟକ୍ତିବିଶେଷ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଅଭିଯୋଗ କରିନଥିବାରୁ ମାମଲା ରୁଜୁ କରାଯାଇନାହିଁ ବୋଲି ସୂଚନା ଦେଇଥିଲେ । ଯଦି ଯାଜପୁର ଥାନା ଉକ୍ତ ଠକ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିପାରିଲା ତେବେ ଅନ୍ୟ ଦୁଇଟି ଥାନା କାହିଁକି ମାମଲା ରୁଜୁ କରିବାପାଇଁ ପଛଘୁଞ୍ଚା ଦେଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ବରୀ, ରସୁଲପୁର, ବଡ଼ଚଣା, ଧର୍ମଶାଳା ଥାନା ଅଞ୍ଚଳର କେତେକ ମହିଳା ଉକ୍ତ ଠକ ମହିଳା ଦ୍ୱାରା ଶିକାର ହୋଇଥିବା ଜଣାପଡ଼ିଛି । ଯଦି ଉଚ୍ଚ ପୁଲିସ ଅଧିକାର ଦ୍ୱାରା ଘଟଣାର ତଦନ୍ତ କରାଯାଏ, ତେବେ ଏଥିରେ ସମ୍ପୃକ୍ତ ବହୁ ବ୍ୟକ୍ତିବିଶେଷ ଧରାପଡ଼ିବା ସହ ଗୁମର ଫିଟିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *