ଟ୍ରିପଲ ତଲାକ ବିଲକୁ ବିଜେଡିର ପୁଣି ବିରୋଧ କରିବା ପ୍ରସଙ୍ଗ: ଭୁବନେଶ୍ୱରରେ ସମର୍ଥନ ଓ ଦିଲ୍ଲୀରେ ବିରୋଧ ବିଜେଡିର ଦୋମୁହାଁ ନୀତି : ବିଜେପି

– ଟ୍ରିପଲ ତଲାକ ଅପରାଧରେ ଫୌଜଦାରୀ ଦଣ୍ଡକୁ ବିରୋଧ କରିବା ବିଜେଡି ମହିଳା ବିରୋଧୀ ହେବାର ପ୍ରମାଣ

ଭୁବନେଶ୍ୱର, ତା.୦୨/୦୧(ଓଡ଼ିଆ ପୁଅ): ଟ୍ରିପଲ ତଲାକ ବିଲ ମାମଲାରେ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ବିଜେଡି ଏହି ବିଲକୁ ବିରୋଧ କରିବା ପ୍ରସଙ୍ଗ ଦୋହରାଇବା ପରେ ବିଜେପି ଏହି ମାମଲାରେ ବିଜେଡିକୁ ମହିଳା ସ୍ୱାର୍ଥ ଓ ସମ୍ମାନ ବିରୋଧୀ ବୋଲି କହିଛି।

ବିଜେପି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଗୋଟିଏ ପଟେ ବିଜେଡି ମୁଖପାତ୍ର ମାନେ ଏହି ବିଲକୁ ଦଳ ବିରୋଧ କରୁ ନାହିଁ ବୋଲି କହୁଥିବା ବେଳେ ପୁଣି ସଂସଦୀୟ ଦଳ ମୁଖ୍ୟଙ୍କ ବିରୋଧର ପୁନରାବୃତି ଦଳର ଦୋମୁହାଁ ନୀତିକୁ ସ୍ପଷ୍ଟ କରିଛି।

ଶ୍ରୀ ମହତାବଙ୍କ ଟ୍ରିପଲ ତଲାକ ଦେବାନୀ ଆଇନରେ ଫୌଜଦାରୀ ଦଣ୍ଡ ବିଧାନକୁ ବିରୋଧ ମାମଲାରେ ବିଜେଡିକୁ କଟୁ ସମାଲୋଚନା କରିଛନ୍ତି ଶ୍ରୀ ଆଚାର୍ଯ୍ୟ। ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ହିନ୍ଦୁ ବିବାହ ଓ ଛାଡପତ୍ର ନିୟମରେ ବିବାହିତା ମହିଳାଙ୍କୁ ଲାଂଛନା ଦେଲେ ଶାଶୁ, ନଣନ୍ଦ, ସ୍ୱାମୀ, ଦିଅରଙ୍କ ବିରୁଦ୍ଧରେ ୪୯୮ ଏ ରେ ମାମଲା ହୋଇ ଦଣ୍ଡ ମିଳେ ବୋଲି ଭର୍ତ୍ତୃହରି ମହତାବଙ୍କୁ ଭଲ ଭାବେ ଜଣା ଅଛି। ମାତ୍ର ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ କଂଗ୍ରେସ ସହିତ ମିଶି ମୋଦିଙ୍କୁ ବିରୋଧ କରିବା ପାଇଁ ଏପରି ରଣନୀତି ତିଆରି କରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଏହି ବିଲକୁ ଦେଶର ମହିଳା ସମାଜ ବିଶେଷ ଭାବରେ ମୁସଲମାନ ମହିଳା ମାନେ ରାଜରାସ୍ତାକୁ ଆସି ମୁକ୍ତକଂଠରେ ସ୍ୱାଗତ କରୁଛନ୍ତି। କିଛି ମୌଳବାଦୀ, ରକ୍ଷଣଶୀଳ ଓ କୁସଂସ୍କାରରେ ବିଶ୍ୱାସୀ ବ୍ୟକ୍ତିବିଶେଷ ଏହାକୁ ବିରୋଧ କରୁଛନ୍ତି। ଏହି ବିଲକୁ ବିରୋଧ କରୁଥିବାର ସ୍ପଷ୍ଟ ମତ ରଖି ବିଜେଡି ମହିଳା ବିରୋଧୀ ହେବାର ପ୍ରମାଣ ଲୋକ ମାନଙ୍କୁ ଦେଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *