ଓଡ଼ିଶା

ଟ୍ରକ ମାଲିକଙ୍କୁ ଲୁଟୁଛି ଠିକା ସଂସ୍ଥା, ପ୍ରତିଶ୍ରୁତି ପରେ ଟ୍ରକ ମାଲିକ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଯୋଡା- ତା ୧୮/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡାସ୍ଥିତ ମାଇନିଙ୍ଗ ଏରିଆ ଟ୍ରକ ୱନର ଆସୋସିଏସନ୍ (ମାଟୋଆ)ର ଆନ୍ଦୋଳନ ଆଜି ଅପରାହ୍ନରେ ପ୍ରତ୍ୟାହୃତ ହେଇଥିବା ଜଣାପଡିଛି। କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ହେବା ସହିତ ପରିବହନ ଦରକୁ ୫ ବର୍ଷ ହେଲା ସ୍ଥିର ରଖାଯିବା ଫଳରେ ଟ୍ରକ ମାଲିକ ମାନେ ଅନେକ କ୍ଷତିର ସମ୍ମୁଖିନ ହେଉଛନ୍ତି। ଋଣ କରି ଟ୍ରକ କିଣିଥିବା ମାଲିକମାନେ ଋଣ ପରିଷୋଧ କରିନପାରି ସେମାନଙ୍କ ଟ୍ରକକୁ ଅର୍ଥନୈତିକ ସଂସ୍ଥା ଛଡେଇ ନେଉଛି। ତେଣୁ ପରିବହନ ଦର ବୃଦ୍ଧି କରିବା ନିମନ୍ତେ ସଂଘ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ମା କୁଆଁରି ପରିବହନ ଠିକା ସଂସ୍ଥା ଏଥିରେ କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ଟ୍ରକ ମାଲିକମାନେ ମଙ୍ଗଳବାର ଠାରୁ ଖଣି ଅଞ୍ଚଳରେ ପରିବହନ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। ଫଳରେ ଯୋଡାର ବିଭିନ୍ନ ଖଣିରେ ଏକ ଅଚଳା ଅବସ୍ଥା ସୃଷ୍ଟି ହୋଇଥିଲା। ବିଭିନ୍ନ ରେଳ ସାଇଡିଂ ଗୁଡିକରୁ ରେଲ ଦ୍ୱାରା ପରିବହନ ବନ୍ଦ ହୋଇପଡିଥିଲା। ଏ ଅଞ୍ଚଳର ପ୍ରମୁଖ ଖଣି ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ଟ୍ରକ ମାଲିକମାନଙ୍କର ଆନ୍ଦୋଳନକୁ ଚ୍ୟାଲେଞ୍ଜ କରି ବାହାରୁ ହାଇୱା ଆଣି ଠିକା ସଂସ୍ଥା ପରିବହନ କରୁଥିବା ବେଳେ ଏଥିରେ ସ୍ଥାନୀୟ ଟ୍ରକ ମାଲିକମାନେ ଉତ୍ତୋଜିତ ହୋଇଉଠିଥିଲେ। ଗତକାଲି ବିଳମ୍ବିତ ରାତ୍ରିରୁ ହାଇୱା ଯୋଗେ ପରିବହନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହି ଖବର ପାଇ ଟ୍ରକ ମାଲିକମାନେ ଆଜି ସକାଳୁ ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇ ଏହାକୁ ବିରୋଧ କରିଥିଲେ। ପ୍ରଥରେ ସେମାନେ ମା କୁଆଁରି ଅଫିସ୍ରେ ଧାରଣା ପ୍ରଦର୍ଶନ କରି ସେଠାରୁ ଇନ୍ଦ୍ରାଣୀ ପଟ୍ଟନାୟକର ୬ ନଂ ଖଣି ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଫଳରେ ବୋଝେଇ ହାଇୱା ଗୁଡିକୁ ସେମାନେ ପ୍ରାୟ ୩ ଘଣ୍ଟା ଧରି ଅଟକାଇ ରଖିବା ସହିତ ହାଇୱାରେ ପରିବହନକୁ ତୀବ୍ର ବିରୋଧ କରିଥିଲେ। ଏହି ଖଣିର ଏକ ଚାଟିଆ ଠିକା ସଂସ୍ଥା ତ୍ରିବେଣୀ ଆର୍ଥ ମୁଭର୍ସ ପକ୍ଷରୁ ଅଧିକାରୀ ଆର.ପି. ଭେଙ୍କଟେସ ଟ୍ରକ ମାଲିକମାନଙ୍କ ସହିତ ଆଲୋଚନା କରିଥିଲେ। ଖଣି ଠିକା ସଂସ୍ଥା ଟ୍ରକ ମାଲିକଙ୍କୁ ଟନ୍ ପ୍ରତି ଦେଉଥିବା ମୁଲ୍ୟ ଠାରୁ ମା କୁଆଁରି ୫୦ ଟଙ୍କା ଟନ୍ ପ୍ରତି ପରିବହନ ମୂଲ୍ୟ କମ୍ ଦେଉଥିବା ଟ୍ରକ ମାଲିକଙ୍କ ନଜରକୁ ଆସିଥିଲା। ଏହି ଟନ୍ ପ୍ରତି ୫୦ ଟଙ୍କା କମିସନ ମା କୁଆଁରି ନେଉଥିବା ନେଇ ଟ୍ରକ ମାଲିକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତ୍ରିବେଣୀ ଆର୍ଥ ମୁଭର୍ସର ନିଜସ୍ୱ ଏସ୍.ଏସ୍. ଲଜିଷ୍ଟିକ୍ ଅଧିନରେ ସିଧାସଳଖ କାମ କରିବା ପାଇଁ ଟ୍ରକ ମାଲିକମାନେ ଦାବି କରିଥିଲେ। ଶ୍ରୀ ଭେଙ୍କଟେସ ଉଚ୍ଚ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରି ପରିବହନ ଦର ଧାର୍ଯ୍ୟ କରିବା ପାଇଁ ସମୟ ନେଇଥିବା ବେଳେ ଆଜି ଠାରୁ ଧାର୍ଯ୍ୟ ବର୍ଦ୍ଧିତ ଦର ଲାଗୁ କରିବା ସହିତ ହାଇୱାରେ ପରିବହନକୁ ବନ୍ଦ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ପରେ ଟ୍ରକ ଚଳାଚଳ ଆଜିଠାରୁ ସ୍ୱାଭାବିକ ହୋଇଥିଲା। ପରିବହନ କ୍ଷେତ୍ରରେ ଆଧୁନିକତା ଆଣିବା ଆଳରେ ୨୧ଶହ ଟ୍ରକ ମାଲିକଙ୍କ ମାଲିକାନାରେ ଥିବା ୩୫ ଶହ ଟ୍ରକ କୁ ପରିବହନ କ୍ଷେତ୍ରରୁ ହଟାଇବା ନିମନ୍ତେ ଏହା ଏକ ସୁଚିନ୍ତିତ ଚକ୍ରାନ୍ତ ଥିଲା ବୋଲି ଟ୍ରକ ମାଲିକମାନେ ଅନୁଭବ କରିପାରିଛନ୍ତି। ଏଥିରେ ଜଣେ ବିଧାୟକଙ୍କ ପ୍ରଚ୍ଛନ୍ନ ହାତ ଥିବା ଟ୍ରକ ମାଲିକମାନେ ଅଭିଯୋଗ କରିଛନ୍ତି। ବିଗତ ସଂଘ ନିର୍ବାଚନରେ ବିଧାୟକଙ୍କ ସମର୍ଥôତ ପ୍ରାର୍ଥୀମାନଙ୍କୁ ଏହି ମାଲିକମାନେ ନିର୍ବାଚିତ କରି ନିଜ ଗୋଡରେ କୁରାଡି ମାରିଛନ୍ତି ବୋଲି ସାଧାରଣରେ ଆଲୋଚନା ହୁଏ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top