ଟ୍ରକ ଧକ୍କାରେ କୋଇଲାଖଣି ଠିକା କର୍ମଚାରୀ ମୃତ

ତାଳଚେର, ୧୧/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଜି ଭୋରରେ ତାଳଚେରସ୍ଥିତ ଏମ୍.ସି.ଏଲ.ର ଭୂବନେଶ୍ୱରୀ କୋଇଲାଖଣି ନିୟୋଜିତ ଏକ ଘରୋଇ କମ୍ପାନୀର ଜନୈକ ଠିକା କର୍ମଚାରୀଙ୍କର ଟ୍ରକ ଧକ୍କାରେ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ବ୍ୟକ୍ତି ଜଣକ ହେଲେ ତାଳଚେର ଉପଖଣ୍ଡର ରେଙ୍ଗାଳୀ ଥାନା କୁଲୁମା ଗ୍ରାମ ପଂଚାୟତ ଅନ୍ତର୍ଗତ ନିଳାପଶି ଗ୍ରାମର କୁନା ସାହୁ(୪୨)। ସୂଚନାରୁ ପ୍ରକାଶ କୁନା ସାହୁ ଭୂବନେଶ୍ୱରୀ କୋଇଲାଖଣି ନିୟୋଜିତ ଟି.ଏଲ.ପି.ଏଲ ନାମକ ଏକ ଘରୋଇ କମ୍ପାନୀରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ଆଜି ଭୋର ପ୍ରାୟ ୪.୩୦ ମିନିଟ୍ ରେ ସେ ଖଣି ଅଂଚଳରୁ ନିଜ ଡ୍ୟୁଟି ସାରି ସାଇକେଲ ଯୋଗେ ଘରକୁ ଫେରୁଥିଲେ। ତେବେ ବୈଦ୍ୟ ସାହି ଛକଠାରେ ରୋଡ଼ ସେଲ୍ ର ଏକ ଟ୍ରକ (ଓଆର-୧୯ଇ-୯୭୧୫) ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ନେହେରୁ ଶତାବ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ତେବେ ଏହାପରେ ତାଙ୍କ ସହକର୍ମୀମାନେ କ୍ଷତିପୂରଣ ଓ ନିଯୁକ୍ତି ଦାବି କରି ଖଣିବନ୍ଦ ଆନ୍ଦୋଳନ କରିଥିଲେ। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଖଣି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଚୁକ୍ତିନାମା ଅନୁସାରେ ମୃତକଙ୍କ ପରିବାରକୁ ଡବ୍ଲ୍ୟୁ ସି ଆକ୍ଟ ଅନୁସାରେ ୬ଲକ୍ଷ ୯୦ହଜାର ୮୦ଟଙ୍କା, ୫ଲକ୍ଷ କ୍ଷତିପୂରଣ ସମ୍ପୃକ୍ତ ଠିକାଦାର ପ୍ରଦାନ କରିବେ। ଶବ ସଂସ୍କାର ପାଇଁ ଦେଢ଼ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ଏବଂ ମୃତକଙ୍କ ପତ୍ନୀଙ୍କୁ ଉକ୍ତ କମ୍ପାନୀରେ ନିଯୁକ୍ତି ମିଳିବାର ଲିଖିତ ପ୍ରତିଶୁତି ପରେ ଖଣି କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।

 

Leave a Reply

Your email address will not be published. Required fields are marked *