ଟିସିଏସ୍ଟି ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କୋରାପୁଟ ୦୬/୦୬ (ଓଡିଆ ପୁଅ/ରଂଜନ କୁମାର ଦାସ) ଟାଲେଂଟସ୍ କଲେଜ୍ ଅଫ୍ ସାଇନ୍ସ ଏଣ୍ଡ ଟେକ୍ନଲୋଜି (ଟିସିଏସଟି) ପକ୍ଷରୁ ଯୁକ୍ତ ୨ ବିଜ୍ଞାନ ଓ ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଛି। କଲେଜ ପରିସରରେ ଟିସିଏସଟିର ଅଧ୍ୟକ୍ଷ ମାନସ ରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମାରୋହରେ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର କୃଷ୍ନଚନ୍ଦ୍ର ବିଶ୍ୱାଳ ମୁଖ୍ୟ ଅତିଥି ଓ ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ, ଜୟପୁର ଆଂଚଳିକ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ତ୍ରିନାଥ ପ୍ରସାଦ ରଥ, କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ବୀରବର ଗଡନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଆଦିବାସୀ ବହୁଳ ଅବିଭକ୍ତ କୋରାପୁଟ ଜିଲାରେ ଟିସିଏସଟି ରାଜ୍ୟର ଅନ୍ୟ ଶିକ୍ଷା ଅନୁଷ୍ଠାନ ଗୁଡିକ ନିମନ୍ତେ ଏକ ଦୃଷ୍ଟାନ୍ତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଅବିଭକ୍ତ କୋରାପୁଟ ଜିଲାରେ ଟପ୍ପର ହୋଇଥିବା ଟିସିଏସଟିର ଛାତ୍ରୀ ଅନନ୍ୟା ପଣ୍ଡାଙ୍କୁ ୨୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ସେହିପରି ୮୫ ପ୍ରତିଶତ ରଖିଥିବା ଛାତ୍ରଛାତ୍ରୀଙ୍କୁ ୧୦ ହଜାର, ୮୦ ପ୍ରତିଶତ ନମ୍ବର ରଖିଥିବା ମେଧାବୀଙ୍କୁ ୫ହଜାର ଟଙ୍କା ଲେଖାଏଁ ଦିଆ ଯାଇଥିବାବେଳେ ଦଶମ ଶ୍ରେଣୀରେ ଏ-୧ ଗ୍ରେଡରେ ପାସ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ୧ହଜାର ଟଙ୍କା ସହ ମାନପତ୍ର ଓ ସ୍ମୃତି ଫଳକ ପ୍ରଦାନ କରା ଯାଇଥିଲା।

Leave a Reply

Your email address will not be published. Required fields are marked *