ଟଙ୍କା ଫେରସ୍ତ ଦାବିରେ ଜମାକାରୀଙ୍କ ବିକ୍ଷୋଭ ଓ ରାଲି

ରାଉରକେଲା ୨୪-୩ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ସ୍ଥିତ ପୂର୍ତି ଡାକବଙ୍ଗଳାରେ ଆର୍ଥିକ ସଂସ୍ଥା (ଚିଟଫଣ୍ଡ) ମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚର ଆହ୍ୱାନ କ୍ରମେ ୫ ଶହରୁ ଉର୍ଦ୍ଧ ଜମାକାରୀ ସମବେତ ହୋଇ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି, ଚିଟଫଣ୍ଡରେ ନେତାଙ୍କ ସମ୍ପୃକ୍ତିକୁ ନେଇ ସ୍ୱର ଉତୋଳନ କରିବା ସହ ୬ ମାସ ମଧ୍ୟରେ ଟଙ୍କା ଫେରସ୍ତ ନକଲେ ଚରମ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଶୁଣାଇଛନ୍ତି। ଡାକବଙ୍ଗଳା ଠାରେ ଜମାକାରୀ ମାନେ ସମବେତ ହେଲାପରେ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମିଳିତ ମଂଚର ଯୁଗ୍ମ ଆବାହକ ମଧୂସୂଦନ ବିଶ୍ୱାଳ, ଅନୁରାଧା ସୁବୁଦ୍ଧି, କର୍ମକର୍ତା ସୁଧାଂଶୁ ବେହେରା, ବିଭୁଦତ ମିଶ୍ର, ସନ୍ତୋଷିନୀ ପଣ୍ଡା, ରମେଶ ମହାନନ୍ଦିଆ, ପ୍ରମୋଦ ସଏ, ନିର୍ମଳ ଲାକ୍ରା, ନବୀନ ସଏ, ଅଜିତ ବେହେରା, ଯଶୋବନ୍ତ ବାଗ ପ୍ରମୁଖ ଯୋଗ ଦେଇ ସରକାରଙ୍କ ଉପରେ ବର୍ଷିଥିଲେ। ସରକାର ଏପର୍ଯ୍ୟନ୍ତ ଜମାକାରୀ ମାନଙ୍କୁ ଚିହ୍ନଟ କରି ନାହାନ୍ତି, ଯାହାକି କ୍ଷୋଭର ବିଷୟ ବୋଲି ଜମାକାରୀ ମାନେ ପ୍ରକାଶ କରିଥିଲେ। କମ୍ପାନୀର ସମ୍ପତି ନିଲାମ କରି ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାବି ଉଠାଇ ଜମାକାରୀ ମାନେ ସଙ୍ଗଠିତ ହୋଇ ମଂଚ ସହାୟତାରେ କ୍ଲେମ କେସ କରିବା ସହ ଅର୍ଥ ଫେରସ୍ତ ପର୍ଯ୍ୟନ୍ତ ଆନ୍ଦୋଳନରେ ସାମିଲ ହୋଇ ରହିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ତହସିଲଦାରଙ୍କୁ ଏକ ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଥିଲା। ୬ ମାସ ମଧ୍ୟରେ ଟଙ୍କା ନଫେରାଇଲେ ଚରମ ପଦକ୍ଷେପ ନିଆଯିବ ବୋଲି ଜମାକାରୀ ମାନେ ନିଷ୍ପତି ନେଇଥିଲେ। ପ୍ରକାଶ ଥାଉକି, ୧୦ରୁ ଉର୍ଦ୍ଧ ଚିଟଫଣ୍ଡ ସଂସ୍ଥା ବଡ଼ଗାଁ ବ୍ଲକ ଅଂଚଳରୁ ଅଢେଇ ହଜାରରୁ ଉର୍ଦ୍ଧ ଜମାକାରୀଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *