ଝିଅ କୁ ଚାକିରି ଦେବା ଆଳରେ ୨ ଲକ୍ଷ ଟଙ୍କା ଠକେଇ – ନ୍ୟାୟ ପାଇଁ ଥାନା ର ଦ୍ୱାରସ୍ଥ ହେଲେ ବାପା

ବୌଦ୍ଧ, ୨୬ା୦୨( ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଆଦିବାସୀ ଅଧୁଷିତ ଆଡେଣିଗଡ ପଞ୍ଚାୟତର ଆଡେଣିଗଡ ଗ୍ରାମରେ ଜଣେ ମେଧାବୀ ଓ ଉଚ୍ଚ ଶିକ୍ଷିତ ଝିଅ ପାଇଁ ଚାକିରି ଯୋଗାଡ କରିବାକୁ ଯାଇ ଏକ ଠକ ରାକେଟ୍ ଦ୍ୱାରା ଜଣେ ଅଶିକ୍ଷିତ ପିତା ୨ ଲକ୍ଷ ଟଙ୍କା ଠକେଇ ର ଶିକାର ହେବା ପରେ ନ୍ୟାୟ ପାଇବା ପାଇଁ ଥାନା ର ଦ୍ୱାରସ୍ଥ ହେବା ଭଳି ଏକ ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି। ପ୍ରାପ୍ତ ସୂଚନା ମତେ ଆଡେଣିଗଡ ଗ୍ରାମର ଗୋକୁଳଚନ୍ଦ୍ର ଗୁରୁ ନାମକ ଜନୈକ ଡ୍ରାଇଭରଙ୍କ ବଡ ଝିଅ କ୍ରୀଷ୍ଣା ବିଜୟୀ ନବୋଦୟ ବିଦ୍ୟାଳୟ ରୁ ଯୁକ୍ତ ୨ ପାସ ପରେ ଏମବିଏ କରିଥିଲେ। ଉଚ୍ଚ ଶିକ୍ଷିତ ଝିଅକୁ କୌଣସି ମତେ ଏକ ଚାକିରି ରେ ଥଇଥାନ କରିବାକୁ ଶ୍ରୀ ଗୁରୁ ବୁଝାସୁଝା କରୁଥିବା ବେଳେ ତଳଗାଁ ପଞ୍ଚାୟତ କଣ୍ଠିସର ଗ୍ରାମର ନାରାୟଣ ମଲିକ ନାମକ ବ୍ୟକ୍ତିଙ୍କ ସଂପର୍କରେ ଆସିଥିଲେ। ନାରାୟଣ ନିଜକୁ ଡାକ ବିଭାଗର ଜନୈକ ଉଚପଦସ୍ତ ଅଧିକାରୀଙ୍କ ସହିତ ଅତି ଭଲ ସଂର୍ମ୍ପକ ଥିବା ଦର୍ଶାଇ ଯଦି ତାଙ୍କୁ ୧ ଲକ୍ଷ ଟଙ୍କା ଦେବ ମୁଁ କୁହାବୁଲା କରି ତୁମ ଝିଅକୁ ଡାକ ବିଭାଗ ରେ କିରାଣି ଭାବେ ଚାକିରି କରାଇ ଦେବି ବୋଲି କହିଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ଗୋକୁଳଚନ୍ଦ୍ର ନିଜ ଝିଅ ବାହାଘର ପାଇଁ ରଖିଥିବା ୧ ଲକ୍ଷ ଟଙ୍କା ଯୋଗାଡ କରି ନାରାୟଣ ଙ୍କୁ ଦେଇଥିଲେ। ଟଙ୍କା ପାଇବା ପରେ ନାରାୟଣଙ୍କ ସହ ମିଶି ଝିଅ କ୍ରିଷ୍ଣା ଓ ବାପା ଗୋକୁଳଚନ୍ଦ୍ର କଟକ ଜିଲ୍ଲା ଚୌଦ୍ୱାର ରେ ହେଉଥିବା ପୋଷ୍ଟାଲ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ। ଇଣ୍ଟରଭ୍ୟୁ ଦେଇ ସାରିବା ପରେ ନାରାୟଣ ଚୌଦ୍ୱାର ଠାରେ ଗୁଂଜନ କୁମାର ସିଂ ନାମକ ଜନୈକ ବ୍ୟକ୍ତିଙ୍କ ସହ ଭେଟ କରାଇଥିଲେ। ଗୁଂଜନ ନିଜକୁ ଡାକ ବିଭାଗର ଜଣେ ବରିଷ୍ଠ ଅଧିକାରୀ ରୁପେ ପରିଚୟ ଦେଇ ଚାକିରି ପାଇବାକୁ ହେଲେ ଆଉ ୧ ଲକ୍ଷ ଟଙ୍କା ଦେବାକୁ ପଡିବ ବୋଲି କହିବାପରେ ତାଙ୍କ କଥାକୁ ବିଶ୍ୱାସ କରି ଗାଁ କୁ ଫେରିଲା ପରେ ଧାର କରଜ କରି ଏକ ମାସ ମଧ୍ୟରେ ଗୁଂଜନ ସିଂ ଙ୍କ ଏସବିଆଇ ଏକାଉଣ୍ଟ ନଂ ୩୨୮୭୩୨୦୯୫୮୧ ରେ ୫ ଟି କିସ୍ତିରେ ୧ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିଲେ। ମାତ୍ର ଟଙ୍କା ଦେବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ନିଯୁକ୍ତି ପତ୍ର ନପାଇବାରୁ ଏନେଇ ନାରାୟଣ ଓ ଗୁଂଜନ ସିଂ ଙ୍କୁ ଫୋନ କରି ପଚାରିଲେ ସେମାନେ ବିଭିନ୍ନ ଆଳ ଦେଖାଇ ଦିନ ଗଡାଇଚାଲିଥିଲେ। ମାତ୍ର କିଛି ମାସ ହେବ ସେମାନେ ଆଦୌ ଫୋନ ଉଠାଉ ନଥିବାରୁ ଗୋକୁଳଙ୍କ ପରିବାର ଠକେଇ ର ଶିକାର ହୋଇଥିବା ଜାଣିପାରିଥିଲେ। ଶେଷରେ କୌଣସି ଉପାୟ ନପାଇ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *