ଝାରସୁଗୁଡ଼ା ସରକାରୀ ଡାକ୍ତରଖାନା ଯେଉଁ ଘରେ ହୋଇଛି ସେହି ଘର ବେଜବରୁଆଙ୍କ

ସମ୍ବଲପୁର, ୧୭/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ଲକ୍ଷ୍ମୀନାଥ ବେଜବରୁଆ ସମ୍ବଲପୁର ମାଟିରୁ ଅହମିଆ ଭାଷାରେ ଉକ୍ରୃଷ୍ଟ ରଚନାବଳୀ ସୃଷ୍ଟିକରି ଏ ମାଟିକୁ ମହିମା ମଣ୍ଡିତ କରିଛନ୍ତି, କେବଳ ଏତିକି ନୁହେଁ। ସ୍ଥାନୀୟ ଜନଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହି ଅନେକ ଅବଦାନ ଛାଡ଼ି ଯାଇଛନ୍ତି। ଝାରସୁଗୁଡ଼ା ସରକାରୀ ଡାକ୍ତରଖାନା ଗୃହ ତାଙ୍କର ଅନ୍ୟତମ ଅବଦାନ ଅଟେ। ଯେଉଁ ଗୃହରେ ୧୯୫୦ ପୂର୍ବରୁ ଏକ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳିତ ହୋଇ ଆସିବା ପରେ ପ୍ରଥମେ ସବ୍ଡ଼ିଭିଜନାଲ ଡାକ୍ତରଖାନା ଏବଂ ପରେ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିଚାଳିତ ହୋଇଆସିଛି ତାହା ବେଜବରୁଆଙ୍କ ଝାରସୁଗୁଡ଼ା ବାସଭବନ ଅଟେ।

ଲକ୍ଷ୍ମୀନାଥ ବେଜବରୁଆ ଯଦିଓ ୧୯୧୭ରେ ସମ୍ବଲପୁରରେ ସ୍ଥାୟୀ ବସବାସ ପ୍ରାରମ୍ଭ କଲେ ଏହାର ଢ଼େର ପୂର୍ବରୁ ସେ ସମ୍ବଲପୁର ଅଞ୍ଚଳ ସହିତ ସୁପରିଚିତ। ୧୮୮୫ରେ ତଦାନିନ୍ତନ ଅହମିଆ ଅଗ୍ରଣୀ ବ୍ୟବସାୟୀ ଭୋଲାନାଥ ବରୁଆଙ୍କ ସହିତ ସେ ଯୌଥ ବ୍ୟବସାୟ ପାରମ୍ଭ କରିଥିଲେ। ଭୋଲାନାଥ ବରୁଆଙ୍କ ବହୁବିଧ କାରବାର ଆସାମ ଏବଂ ବଙ୍ଗଳାରେ ଥିଲା। ଲକ୍ଷ୍ମୀନାଥଙ୍କ ସହିତ ଯୌଥ ବ୍ୟବସାୟ ଆରମ୍ଭ ହେବାପରେ କାରବାର ଓଡ଼ିଶାକୁ ମଧ୍ୟ ସମ୍ପ୍ରସାରିତ ହେଲା। ଯୌଥ ବ୍ୟବସାୟ ଖୁବ୍ ସଫଳ ହେଲା ତଥା ଉଭୟେ ପ୍ରଚୁର ଲାଭବାନ ହେଲେ। ସେମାନେ ସମ୍ବଲପୁର ଅଞ୍ଚଳରେ କାଠ ବ୍ୟବସାୟ ଚଳାଉଥିଲେ। ତେଣୁ ବେଜବରୁଆଙ୍କୁ ୧୮୮୫ରୁ ସମ୍ବଲପୁର ଅଞ୍ଚଳକୁ ବରାବର ଆସିବାକୁ ପଡ଼ୁଥିଲା। ଜଙ୍ଗଲ ଠିକା ନେଇଥିବା ଯୋଗୁଁ ଏହାର ପରିଚାଳନା ପାଇଁ ବିଭିନ୍ନ ଜଙ୍ଗଲରେ ଗୋଦାମ ଗୃହ ସାଙ୍ଗକୁ ବିଶ୍ରାମସ୍ଥଳ ମଧ୍ୟ ନିର୍ମିତ ହୋଇଥିଲା। ଟ୍ରେନ୍ ସୁବିଧାକୁ ଆଖି ଆଗରେ ରଖି ଝାରସୁଗୁଡ଼ାରେ ବେଜବରୁଆ ଏକ ଘର କରିଥିଲେ। ୧୯୧୧ ମସିହାରେ ଭୋଲାନାଥ ବରୁଆଙ୍କ ସହିତ ତାଙ୍କର ବ୍ୟବସାୟିକ ସମ୍ପର୍କ ଛିନ୍ନ ହେଲାପରେ ୧୯୧୬ ମସିହାରେ ବେଜବରୁଆ ବାର୍ଡ଼ କମ୍ପାନୀରେ ଯୋଗ ଦେଲେ। ଏକ ଆନ୍ତର୍ଜାତିକ କମ୍ପାନୀରେ ଜଣେ ବରିଷ୍ଠ ଅଧିକାରୀ ଭାବରେ ଯୋଗଦେବାରେ ସମଗ୍ର ଉତ୍ତର-ପୂର୍ବାଞ୍ଚଳରୁ ବେଜବରୁଆ ହେଉଛନ୍ତି ପ୍ରଥମ। ଝାରସୁଗୁଡ଼ାରେ ସେ ବରୁଆ ବାବୁ ବା ବରୁଆ ଆଜ୍ଞା ରୂପେ ସମ୍ବୋଧିତ ହେଉଥିଲେ। ୧୯୧୮ ମସିହାରେ ଝାରସୁଗୁଡ଼ାରେ ଯେତେବେଳେ ଏକ ବିଦ୍ୟାଳୟ ଖୋଲାଗଲା ସେତେବେଳେ ଏହାକୁ ସମ୍ବଲପୁରର ପ୍ରଥମ ଭାରତୀୟ ଜିଲ୍ଲାପାଳ ମନମୋହନ ରାୟ (ଏପ୍ରିଲ ୧୯୧୫ରୁ ଅକ୍ଟୋବର ୧୯୧୭)ଙ୍କ ନାମରେ ନାମିତ କରିବା ପାଇଁ ବରୁଆ ଆଜ୍ଞା ହିଁ ପ୍ରସ୍ତାବ ଦେଇଥିଲେ। ଏହା ଲିପିବଦ୍ଧ ହୋଇ ରହିଛି।

ଲକ୍ଷ୍ମୀନାଥ ବେଜବରୁଆଙ୍କର ୧୯୩୮ ମସିହାରେ ପରଲୋକ ଘଟିବା ପରେ ତାଙ୍କର ସମ୍ବଲପୁର ଏବଂ ଝାରସୁଗୁଡ଼ା ସ୍ଥିତ ଭବନ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଲା। ସମ୍ବଲପୁର ଭବନକୁ ସେତେବେଳର ସବୁଠାରୁ ବଡ଼ ବିତ୍ତଶାଳୀ ବ୍ୟକ୍ତି ତଥା ସ୍ୱର୍ଗତ ବେଜବରୁଆଙ୍କ ବନ୍ଧୁ ଓଁକାରମଲ ପୋଦ୍ଦାର ବେଜବରୁଆଙ୍କ ଜ୍ୟେଷ୍ଠାକନ୍ୟା ଅରୁଣାଙ୍କ ଠାରୁ ବିନା କୌଣସି ମୂଲ୍ୟରେ ମାଗି ନେଇଥିବା ବେଳେ ଝାରସୁଗୁଡ଼ା ଭବନରେ ଏକ ଚିକିତ୍ସାଳୟ ଖୋଲିବା ପାଇଁ ତାଙ୍କ ପରିବାରବର୍ଗ ଗୃହଟିକୁ ପ୍ରଦାନ କରିଥିଲେ। ଏଠାରେ ଏକ ଡିସ୍ପେନସରୀ ଖୋଲାଗଲା। କୃତଜ୍ଞତା ଅର୍ପଣ ସ୍ୱରୂପ ଏହାକୁ ବରୁଆ ଡ଼ିସ୍ପେନସରୀ ରୂପେ ନାମିତ କରାଯାଇଥିଲା। ପ୍ରଥମେ ଡିଷ୍ଟ୍ରିକ୍ଟ ବୋର୍ଡ଼ ଏହାର ପରିଚାଳନା କରିଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ହାତକୁ ଏହା ଗଲା। ନିକଟରେ ଏହି ଗୃହର ଜୀର୍ଣ୍ଣୋଦ୍ଧାର କରାଯାଇଛି। ଗୃହର ଢ଼ାଞ୍ଚା ଅକ୍ଷୁର୍ଣ୍ଣ ଥିବାବେଳେ ଏଥିରେ ପ୍ଲେଟ ଆଦି ବସାଯାଇ ଆଧୁନିକ ରୂପ ଦିଆଯାଇଛି। ନବୀକରଣ କାର୍ଯ୍ୟ ନହେବା ପର୍ଯ୍ୟନ୍ତ ବରୁଆ ଡିସ୍ପେନ୍ସରୀ ଲେଖାଟି ସ୍ପଷ୍ଟ ରୂପେ ରହିଥିଲା। ନବୀକରଣ ପରେ ତାହା ଆଉ ଦୃଷ୍ଟିଗୋଚର ହେଉନାହିଁ।

Leave a Reply

Your email address will not be published. Required fields are marked *