ଝଡା ଫୁଙ୍କାରେ ସ୍ୱାସ୍ଥ୍ୟ ସେବା, ଝିଅ ଯାଉନାହନ୍ତି ସ୍କୁଲ

ରାୟଗଡା ୧୧-୧୨ (ଓଡ଼ିଆ ପୁଅ) ରାୟଗଡା ଜିଲ୍ଲା ନିୟମଗିରି ପାହାଡ ଉପରେ ରହୁଥିବା ଡଙ୍ଗରିଆ କନ୍ଧ ଅଧିବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା ହୋଇଛି। ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। କିନ୍ତୁ ସେମାନଙ୍କ ପାଖରେ ବିକାଶ ଏବେ ବି ଅପହଂଚ। ପିଲାକୁ ଜ୍ୱର ଓ ଝାଡା ହେଲେ ଏବେ ବି ସେମାନେ ଝଡା ଫୁଙ୍କା ଓ ଗୁଣି ଗାରେଡି ଉପରେ ବିଶ୍ୱାସ କରନ୍ତି। ଝିଅମାନେ ପାଠ ନ ପଢି ଘରେ ବିଭିନ୍ନ କାମରେ ସହାଯ୍ୟ କରନ୍ତି। ପୁଅମାନେ ପାଠ ପଢା ଆରମ୍ଭ କରି ଘରକାମ ପାଇଁ ଅଧାରୁ ପାଠ ଛାଡୁଛନ୍ତି। ଏ ଦିଗରେ ସରକାରଙ୍କ ପଦକ୍ଷେପ ସେତେଟା ଆଖି ଦୃଶିଆ ନୁହେଁ। ନିୟମଗିରି ପାହାଡ ଉପରେ ଥିବା କୁର୍ଲି ଓ ଖଜୁରୀ ଗାଁର ଲୋକେ କିଭଳି ମୌଳିକ ସୁବିଧାରୁ ବଂଚିତ ହୋଇଛନ୍ତି, ସେ ସମ୍ପର୍କରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଅଭିଯୋଗ କରିଥିଲେ। ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ରାୟଗଡା ଜିଲ୍ଲାପାଳ କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି। ସରକାରୀ ତଥ୍ୟ ମଧ୍ୟ ଏକଥାକୁ ପ୍ରମାଣ କରୁଛି, ପାହାଡ ଇଲାକାର ଗାଁଗୁଡିକରେ ବିକାଶର ଚିତ୍ର ଏବେ ବି ଧୂମମୟ ହୋଇ ରହିଛି।

ଡଙ୍ଗରିଆ କନ୍ଧଙ୍କ ବିକାଶ !

ଖଜୁରୀ ଗାଁରେ ୧୬୫ ଡଙ୍ଗରିଆ ପରିବାର ରହନ୍ତି। ଏଥିରେ ୨୦୭ ପୁରୁଷ ଓ ୨୫୧ ମହିଳା ଅଛନ୍ତି। ଅଙ୍ଗନବାଡି କେନ୍ଦ୍ରରେ ପ୍ରତ୍ୟେକ ବର୍ଷ ୧୦୦ରୁ ଅଧିକ ପିଲାଥାନ୍ତି। ଜିଲ୍ଲାପାଳଙ୍କ ରିପୋର୍ଟ ଅନୁଯାୟୀ ୨୦୧୪ରେ ୧୩୫, ୨୦୧୫ରେ ୧୪୯, ୨୦୧୬ରେ ୧୨୯ ପିଲାଥିବା ବେଳେ ୨୦୧୭ରେ ୧୩୩ ପିଲା ଅଛନ୍ତି। କିନ୍ତୁ ଗାଁ ସ୍କୁଲର ପରିସଂଖ୍ୟାନ କଥା ଦେଖିଲେ ଚକିତ ହେବାକୁ ପଡେ। ଗାଁ ପ୍ରାଥମିକ ସ୍କୁଲରେ କେବଳ ୨୪ ଜଣ ଛାତ୍ର ଓ ୧୬ ଜଣ ଛାତ୍ରୀ ପଢୁଛନ୍ତି। ଅର୍ଥାତ୍ ଅଙ୍ଗନବାଡିରୁ ଆସିବା ପରେ ୬୦ରୁ ଅଧିକ ପିଲା ସ୍କୁଲ ଆସୁନାହାନ୍ତି। ପୁଣି ଗାଁର ମହିଳାଙ୍କ ସଂଖ୍ୟା ଅଧିକ ଥିବା ବେଳେ ସ୍କୁଲରେ ଛାତ୍ରୀ ସଂଖ୍ୟା ମାତ୍ର ୧୬। ଏବେ ବି ଟିଣ ଛାତରେ ସ୍କୁଲଟି ଖରାପ ଅବସ୍ଥାରେ ରହିଛି। ସେହିପରି କୁର୍ଲି ଗାଁରେ ୨୮୩ ପରିବାର ରହନ୍ତି। ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ପ୍ରତ୍ୟେକ ବର୍ଷ ୧୦୦ରୁ ଅଧିକ ପିଲାଥାନ୍ତି। କିନ୍ତୁ ଗାଁରେ ଉନ୍ନିତ ବିଦ୍ୟାଳୟରେ ମାତ୍ର ୧୮ ଜଣ ଛାତ୍ରୀ ଅଛନ୍ତି। ଏହି ପରିସଂଖ୍ୟାନରୁ ସ୍ପଷ୍ଟ ଯେ ‘ବେଟି ବଚାଓ, ବେଟି ପଢାଓ’ର ସ୍ଲୋଗାନ୍ ପାହାଡ ଉପରେ ଥିବା ଏହି ଗାଁଗୁଡିକୁ ପଂହଚି ପାରୁନାହିଁ। ମାନବାଧିକାର କମିଶନଙ୍କ ରିପୋର୍ଟ ମାଗିବା ପରେ ଏହି ସବୁ ଗାଁଗୁଡିକୁ ବିଡିଓଙ୍କ ପାଦ ପଡିଲା। କିନ୍ତୁ ଜିଲ୍ଲାସ୍ତରର କେଉଁ ଅଧିକାରୀ ଗାଁର ବିକାଶମୂଳକ କାର୍ଯ୍ୟର କେବେ ସମୀକ୍ଷା କରିବାକୁ ଯାଇନାହାନ୍ତି। ସବୁ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଅତ୍ୟନ୍ତ ଅଳ୍ପ। ଗୁଣି ଗାରେଡିକୁ ନେଇ କୌଣସି ସଚେତନତା କାର୍ଯ୍ୟକ୍ରମ କରାଯାଉନଥିବାରୁ ବିଭିନ୍ନ ରୋଗ ପାଇଁ ଏମାନେ ଝଡାଫୁଙ୍କା ଓ ଗୁଣିଗାରେଡି କରି ଭଲ କରିବାକୁ ଚେଷ୍ଟା କରିଥାନ୍ତି। ଯାହା ଫଳରେ ଅନେକ ଲୋକଙ୍କର ଅକାଳ ମୃତ୍ୟୁ ଘଟୁଛି। ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଏମାନେ ବିକାଶର ସ୍ରୋତରେ ପଛରେ ପଡିଯାଇଛନ୍ତି।

Leave a Reply

Your email address will not be published. Required fields are marked *