ଜୟନ୍ତୀବାସରରେ ସ୍ୱଭାବକବିଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର, ୨୬/୮ (ଓଡ଼ିଆ ପୁଅ)- ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ୧୫୭ତମ ଜୟନ୍ତୀ ଅବସରରେ ଆଜି ଜିଲ୍ଲାବ୍ୟାପୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ କବିଙ୍କ ଅମ୍ଲାନ ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସଭାମାନଙ୍କରେ ଓ ବିଭିନ୍ନ ସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମଗୁଡ଼ିକଦେସ୍ୱଭାବ କବିଙ୍କ ଜନାଦୃତ କବିତାମାନଙ୍କ ମଧ୍ୟରୁ ‘ବିଶ୍ୱ ଦେଖ ମଧୁମୟ’, ‘କିଏ ଗୋ ତୁ ଜ୍ୟୋତିର୍ମୟୀ’ ଭଳି ପଂକ୍ତିଗୁଡ଼ିକ ଗାନ କରାଯାଇଥିଲା। ସହରର ଟାଉନହଲ ପଡ଼ିଆ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଥିବା ସ୍ୱଭାବକବିଙ୍କ ପ୍ରତିକୃତୀରେ ସମାଜର ବିଭିନ୍ନ ବର୍ଗର ନାଗରିକ ସମବେତ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଜି.ଏମ୍. ବିଶ୍ୱବିଦ୍ୟାଳୟ ପରିସରରେ ଥିବା କବିଙ୍କ ପ୍ରତିକୃତୀରେ ଓଡ଼ିଶା ସାଂସ୍କୃତିକ ସମାଜର ସଭାପତି ଶଙ୍କର ପ୍ରସାଦ ପତି, ସମ୍ପାଦକ ବୋଧରାମ ଦାଶ, ବରିଷ୍ଠ ନାଗରିକ ଅରବିନ୍ଦ ମହାପାତ୍ର, ଡ. ରମାବଲ୍ଲଭ ମିଶ୍ର, ଡ. ସନ୍ତୋଷ ଦାଶ, ଅଶୋକ ମିଶ୍ର, ପ୍ରଫୁଲ୍ଲ କୁମାର ହୋତା, ଶଶୀଭୂଷଣ ତ୍ରିପାଠୀ, ଅଶୋକ ପ୍ରଧାନ, ଡ. ବିଜୟ କୁମାର ପ୍ରଧାନ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିଥିଲେ। ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ଅତନୁ କୁମାର ପତିଙ୍କ ନେତୃତ୍ୱରେ ନିମନ୍ତ୍ରିତ ଅତିଥି, ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ସ୍ୱଭାବକବିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଗତବର୍ଷ ମାନଙ୍କ ଭଳି ଏଥର ମଧ୍ୟ ସମ୍ବଲପୁର ମେହେର ଭୁଲିଆ ସମାଜ ପକ୍ଷରୁ ସ୍ୱଭାବକବିଙ୍କ ଫଟୋଚିତ୍ର ଏବଂ କବିତା ଆବୃତ୍ତି ସହିିତ ଏକ ପଟୁଆର ବାହାର କରାଯାଇଥିଲା। ଏହା ଟାଉନହଲର କବିଙ୍କ ପ୍ରତିମୂର୍ତ୍ତିଠାରୁ ଆରମ୍ବ ହୋଇ ବଡ଼ସଡ଼କ, କୁଞ୍ଜେଲପଡ଼ା ଛକ ଦେଇ ଜି.ଏମ. ବିଶ୍ୱବିଦ୍ୟାଳୟ ପରିସରରେ ଥିବା କବିଙ୍କ ପ୍ରତିକୃତୀରେ ଶ୍ରଦ୍ଧାଞ୍ଜଳି ସହିତ ସମ୍ପନ୍ନ ହୋଇଥିଲା। ରମାକାନ୍ତ ମେହେର, ଡା. ଜୟଦେବ ମେହେର, ମାନଭଞ୍ଜନ ମେହେର, ରାଧାଚରଣ ମେହେର, ଶିବ ପ୍ରସାଦ ମେହେର, ପ୍ରଦୀପ ମେହେର, ବିକ୍ରମ ମେହେର, ପ୍ରଶାନ୍ତ ମେହେରଙ୍କ ନେତୃତ୍ୱରେ ଏହି ପଟୁଆରରେ ବହୁସଂଖ୍ୟକ ମହିଳା ମଧ୍ୟ ଅଂଶଗ୍ରହଣ କରିଥିଲେ। ସଂଗଠନ ପକ୍ଷରୁ ଆଗାମୀ ୯ ତାରିଖ ସନ୍ଧ୍ୟା ସାଢ଼େ ୬ଟା ସମୟରେ ଧନୁପାଲି ମେହେର କଲ୍ୟାଣ ମଣ୍ଡପ ଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯିବ।

Leave a Reply

Your email address will not be published. Required fields are marked *