“ଜେବୁ” ପ୍ରଜାତିର ଗୋଧନ, ସହାୟକ ପ୍ରଜନନକ୍ଷମ ପ୍ରଯୁକ୍ତି କୌଶଳ ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ବ୍ରାଜିଲ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ ୩୦-୮ (ଓଡ଼ିଆ ପୁଅ) ଜେବୁ ପ୍ରଜାତିର ଗୋଧନ ପରିପାଳନ ଏବଂ ସହାୟକ ପ୍ରଜନନକ୍ଷମ ଟେକ୍ନୋଲଜିର ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ବ୍ରାଜିଲ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଏହି ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି।

ବୁଝାମଣା ଅନୁଯାୟୀ ଦୁଇ ରାଷ୍ଟ୍ର ପାରସ୍ପରିକ ଆବଶ୍ୟକତା ଓ ସହମତି ଭିତିରେ ଜେବୁ ପ୍ରଜାତି ଗୋଧନର ଅନୁବଂଶ ବୃଦ୍ଧି ଏବଂ ସହାୟକ ପ୍ରଜନନକ୍ଷମ ଟେକ୍ନୋଲଜିର ବିକାଶ ଲାଗି କାର୍ଯ୍ୟ କରିବେ। ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବାରେ ସହାୟକ ହେବ।

ପ୍ରସ୍ତାବିତ କ୍ଷେତ୍ରରେ କାର୍ଯ୍ୟ ପରିଚାଳନା ପାଇଁ ଏକ ଆନ୍ତଃରାଷ୍ଟ୍ର ରୂପାୟନ କମିଟି ଗଠନ କରାଯିବ। ଏଥିରେ ଭାରତ ଓ ବ୍ରାଜିଲର ସମ ସଂଖ୍ୟକ ପ୍ରତିନିଧି ରହିବେ ଏବଂ ନିୟମିତ ଭାବେ ସେମାନେ ବିଭିନ୍ନ ଗବେଷଣା, ବିକାଶ ଓ ପ୍ରୟୋଗାତ୍ମକ କାର୍ଯ୍ୟଧାରାର ତଦାରଖ, ସମୀକ୍ଷା ଓ ମୂଲ୍ୟାୟନ କରିବେ।

ମଇଁଷି ଏବଂ ନୂତନ ପ୍ରଜାତିର ଗୋଧନର ଉତ୍ପାଦିକା ଶକ୍ତି ବୃଦ୍ଧି ଲାଗି ମିଳିତ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯିବ। ଏହି କାର୍ଯ୍ୟ ପ୍ରକ୍ରିୟା ଦୀର୍ଘସ୍ଥାୟୀ ଦୁଗ୍ଧ ଉତ୍ପାଦନ ବ୍ୟବସ୍ଥା ଏବଂ ଆନୁସଙ୍ଗିକ ଅନୁଷ୍ଠାନଗତ ଗବେଷଣା ଜ୍ଞାନର ବୃଦ୍ଧି ଦିଗରେ ସହାୟକ ହେବ।

ଏହି ବୁଝାମଣାପତ୍ର ଜେବୁ ଗୋଧନର ଅନୁବଂଶ ଚିହ୍ନଟ କାର୍ଯ୍ୟକ୍ରମ ପରିଚାଳନା ଏବଂ ଏ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଗବେଷଣାତ୍ମକ ସହଯୋଗକୁ ବୃଦ୍ଧି କରିବ। ସେହିଭଳି ମଇଁଷି, ଜେବୁ ଗୋଧନ ତଥା ସେମାନଙ୍କର ହାଇବ୍ରିଡ କ୍ରସ ସୃଷ୍ଟି କ୍ଷେତ୍ରରେ ଅନୁବଂଶିକ ପ୍ରଯୁକ୍ତି କୌଶଳର ପ୍ରୟୋଗ, ବିଭିନ୍ନ ଗୋସମ୍ପଦ କ୍ଷେତ୍ରରେ ସହାୟକ ପ୍ରଜନନକ୍ଷମ ଟେକ୍ନୋଲଜିର ପ୍ରୟୋଗ, ଅନୁବଂଶ ଓ ସହାୟକ ପ୍ରଜନନକ୍ଷମ ଟେକ୍ନୋଲଜି କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି, ଅନୁବଂଶ ଏବଂ ସହାୟକ ପ୍ରଜନନକ୍ଷମ ଟେକ୍ନୋଲଜି ସଂକ୍ରାନ୍ତ ଉଚ୍ଚତର ଗବେଷଣା ଓ ବିକାଶ ଦିଗରେ ଏହି ବୁଝାମଣାପତ୍ର ବେଶ ସହାୟକ ହେବ।

Leave a Reply

Your email address will not be published. Required fields are marked *