ଓଡ଼ିଶା

ଜୁଲାଇର ବର୍ଷାପରେ ସମ୍ବଲପୁର ଜିଲ୍ଲାରେ ଚାଷ କାର୍ଯ୍ୟ ଗତିଶୀଳ

ସମ୍ବଲପୁର, ୬/୮ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଲାରେ ଜୁନ୍ ମାସରେ ସ୍ୱାଭାବିକ ଠାରୁ କମ୍ ବର୍ଷା ଓ ଏହାର ଅନିୟମିତତା ଯୋଗୁଁ ଚାଷୀମାନେ ଚିନ୍ତାରେ ପଡ଼ିଥିବା ବେଳେ ଜୁଲାଇ ମାସରେ ଭଲ ବର୍ଷା ଯୋଗୁଁ ପୁନର୍ବାର ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ବର୍ଷା ଜାରି ରହିଲେ ଜୁନ୍ ମାସର ଅଭାବୀ ପରିମାଣକୁ ଏହା ଭରଣ କରିବ ବୋଲି ଆଶା କରାଯାଉଥିଲା। ମେ ଓ ପରେ ଜୁନ୍ ମାସରେ ବର୍ଷା ହେବାରୁ ବିଶେଷ କରି ଅଣଜଳସେଚିତ ଅଞ୍ଚଳରେ ପହ୍ଲା ପକାଇବା ଓ ବୁଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ବର୍ଷା ବନ୍ଦ ହୋଇ ଉତ୍ତାପ ବୃଦ୍ଧି ପାଇବାରୁ ଚାଷୀମାନେ ଆଗକୁ ବଢ଼ି ପାରି ନଥିଲେ। ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପଶ୍ଚିମ ଓଡ଼ିଶାରେ ପହଞ୍ଚି ସାରିଥିବାରୁ ଭଲ ବର୍ଷାର ଅନୁମାନ କରି ଚାଷୀମାନେ ତରତର ହେଲେଣି। ଜୁଲାଇ ମାସରେ ସମ୍ବଲପୁର ଜିଲ୍ଲାର ସ୍ୱଭାବିକ ବର୍ଷା ପରିମାଣ ହେଉଛି ୪୨୯.୫ ମିଲିମିଟର। ହେଲେ ଏଥର ୨୩.୨୨ ପ୍ରତିଶତ ଅଧିକ ଅର୍ଥାତ୍ ୫୨୯.୨୫ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ତନଧ୍ୟରୁ ମାନେଶ୍ୱରରେ ୮୦୮.୨୦, ଧନକଉଡ଼ାରେ ୮୬୯.୭୦, ଯୁଯୁମୁରାରେ ୪୨୯, ରେଙ୍ଗାଲିରେ ୫୫୦.୮୦, ନାକଟିଦେଉଳରେ ୩୦୯.୬୦, ଜମନକିରାରେ ୩୭୮.୨୨, ରେଢ଼ାଖୋଲରେ ୫୫୫.୧୦, ବାମରାରେ ୨୯୪, କୁଚିଣ୍ଡାରେ ୫୦୫.୬୦ ମିମି ବର୍ଷା ହୋଇଛି। ଜୁନ ମାସରେ ଜିଲ୍ଲାରେ ସ୍ୱାଭାବିକ ବର୍ଷା ପରିମାଣ ୨୨୧ ମିମି ହୋଇଥିବା ବେଳେ ୧୭୫.୫୮ ମିମି ବର୍ଷା ହୋଇଥିଲା। ସେହିଭଳି ମଇ ମାସରେ ଏହି ହାର ୩୨.୩ ମିମି ହୋଇଥିବା ବେଳେ ୧୦୫.୪୨ ମିମି ବର୍ଷା ହୋଇଥିଲା।

ଚଳିତ ଖରିଫ ଋତୁରେ ସମ୍ବଲପୁର ଜିଲ୍ଳାର ୧୯୩୮୩୦ ହେକ୍ଟରରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯିବ। ତନ୍ମଧ୍ୟରୁ ୧୦୨୫୦୦ ହେକ୍ଟର ଜମିରେ ଉଚ୍ଚ ଅମଳକ୍ଷମ ଧାନକୁ ମିଶାଇ ୧୦୭୩୦୦ ହେକ୍ଟର ଜମିରେ ଭିନ୍ନ ଭିନ୍ନ କିସମର ଧାନ ଫସଲ କରାଯିବାକୁ ସ୍ଥିର କରାଯାଇଛି। ହେଲେ ଚକଡ଼ା ପୋକ ଓ ବିଭନ୍ନ ରୋଗର ପ୍ରାଦୂର୍ଭାବର ପ୍ରତିରୋଧ ପାଇଁ ଚଳିତ ଖରିଫ ଋତୁରେ ବୈଜ୍ଞାନିକ ପଦ୍ଧତିରେ ଧାନ ଚାଷ କରିବା ସକାଶେ ଜିଲ୍ଲା ପ୍ରଶାସନ ଗୁରୁତ୍ୱାରୋପ କରିଛନ୍ତି। ପୋକ ଆକ୍ରମଣର ତ୍ୱରିତ୍ ନିରାକରଣ ପାଇଁ ଉଭୟ ପହ୍ଲା ରୁଆ ଏବଂ ବୁଣା ପଦ୍ଧତି ଏବେ ଧାଡ଼ିକୁ ଅନୁସାରଣ କରାଯିବ। ଅନ୍ୟୁନ୍ୟ ୪୦ ହଜାର ହେକ୍ଟର ଜମିରେ ଧାଡ଼ିରୁଆ ଓ ବୁଣା ପଦ୍ଧତି କାର୍ଯ୍ୟକାରୀ କରାଯିବାକୁ ଜିଲ୍ଲା ପ୍ରଶାସନ ଜୋର ଦେଇଛନ୍ତି। ସେହିଭଳି ୩୫ ହଜାର ହେକ୍ଟର ଜମିରେ ଡାଲିଜାତୀୟ, ୧୩୧୧୦ ହେକ୍ଟର ଜମିରେ ତୈଳବୀଜ, ୨୬୯୦୦ ହେକ୍ଟର ଜମିରେ ପନିପରିବା, ୭୩୭୦ ହେକ୍ଟର ଜମିରେ ମସଲା ଜାତୀୟ ଫସଲ କରାଯିବାକୁ ଚଳିତ ଖରିଫରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏବେ ଚାଷ କାର୍ଯ୍ୟ ଉଭୟ ଧାନ ଓ ଅଣଧାନ ଫସଲ ପାଇଁ ସ୍ୱାଭାବିକ ଭାବେ ଜାରି ରହିଛି। ଅଗଷ୍ଟ ୧୫ ତାରିଖ ସୁଦ୍ଧା ଧାନ ବୁଣା ଓ ପହ୍ଲା ରୋପଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି କୃଷି ବିଭାଗ କର୍ତ୍ତୃପକ୍ଷ ପୂର୍ବାନୁମାନ କରିଛନ୍ତି।

ଗତ ଖରିଫ ଋତୁରେ ୧୯୩୮୩୦ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୧୯୧୭୫୦ ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ କରାଯାଇଥିଲ। ସେହିଭଳି ଚାଷୀମାନଙ୍କୁ ବିହନ ବିତରଣ ପୂର୍ବରୁ ୧୦୦ଟି ନମୁନା ସଂଗ୍ରହ କରାଯାଇ ଗୁଣାତ୍ମକମାନ ଯାଞ୍ଚ କରାଯିବ ବୋଲି ମଧ୍ୟ ସ୍ଥିର କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top