ଜୁନାଗଡ଼ ଅଂଚଳରେ ଅବାଧ ଖୈନୀ (ଭାଙ୍ଗ) କାରବାର ବୃଦ୍ଧି ପ୍ରସାଶନ ନିଷ୍କ୍ରିୟ

କଳାହାଣ୍ଡି- (ଓଡିଆପୁଅ) ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ମାଦକ ଦ୍ରବ୍ୟ ତଥା ଗୁଟଖା ଭାଙ୍ଗ (ଖଇନୀ) ଇତ୍ୟାଦି ବିକ୍ରକୁ ନେଇ କଟକଣା ଜାରି କରିଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହର ଏବଂ ଆଖପାଖ ଅଂଚଳରେ ବିଭିନ୍ନ ବ୍ରାଣ୍ଡ ନାମିତ ଥିବା ଭାଙ୍ଗ ଖୈନୀ ବଜାର ର ଦୋକାନ ମାନଙ୍କରେ ଉପଲବ୍ଧ ଥିବା ବେଳେ ଏହା କେବଳ ଜୁନାଗଡ଼ର କେତେକ ବ୍ୟକ୍ତି କରଖାନା ଗଢ଼ି ଭାଙ୍ଗ ତିଆରୀ କରୁଥିବା ଜଣାପଡିଛି । ଯଦିଓ ଏହା ସରକାରୀ ନିୟମାନୁସାରେ ବା କେନ୍ଦ୍ରୀୟ ଅବକାରୀ ବିଭାଗ ର ତତ୍ୱାବଧାନରେ ତିଆରି ପାଇଁ ଅନୁମତି ମିଳି ଥିଲେ ହେଁ ନିୟମକୁ ସଂପୃକ୍ତ ଭାଙ୍ଗ କାରଖାନା ମାଲିକ ଦୃଷ୍ଟିନଦେଇ ବେଧଡ଼କରେ ଭାଙ୍ଗ ତିଆରି କରୁଥିବା ଅଭିଯୋଗ ହେଉଛି । ପ୍ରକାଶ ଯେ, ଭାଙ୍ଗ ତିଆରି ପାଇଁ କେଉଁ କେଉଁ ସାମଗ୍ରୀ ବା ପଦାର୍ଥ ମିଶ୍ରଣ କରି ତିଆରି କରାଯାଇଛି ତାହା ଭାଙ୍ଗ ପ୍ୟାକେଟରେ ଦର୍ଶାଯାଇନଥିବା ବେଳେ ଏହାର ଅବଧି ସମୟ ଇତ୍ୟାଦି ଉଲ୍ଲେଖ ନାହିଁ । ଫଳରେ ଭାଙ୍ଗ ତିଆରିକୁ ନେଇ ସନେ୍ଦହ ସୃଷ୍ଟି ହୋଇଥିବା ବେଳେ ଏହା ଅତି ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବା କୁହାଯାଉଛି । ଭାଙ୍ଗ (ଖଇନି) ଜିଲ୍ଲାରେ ପ୍ରାୟ ଅଧିକାଂଶ ଲୋକ ସେବନ କରୁଥିବା ବେଳେ ଅତିକଡ଼ା ରାସାୟନିକ ପଦାର୍ଥରେ ତିଆରି ଖଇନି ସେବନ କରି ବହୁଲୋକ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଏହି ନିଶା ଦ୍ରବ୍ୟକୁ ଥରେ ସେବନ କଲେ ଏହା ବାରମ୍ବାର ସେବନ କରିବାକୁ ଇଚ୍ଛା ହୁଏ । ଏହାକୁ ଲୋକେ ଏତେ ମାତ୍ରାରେ ସେବନ କରି ରୋଗର ଶୀକାର ହେଉଥିବା ବେଳେ ଛୋଟ ପିଲାମାନେ ମଧ୍ୟ ଏହାକୁ ସେବନ କରୁଥିବା ଦେଖିବାକୁ ମିଳୁଛି । ଏହି ନିଶା ଦ୍ରବ୍ୟ ତିଆରି କରୁଥିବା ବ୍ୟକ୍ତି ଏବଂ ବିଭାଗୀୟ ଅଧିକାରୀ ବେଶ ମାଲାମାଲ ହେଉଥିବା ବେଳୈ ନିରୀହ ଜନସାଧାରଣ ଏହାକୁ ସେବନ କରି କୁପ୍ରଭାବର ଶୀକାର ହେଉଛନ୍ତି । ଅପରପକ୍ଷେ, ସରକାରୀ ଭାବେ ଭାଙ୍ଗ ତିଆରି ପାଇଁ ଗୋଟିଏ ମେସିନ ସ୍ଥାପନ ଦର୍ଶାଇ ରାଜସ୍ୱ ପୈଠ କରୁଥିବା ବେଳେ ବେସରକାରୀ ଭାବେ ପ୍ରାୟ ୩/୪ ଗୋଟି ମେସିନ ବସାଇ କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କି ମାଲାମାଲ ହେଉଥିବା କେବଳ ତଦନ୍ତ ସାପେକ୍ଷ । ପ୍ରକାଶ ଯେ ସମସ୍ତ ପ୍ରକାର ଆନୁଷାଙ୍ଗିକ ବ୍ୟବସ୍ଥା କୁ ଆଖି ଆଗରେ ରଖି ଜନବସତି ଦୂରରେ ଏଭଲି ଫ୍ୟାକ୍ସ୍ରି ସ୍ଥାପନ କରିବାକୁ ନିୟମ ଥିବା ବେଳେ ଜନୈକ ବ୍ୟକ୍ତି ଜୁନାଗଡ଼ କନ୍ୟାଶ୍ରମ ସ୍କୁଳ ଭଳି ଏକ ସମ୍ବେଦନଶୀଳ ଅଂଚଳର ପ୍ରାୟ ୧୦୦ ମିଟର ଦୂରରେ ସ୍ଥାପନ କରାଯାଇଥିବା ମଧ୍ୟ ନଜିର ଅଛି । ସେହିଭଲି ସାହୁପଡା ଖରଲାବେଡା ରାସ୍ତାରେ ଆଉ ଏକ ବଡ ଭାଙ୍ଗ କାରଖାନା ଚାଲିଥିବା ବେଳେ ଜୁନାଗଡ ସହରର ଆଖପାଖ ଅଂଚଳରେ ମଧ୍ୟ କେତେକ ଅଣତାଲିକଭୁକ୍ତ ଭାଙ୍ଗ କାରଖାନା ଚାଲିଥିବାର ଆଲୋଚନା ହେଉଛି । ଏସବୁ ସ୍ଥାନରୁ ଭାଙ୍ଗ/ଖଇନି ଇତ୍ୟାଦି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଚାଲାଣ କରାଯାଉଥିବା କୁହାଯାଉଛି । ଏଭଳି ଅବାଧରେ ବଜାରରେ ବିକ୍ରି ଜାରି ରହିଥିବା ବେଳେ ଏହାକୁ ସେବନ କରି ବହୁ ଲୋକ କ୍ୟାନସର ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଏଣୁ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟିଦେବା ସହ ଜୁନାଗଡ଼ ଅଂଚଳରେ ଥିବା ବେଆଇନ ଭାଙ୍ଗ (ଖଇନି) କାରଖାନା ଉପରେ ଚଢ଼ଉକରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧୀଜିବୀ ମହଳରେ ଦୃଢ଼ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *