ଜୁନାଗଡ ପଣ୍ୟାଗାରରୁ ଓଭର ଲୋଡରେ ଚାଉଳ ପରିବହନ ଅଭିଯୋଗ ।

କଳାହାଣ୍ଡି – ୨୯/୦୬ (ଓଡିଆପୁଅ) କଳାହାଣ୍ଡିର ବ୍ୟବସାୟୀକ ପ୍ରାଣକେନ୍ଦ୍ର ଜୁନାଗଡ ଠାରୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା ରେଳ ମାଧ୍ୟମରେ ରାଜ୍ୟ ବାହାରକୁ ଚାଉଳ ଚାଲାଣ ନିମନ୍ତେ ଜୁନାଗଡସ୍ଥିତ କେନ୍ଦ୍ରିୟ ପଣ୍ୟାଗାର ଓ ରାଜ୍ୟ ପଣ୍ୟାଗାର ରୁ ଟ୍ରକ ଗୁଡିକରେ ଓଭର ଲୋଡ କରାଯାଉଥିବା ଅଭିଯୋଗ ହେଉଛି । ଓଭର ଲୋଡ ରୋକିବା ପାଇଁ କଳାହାଣ୍ଡି ଅାଂଚଳିକ ପରିବହନ ଅଧିକାରୀ ତାଗିଦ କରିଥିଲେ ମଧ୍ୟ ଉଭୟ ପଣ୍ୟାଗାର ର ପଦାଧିକାରୀ ତାଗିଦକୁ ବେଖାତିର କରି ଓଭର ଲୋଡରେ ଚାଉଳ ପଠାଉଥିବା ଦେଖିବାକୁ ମିଳିଛି । ସରକାରୀ ମାଲ ପରିବହନ ପାଇଁ ଜୁନାଗଡ ରେଳ ଷ୍ଟେସନରେ ର୍ୟାଗ ସାଇଡିଂ ଆରମ୍ଭ ହୋଇଥିବା ବେଳେ ଜୁନାଗଡ ସହରର ଦୁଇ ପଣ୍ୟାଗାରରୁ ଚାଉଳ ପରିବହନ ଆରମ୍ଭ ହୋଇଛି । ନିୟମାନୁସାରେ ରେଳ ଷ୍ଟେସନରେ ରେଗ ପହଂଚିବା ପରେ ଟ୍ରକ ମାଧ୍ୟମରେ ଏଫସିଆଇର ଆଦେଶ ମୁତାବକ ପଣ୍ୟାଗାର ଗୋଦାମ ଗୃହରୁ ଚାଉଳ ପରିବହନ ହେବା ନିୟମ ରହିଛି । ତେବେ ଗତ ତିନି ଦିନ ଧରି ଜୁନାଗଡ ପଣ୍ୟାଗାର ମାନଙ୍କରେ ଟ୍ରକ ସବୁ ଲୋଡିଂ ହୋଇ ଠିଆ ହୋଇ ରହିଥିଲା । ଅନ୍ୟ ପକ୍ଷରେ ରେଳ ରେଗ ଆସିବାର ୧୨ ଘଂଟା ମଧ୍ୟରେ ମାଲ ଲୋଡିଂ ଓ ଖଲାସ ହେବାର ନିୟମ ଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ହେଲେ କେଉଁ କାରଣରୁ ରେଳ ରେଗ ଆସିବାର ତିନି ଦିନ ପୂର୍ବରୁ ଟ୍ରକ ମାନଙ୍କରେ ଚାଉଳ ଲୋଡିଂ କରା ଯାଇ ଠିଆ କରାଯାଇଥିଲା ସେ ସମ୍ପର୍କରେ ପଚାରିବାରୁ ପଣ୍ୟାଗାର ପଦାଧିକାରୀ ମାନେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନାହାନ୍ତି । ଗତ ଗୁରବାର ଦିନ ଆଂଚଳିକ ପରିବହନ ଅଧିକାରୀ ଦିନବନ୍ଧୁ ଶୁଣ୍ଢି ଟ୍ରକରେ ଓଭର ଲୋଡ ସଂକ୍ରାନ୍ତରେ ଖବର ପାଇବା ପରେ ଏହାକୁ ବନ୍ଦ କରିବା ପାଇଁ ତାଗିଦ କରିଥିଲେ । ଶୁକ୍ରବାର ଦିନ ସମସ୍ତ ଟ୍ରକ ଓଭର ଲୋଡିଂ ଥିବା ବେଳେ ରାଜ୍ୟ ପଣ୍ୟାଗାର ଅଧିକ୍ଷକଙ୍କ ମୋବାଇଲ ବନ୍ଦ ଥିବା ଯୋଗୁଁ ଯୋଗାଯୋଗ ହୋଇ ପାରିନଥିବା ବେଳେ କେନ୍ଦ୍ରିୟ ପଣ୍ୟାଗାର କନିଷ୍ଠ ଅଧିକ୍ଷକ ଜ୍ୟୋର୍ତିମୟୀ ଜେନା ଙ୍କୁ ପଚାରିବାରୁ ନୂତନ ଭାବରେ ରେଗ ଲାଗୁଥିବାରୁ ଅଣ କୁଶଳୀ ଶ୍ରମିକ ମାନଙ୍କ ଦ୍ୱାରା ୧୨ ଘଣ୍ଟା ମଧ୍ୟରେ କାମ କରିବା ଅସମ୍ଭବ ହେଉଥିବାରୁ ଆଗତୁରା ଟ୍ରକରେ ଲୋଡିଂ କରିଥିବା କହିଥିବା ସହିତ ଓଭର ଲୋଡିଂ ବିଷୟରେ ପଚାରିବାରୁ ଉର୍ଦ୍ଧ ଅଧିକାରୀ ଙ୍କୁ ପଚାରନ୍ତୁ ବୋଲି କହିଥିଲେ । ରେଗ ଲାଗିବା ବିଷୟ ନଜାଣି କିପରି ଉଭୟ ପଣ୍ୟାଗାରରେ ଆଗରୁରା ଚାଉଳ ଲୋଡିଂ କରା ଗଲା ସେ ସମ୍ପର୍କରେ ସନ୍ତୋଷ ଜନକ ଉତ୍ତର ମିଳି ପାରି ନାହିଁ । ଏସଂପର୍କରେ ଶ୍ରମିକ ମାନଙ୍କୁ ଦୈନିକ ଭିତିରେ ମଜୁରୀ ଦେବାକୁ ଚୁକ୍ତି କରାଯାଇ ସେମାନଙ୍କ ଠାରୁ ଅଧିକ କାମ ଆଦାୟ କରିବା ଉଦେ୍ଦଶ୍ୟରେ ଆଗତୁରା ଚାଉଲ ଲୋଡିଂ କରାଯାଉଥିବା ସନେ୍ଦହ ପ୍ରକାଶ ପାଇବାରେ ଲାଗିଛି । ଯଦିଓ ଶ୍ରମିକ ମାନଙ୍କୁ କ୍ୱିଂଟାଲ ପିଛା ଲୋଡିଂ ଅନଲୋଡିଂ ମଜୁରୀ ଦିଆଯିବା ପାଇଁ ସରକାରୀ ସ୍ତରରେ ଧାର୍ଯ୍ୟ ହୋଇଥିବା ବେଳେ ପରିବହନ ଠିକାଦାର ପକ୍ଷରୁ ନିଜକୁ ଫାଇଦା ହେବା ଭଲି ଶ୍ରମିକ ମଜୁରୀ ଦେବାର ଆପୋଷ ବୁଝାମଣା ହୋଇଥିବା ଶୁଣାଯାଉଛି । ଏହାଯଦି ସତ୍ୟ ହୋଇଥାଏ ତେବେ ଶ୍ରମିକ ମାନେ ସରକାରୀ ନିର୍ଦ୍ଧାରିତ ପ୍ରାପ୍ୟ ପାଇବାରୁ ବଂଚିତ ହେଉଥିବେ ଏବଂ ସେଥିପାଇଁ ପଣ୍ୟାଗାର ଅଧିକାରୀ ଓ ଠିକାଦାର ମଧ୍ୟରେ ନିଶ୍ଚିତ ଭାବେ ବୁଝାମଣା ହୋଇଥାଇପାରେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଜୁନାଗଡ ଠାରେ ପରିବହନ ଓ ଶ୍ରମିକ ଯୋଗାଇବାକୁ କେସିଙ୍ଗା ର ଜନୈକ ଠିକାଦାରଙ୍କୁ ଦାୟୀତ୍ୱ ଦିଆଯାଇଥିବା ବେଳେ ସ୍ଥାନିୟ ଲୋକେ ଅବହେଲା ର ଶୀକାର ହେଉଥିବା ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ଆଂଚଳିକ ପରିବହନ ଅଧିକାରୀ ଦିନବନ୍ଧୁ ଶୁଣ୍ଢି ଙ୍କୁ ପଚାରିବାରୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସମସ୍ତ ପଣ୍ୟାଗାର କୁ ଓଭରଲୋଡ ନକରିବା ପାଇଁ ଚିଠି କରିବା ବ୍ୟବସ୍ଥା କରାଯିବା ସହିତ ଆଗାମୀ ଦିନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଶୁକ୍ରବାର ଅପରାହ୍ନରେ ରେଗ ଲାଗିଥିବା ବେଳେ ଚାଉଳ ଲୋଡିଂ କରାଯାଇଛି ।

Leave a Reply

Your email address will not be published. Required fields are marked *